ପୁରୀ : ନଦୀ ଭିତରେ ଚାଲିଛି ପ୍ଲଟିଂ। ନଈପଠାକୁ ଭାଗ ଭାଗ କରି ବିକ୍ରି କରାଯାଉଛି। ଆଗ ପାଚେରି ଛିଡ଼ା କରି ଦିଆଯିବା ପରେ ପ୍ଲଟିଂ ପାଇଁ ମାର୍କିଂ ପିଲର୍‌ ପୋତି ଦିଆଯାଉଛି। ପୁରୀ-କୋଣାର୍କ ବେଳାମାର୍ଗର ଭାର୍ଗବୀ ନଦୀ ପଠାରେ ଚାଲିଛି ଏହି ବେପାର। ଏହାକୁ ରାଜନେତା ସୁରକ୍ଷା ଦେଉଛନ୍ତି। ଜଳସମ୍ପଦ ଡିଭିଜନ୍‌ ଅଧିକାରୀ ବି ଏହି ବେଆଇନ୍ କାମ ପ୍ରତି ଆଖି ବୁଜି ଦେଇଛନ୍ତି।

Advertisment

ନଦୀ ଭିତରେ କୌଣସି ନିର୍ମାଣ ହୋଇ ପାରିବନାହିଁ। ଏହା ସମ୍ପୂର୍ଣ୍ଣ ବେଆଇନ୍‌। ବରଂ ନଦୀର ସ୍ରୋତକୁ ଅବାଧ କରିବା ପାଇଁ ଯାହା ବି ନିର୍ମାଣ ଥିବ ତାକୁ ଭାଙ୍ଗି ଦିଆଯିବ। କେବଳ ସେତିକି ନୁହେଁ, ବାଲି ଜମା ହେଲେ ବି ତାକୁ ସମତୁଲ କରାଯିବ। ନଦୀ ସ୍ରୋତ ଓ ପଠାର ସୁରକ୍ଷା ଦାୟିତ୍ବ ଜଳ ସମ୍ପଦ ବିଭାଗ ଉପରେ ନ୍ୟସ୍ତ। ଏହି ବିଭାଗର କ୍ଷେତ୍ର କର୍ମଚାରୀମାନେ ନଦୀର ସୁରକ୍ଷା ପାଇଁ ପଦକ୍ଷେପ ନେବା କଥା। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ପୁରୀ-କୋଣାର୍କ ବେଳାମାର୍ଗର ଭାର୍ଗବୀ ନଦୀ ପୋଲ ବାମପଟେ ପଠାକୁ ଦଖଲ କରି ନିଆଗଲାଣି। ନଦୀ ବନ୍ଧଠାରୁ ପାଣି ପର୍ଯ୍ୟନ୍ତ ପଥର ପାଚେରି ନିର୍ମାଣ କରାଯାଇଛି। ପାଚେରି ମଧ୍ୟରେ ଚାଲିଛି ପ୍ଲଟିଂ। ପ୍ଲଟିଂ ପାଇଁ ସିମେଣ୍ଟ ଖୁଣ୍ଟି ପୋତା ସରିଲାଣି। ତାହା ପୁଣି ପାଣି ନିକଟରେ। ଏହି ପ୍ଲଟିଂରେ ପୁରୀର କିଛି ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଅଛନ୍ତି। ସେମାନେ ଅର୍ଥବଳ ଦେଖାଇ ନଦୀପଠାରେ ବିରାଟ ପାଚେରି କରିଛନ୍ତି। ଏମାନଙ୍କୁ ସୁରକ୍ଷା ଦେଉଛନ୍ତି ଜଣେ ସରପଞ୍ଚ। ଜଳସମ୍ପଦ ଡିଭିଜନ୍‌ର ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନିକ ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ଏ ନେଇ ସଲାସୁତରା ହୋଇଛି। ଫଳରେ ‌ନଦୀପଠାରେ ପାଚେରି ଓ ପ୍ଲଟିଂ ପାଇଁ କେହି ବାରଣ ମଧ୍ୟ କରିନାହାନ୍ତି। ଏବେ ବିଶାଳ ନଦୀ ଛାତିରେ ପାଚେରି ଛିଡ଼ା ହୋଇଛି। ନଦୀକୁ ନିଜର ବୋଲି ଦର୍ଶାଇ ବେପାର ଆରମ୍ଭ ହୋଇଛି।

ଭୁବନେଶ୍ବରରେ ନଦୀପଠା ଦଖଲ ବେଳେ ଜଳସମ୍ପଦ ବିଭାଗ ନିରବ ବସିଥିଲା। ସରକାରୀ କଳର ନିଷ୍କ୍ରିୟତାରୁ ଧୀରେ ଧୀରେ ଶହଶହ କୋଠା ତିଆରି ହୋଇଗଲା। ମନୁଷ୍ୟକୃତ ଏହି ବିପଦ ପରବର୍ତ୍ତୀ ସମୟରେ ଆଣୁଛି ବନ୍ୟା ବିପର୍ଯ୍ୟୟ। ଏବେ ନଦୀପଠା ଖାଲି କରିବାକୁ ଜଳ ସମ୍ପଦ ବିଭାଗ ବାଟ ଖୋଜୁଛି, ହେଲେ ମିଳୁନି। ଠିକ୍‌ ସେହିପରି ଏଠାରେ ନଈପଠା ଦଖଲ ପାଇଁ ସରକାରୀ ପଦାଧିକାରୀ ସୁଯୋଗ ସୃଷ୍ଟି କରୁଛନ୍ତି।