ବାଲେଶ୍ୱର/ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କର ମାଳମାଳ ପ୍ଲଟ୍‌। କେବଳ ଜଳେଶ୍ବରରେ ୮୦ଟି ପ୍ଲଟ୍‌ ରହିଥିବା ବେଳେ ଡେଲାଙ୍ଗ-ପୁରୀରେ ୪ଟା ଓ ପଶ୍ଚିମବଙ୍ଗରେ ଗୋଟିଏ ରହିଛି। ଶ୍ରୀ ପ୍ରଧାନଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଆଜି ଚଢ଼ଉ ପରେ ଭିଜିଲାନ୍ସ ଟିମ୍‌ ଏତିକି ପ୍ଲଟ୍‌ ଠାବକରିଛି। ତେବେ, ଏହି ସଂଖ୍ୟା ୮୫ରୁ ଅଧିକ ବୋଲି ଜଣାପଡ଼ିଛି। ଏଥିସହିତ, ଭିଜିଲାନ୍ସ ଟିମ୍‌ ତାଙ୍କ ବାସଭବନରୁ ୧୧ ଲକ୍ଷ ନଗଦ ଟଙ୍କା, ତା’ ସାଙ୍ଗକୁ ବହୁ ପରିମାଣରେ ସୁନା ଅଳଙ୍କାର, ସୁନା ବିସ୍କୁଟ୍‌ ଜବତ କରିଛନ୍ତି। ଏତେ ପରିମାଣ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍‌ ତାଜୁବ୍‌।

Advertisment

ଶୁକ୍ରବାର ଭୋର୍ ସମୟରେ ଭିଜିଲାନ୍ସର ୯ ଜଣିଆ ଟିମ୍ ଶ୍ରୀ ପ୍ରଧାନଙ୍କ ବାଲେଶ୍ୱର ସହର ଆଇଟିଆଇ ଛକରେ ଥିବା ବିଭାଗୀୟ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଜଳେଶ୍ୱର ବଡ଼ବଜାରରେ ତାଙ୍କର ୧୨,୦୦୦ ବର୍ଗଫୁଟ୍‌ର ଏକ ୫ ମହଲା ବିଶିଷ୍ଟ ଘର ରହିଥିବା ବେଳେ ଜଳେଶ୍ବର ଗୋବରଘାଟାଠାରେ ଏକ ପାଚେରି ଘର ସହିତ ୫୬୫୦ ବର୍ଗଫୁଟ୍‌ର ମାର୍କେଟ କମ୍ପ୍ଲେକ୍ସ ରହିଥିବା ଜଣାପଡ଼ିଥିଲା। ବାଲେଶ୍ୱର ସରକାରୀ ବାସଭବନରେ ଚଢ଼ଉ ସମୟରେ ଏକ ନାମିଦାମୀ ଜୁଏଲାରୀ ସଂସ୍ଥାର ଏକାଧିକ ବ୍ୟାଗ ଦେଖିବାକୁ ମିଳିଥିଲା। ସେସବୁ ଭିତରେ ୧୧ ଲକ୍ଷ ୭୦ ହଜାର ୯୮୦ ଟଙ୍କାର ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍‌, ସୁନାଗହଣା, ସୁନା ବିସ୍କୁଟ, ବ୍ୟାଙ୍କ୍ ପାସ୍‌ବୁକ୍‌, ପୋ‌ଷ୍ଟାଲ ଓ ବୀମା କାଗଜପତ୍ର ମିଳିଥିଲା। ଅଚଳ ଥିବା ୨ ହଜାର ଟଙ୍କିଆ ବିଡ଼ା ମଧ୍ୟ ଏକ ବ୍ୟାଗ୍ ଭିତରୁ ମିଳିଥିଲା। ଏସବୁକୁ ଭିଜିଲାନ୍ସ ଟିମ୍‌ ଜବତ କରିଛନ୍ତି। ସେହିପରି, ବାଲିଆପାଳ ମହିଁଷାମୁଣ୍ଡାସ୍ଥିତ ଶ୍ରୀ ପ୍ରଧାନଙ୍କ ଶ୍ବଶୁର ଘର, ଜଳେଶ୍ୱର ସାନ୍ତିଆସ୍ଥିତ ତାଙ୍କ ଅନ୍ତରଙ୍ଗ ତଥା ଠିକାଦାର ମିଟିକା ସିଂଙ୍କ ଘରେ ଏକକାଳୀନ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାରେ ଏସ୍‌ଇ ଶ୍ରୀ ପ୍ରଧାନଙ୍କ ବହୁ ସଂଖ୍ୟାରେ ଜମି ପ୍ଲଟ୍ ଥିବା ଜଣାପଡ଼ିଛି। ଶ୍ରୀ ପ୍ରଧାନଙ୍କ ନାଁରେ ପୁରୀ ଡେଲାଙ୍ଗରୁ ଆରମ୍ଭ କରି ପଶ୍ଚିମବଙ୍ଗର ସୁନାକଣିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରାୟ ୮୫ଟି ପ୍ଲଟ୍‌ ରହିଥିବା ବେଳେ କେବଳ ଜଳେଶ୍ବରରେ ୮୦ଟି ପ୍ଲଟ, ୪ଟି ପ୍ଲଟ୍‌ ପୁରୀ ଡେଲାଙ୍ଗରେ ଏବଂ ଗୋଟିଏ ପ୍ଲଟ୍‌ ପଶ୍ଚିମବଙ୍ଗର ସୁନାକଣିଆରେ ରହିଛି। ଶ୍ରୀ ପ୍ରଧାନ ବିଭିନ୍ନ ବର୍ଷରେ ତାଙ୍କ ନାମରେ, ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ନାମରେ ସମ୍ପତ୍ତି ଠୁଳ କରିଥିବା ତଦନ୍ତ ସମୟରେ ଜଣାପଡ଼ିଛି। ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉକୁ ଜାରି ରଖାଯାଇଥିବା ବେଳେ ବୈଷୟିକ ଟିମ୍‌ ଦ୍ବାରା ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ଆକଳନ ଚାଲିଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬ କୋଟି ୩୩ ଲକ୍ଷ ୫୬ ହଜାର ୩୧୫ ଟଙ୍କା ଆକଳନ ହୋଇଥିବା ଭିଜିଲାନ୍ସ ପକ୍ଷରୁ ଜଣାଯାଇଛି। ଏହାବାଦ୍‌ ଚଢ଼ାଉ ଜାରି ରହିଥିବାରୁ ସଂପୂର୍ଣ୍ଣ ସମ୍ପତ୍ତି ଆକଳନ କରାଯାଇ ପାରିନାହିଁ। ତେବେ ବେଆଇନ ଭାବରେ ଜବତ ହୋଇଥିବା ୨ ହଜାର ଟଙ୍କିଆ ବାବଦରେ ବ୍ୟାଙ୍କ ସହ ଯୋଗାଯୋଗ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ଏସ୍‌ପି କହିଛନ୍ତି।

ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି ନରହରି ନାୟକଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ ଚାଲିଛି। ଏହି ଚଢ଼ାଉରେ ୨ ଜଣ ଅତିରିକ୍ତ ଏସ୍‌ପି, ୪ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର, ୭ ଜଣ ଏଏସ୍‌ଆଇ ସାମିଲ ଅଛନ୍ତି। ଶ୍ରୀ ପ୍ରଧାନଙ୍କ ପୈତୃକ ଘର ଜଳେଶ୍ୱର ହୋଇଥିବା ବେଳେ ସେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ୨୦୨୧ ମସିହାରୁ ବାଲେଶ୍ବର ଜଳସେଚନ ବିଭାଜନରେ କାର୍ଯ୍ୟରତ ଥିଲେ। ଦୁଇଦିନ ପୂର୍ବରୁ ସରକାର ତାଙ୍କୁ କେନ୍ଦୁଝର ଶାଳପଡ଼ାସ୍ଥିତ ଆନନ୍ଦପୁର ବ୍ୟାରେଜ୍ ଡିଭିଜନର ମୁଖ୍ୟଯନ୍ତ୍ରୀ ଭାବେ ପଦୋନ୍ନତି ଦେଇଥିଲେ। ତେବେ କେନ୍ଦୁଝରରେ କାର୍ଯ୍ୟରେ ଯୋଗଦେବାକୁ ଯିବାପୂର୍ବରୁ ତାଙ୍କ ଉପରେ ଏହି ଚଢ଼ଉ ସାଧାରଣରେ ଆଲୋଚନାର ବିଷୟ ହୋଇଛି।