ରାଉରକେଲା: ରେଳବାଇ,ରାଜ୍ୟ ସରକାରଙ୍କର ହେଉ ଅବା ଆର୍ଏସ୍ପିର ମୂଲ୍ୟବାନ ଜାଗା ଏବେ କିଛି ବଡ଼ ବଡ଼ିଆଙ୍କ କବ୍ଜାରେ। ନିଜର ବ୍ୟକ୍ତିଗତ ଜମି କହି ଅନ୍ୟମାନଙ୍କୁ ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ରାଉରକେଲା ସହର ଭିତରେ ଏବଂ ବାହାରେ ଏଭଳି ବେଆଇନ କାର୍ଯ୍ୟ ଜୋର୍ସୋରରେ ଚାଲିଛି। ଉଭୟ ଜିଲ୍ଲା ପ୍ରଶାସନ ଓ ଆର୍ଏସ୍ପି ସହରସେବା ବିଭାଗ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଚୁପ୍ ବସିଛନ୍ତି। ଫର୍ଟିଲାଇଜର, ଜଲଦା, ବନ୍ଧମୁଣ୍ଡା ହେଉ ଅବା ପାନପୋଷ କୋଏଲବ୍ୟାଙ୍କ ସବୁଠି ଚାଲିଛି ଏଭଳି ବେଆଇନ କାରକାର୍। ଯେଉଁଠି କେବଳ ଘର ନୁହେଁ ଗୋଦାମ, ଟେଣ୍ଟ ହାଉସ୍, ସ୍କ୍ରାପ ଗୋଦାମ୍ ରହିଛି। ରାତାରାତି ଏସବୁ ଜାଗାକୁ ଘର ନିର୍ମାଣ ହେଉଥିଲେ ହେଁ ବିଭାଗୀୟ ଅଧିକାରୀ କେମିତି ଜାଣି ପାରୁ ନାହାନ୍ତି, ତାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।
ବନ୍ଧମୁଣ୍ଡା, ଜଲଦା ଓ ଫର୍ଟିଲାଇଜର କିଛି ସ୍ଥାନରେ ଜମି ମାଫିଆମାନେ ସରକାରୀ ଜମିକୁ ପ୍ଲଟିଂ କରି ଅନ୍ୟମାନଙ୍କୁ ବିକ୍ରି କରୁଛନ୍ତି। ନିକଟରେ ଫର୍ଟିଲାଇଜର କନଷ୍ଟ୍ରକ୍ସନ କଲୋନିରେ ସରକାରୀ ଜମି କିଣାବିକାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିଲା। ଏହା ପରେ ମଧ୍ୟ ଜମି ମାଫିଆମାନେ ସରକାରୀ ଜମିକୁ ମାଡ଼ି ବସି ଅନ୍ୟମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରି ଦେଉଛନ୍ତି। ଦେଓଗାଁ ଦୁଇ ଏକର ନୁହେଁ ପାଖାପାଖି ୧୫ ଏକରରୁ ଅଧିକ ଆର୍ଏସ୍ପି ଜମିକୁ ମାଡ଼ି ବସିଛନ୍ତି ସ୍ଥାନୀୟ ଅଞ୍ଚଳର କିଛି ନେତା ଓ ଅସାମାଜିକ ଯୁବକ। ଯାହାର ଆନୁମାନିକ ବଜାର ମୂଲ୍ୟ ହେବ ପ୍ରାୟ ୩୦ କୋଟିରୁ ଅଧିକ। ଏଥିରୁ ପ୍ରାୟ ୨ ଏକରୁ ଅଧିକ ଜମିକୁ ପ୍ଲଟିଂ କରି ଅନ୍ୟମାନଙ୍କୁ ବିକ୍ରି କରି ଦିଆଯାଇଛି। ଡେସମିଲ୍ ପିଛା ୨ରୁ ୩ ଲକ୍ଷ ଟଙ୍କା ର୍ପ୍ୟନ୍ତ ବିକ୍ରି କରୁଛନ୍ତି। ଏମିତି କି ନିକଟ ଭବିଷ୍ୟତରେ ଏହି ଜାଗାର ପଟ୍ଟା କରାଇଦେବୁ କ୍ରେତାମାନଙ୍କୁ କହୁଛନ୍ତି। ଏମିତି ଲୋଭନୀୟ କଥା କହି ସହର ଓ ଏହାର ଆଖପାଖର ବଡ଼ବଡିଆ ଲୋକଙ୍କୁ ଆର୍ଏସ୍ପିର ମୂଲ୍ୟ ଜମିକୁ ଶାଗମାଛ ଦରରେ ଟେକି ଦେଉଛନ୍ତି।
ପ୍ଲଟ କିଣିଥିବା ଲୋକମାନେ ସେଠାରେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଅନ୍ୟ କିଛି ଲୋକ ସିମେଣ୍ଟ ଖୁଣ୍ଟି ପୋତି ନିଜ ଦଖଲରେ ରଖିଛନ୍ତି। ନେତା, ଅସାମାଜିକ ଯୁବକଙ୍କ ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଆର୍ଏସ୍ପି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆର୍ଏସ୍ପି ସହରର ସେବା ବିଭାଗ ଏମାନଙ୍କ ବିରୋଧରେ କୌଣସି ଠୋସ୍ ପଦକ୍ଷେପ ନେଉ ନଥିବାରୁ ଦଲାଲ୍ମାନେ ଜମିକୁ ପ୍ଲଟିଂ ସହ ବିକି ଚାଳିଛନ୍ତି। ବନ୍ଧମୁଣ୍ଡା ଅଞ୍ଚଳର ରେଳବାଇ ଜାଗାକୁ ମଧ୍ୟ ଶହ ଶହ ଲୋକ ମାଡ଼ି ବସିଛନ୍ତି। ଯେଉଁଠି ବଡ଼ ବଡ଼ କୋଠା ଗଢ଼ି ଉଠିଛି। ଆଉ କିଛି ରେଳବାଇ ଜାଗାକୁ ପ୍ଲଟିଂ କରି ଅନ୍ୟମାନଙ୍କୁ ବିକି ଦେଉଛନ୍ତି। ରେଳବାଇ ପକ୍ଷରୁ ଏମାନଙ୍କ ବିରୋଧରେ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଦିନକୁ ଦିନ ମୂଲ୍ୟବାନ ଜାଗା ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଉଛି। ସହରରେ ଲୋକଙ୍କୁ ରହିବାକୁ ଘର ଖଣ୍ଡେ ମିଳୁ ନଥିବାବେଳେ ମୂଲ୍ୟବାନ ଜମି ତଥାକଥିତ ନେତା ଓ କିଛି ଜମି ମାଫିଆ ମାଡ଼ି ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃ୍ଷ୍ଟି ଦେବାର ଆବଶ୍ୟକତା ରହିଛି।