ଯୁକ୍ତ୨ ନାମଲେଖା : ପ୍ରଥମ ଦିନରେ ୮ ହଜାର ଆବେଦନ

ଭୁବନେଶ୍ବର : ରାଜ୍ୟରେ ଥିବା ୧୯୨୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ସମେତ ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ ‘www.samodisha.gov.in’ ‌ୱେବସାଇଟ୍‌ରେ ସିଏଏଫ୍‌ ଦାଖଲ କରିଛନ୍ତି। ପ୍ରଥମ ଦିନରେ ୮ ହଜାର ଛାତ୍ରଛାତ୍ରୀ ବିଭିନ୍ନ କଲେଜରେ ନାମ‌ ଲେଖାଇବା ଲାଗି ଆବେଦନ କରିଥିବା ଜଣାପଡ଼ିଛି। ୧୭ ହଜାର ୬୩୬ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ୭ ହଜାର ୭୦ଜଣ ଫି’ ଦାଖଲ କରିଥିବା ବେଳେ ୧୭ଜଣଙ୍କ ଆବେଦନପତ୍ର ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

ଜୁନ୍‌ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଛାତ୍ରଛାତ୍ରୀ ୨୧ ତାରିଖ ଅପରାହ୍‌ଣ ୫ଟା ସୁଦ୍ଧା ସିଏଏଫ୍‌ର ପ୍ରିଣ୍ଟ କପି ସହ ସମସ୍ତ ଡକ୍ୟୁମେଣ୍ଟ ସାମ୍‌ସ ରିସୋର୍ସ ସେଣ୍ଟର‌୍‌(ଏସ୍‌ଆରସି)ରେ ଦାଖଲ କରିପାରିବେ। ଜୁନ୍‌ ୨୬ରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁନ୍‌ ୨୮ରୁ ଜୁଲାଇ ୨ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଜୁନ୍‌ ୨୮ରେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଅନ୍‌ଲାଇନ୍‌ରେ ପ୍ରକାଶ କରାଯିବ। ଜୁଲାଇ ୮ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ତଲିକା ପ୍ରକାଶ ପାଇବ। ଏଥିପାଇଁ ଜୁଲାଇ ୯ରୁ ୧୧ ମଧ୍ୟରେ ନାମଲେଖା ହେବ। ଜୁଲାଇ ୨୪ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।

ସମ୍ବନ୍ଧିତ ଖବର