ଯୁକ୍ତ୨ ବିକଳ୍ପ ମୂଲ୍ୟାୟନ: ତୃତୀୟ ବୈଠକରେ ବି ହୋଇପାରିଲାନି ନିଷ୍ପତ୍ତି

ଭୁବନେଶ୍ବର : ଯୁକ୍ତ୨ ବିକଳ୍ପ ମୂଲ୍ୟାୟନ ନେଇ ଅନିଶ୍ଚିତତା ଲାଗିରହିଛି। ବିଜ୍ଞପ୍ତି ପ୍ରକାଶ ପାଇବାର ୧୨ ଦିନ ବିତିଯାଇଥିଲେ ମଧ୍ୟ ୧୪ ଜଣିଆ ବିଶେଷଜ୍ଞ କମିଟି ରିପୋର୍ଟ ଦାଖଲ କରିପାରି ନାହିଁ। ବିକଳ୍ପ ମୂଲ୍ୟାୟନ ପାଇଁ ନିର୍ଦ୍ଧାରିତ ମାପଦଣ୍ଡ ପ୍ରସ୍ତୁତ କରିବାକୁ ବିଶେଷଜ୍ଞ କମିଟିର ସଦସ୍ୟମାନଙ୍କର ବୁଧବାର ତୃତୀୟ ଥର ବୈଠକ ବସିଥିଲେ ମଧ୍ୟ ସେମାନେ କୌଣସି ନିର୍ଯ୍ୟାସରେ ପହଞ୍ଚିପାରି ନାହାନ୍ତି। ଯେଉଁଥିପାଇଁ ଗୁରୁବାର ପୁଣିଥରେ ବୈଠକ ବସିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ କିଛି ସଦସ୍ୟଙ୍କୁ ନେଇ ଏହି ବୈଠକ ହେବ। ‌ମୂଲ୍ୟାୟନର ରୂପରେଖ ଚୂଡ଼ାନ୍ତ ହେବା ସହ କେଉଁ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ ସେନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

ଯୁକ୍ତ ୨ରେ ରେଗୁଲାର, ଏକ୍ସ-ରେଗୁଲାର, କମ୍ପାଟ୍‌ମେଣ୍ଟାଲ ଆଦି ବର୍ଗର ପିଲା ରହିଥିବାରୁ ସେମାନଙ୍କ ମୂଲ୍ୟାୟନ କରି ସମସ୍ତଙ୍କୁ ନ୍ୟାୟ ଦେବା ଏବେ କଷ୍ଟକର ହୋଇପଡ଼ିଛି। କେଉଁ ପଦ୍ଧତିରେ ମୂଲ୍ୟାୟନ କରାଗଲେ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ସେନେଇ ବିଶେଷଜ୍ଞ କମିଟି ସଦସ୍ୟମାନେ ପରିଷଦ ସମ୍ମୁଖରେ ମତାମତ ରଖି ସାରିଛନ୍ତି। ତାହାକୁ ଅନୁଧ୍ୟାନ କରାଯାଇ ଆଜି ପରିଷଦ ପକ୍ଷରୁ ସଦସ୍ୟଙ୍କ ସମ୍ମୁଖରେ ବିକଳ୍ପ ପନ୍ଥା ରଖାଯାଇଥିଲା। ମାତ୍ର କେତେଜଣ ସଦସ୍ୟ ଏହାକୁ ଗ୍ରହଣ କରିପାରି ନଥିଲେ ଏବଂ ଅସନ୍ତୋଷ ପ୍ରକାଶ କରିଥିଲେ। ଯେଉଁଥିପାଇଁ ପୁଣିଥରେ ଏ ବିଷୟରେ ଆଲୋଚନା ହେବ।

ପରିଷଦର ଜଣେ ସଦସ୍ୟ କହିଛନ୍ତି ଯେ ମାଟ୍ରିକ୍‌ ମାର୍କକୁ ମୁଖ୍ୟ ଆଧାର କରାଯାଇଛି। ଯୁକ୍ତ୨ ପ୍ରଥମ ବର୍ଷରେ କେତେକ କଲେଜ ପ୍ରାକ୍ଟିକାଲ ପରୀକ୍ଷା କରିଥିବାରୁ ଏହି ମାର୍କକୁ ବିଚାର କରିବାକୁ କେତେଜଣ ସଦସ୍ୟ ମତ ଦେଇଛନ୍ତି। ତେବେ ଆଉ କେତେ ଜଣ ଏହାକୁ ବିରୋଧ କରିଛନ୍ତି। ‌ଯେଉଁଥିପାଇଁ ସହମତି ହୋଇପାରୁ ନାହିଁ। ଯଦି‌ କେବଳ ମାଟ୍ରିକ୍‌ ମାର୍କକୁ ଆଧାର କରାଯାଏ ତେବେ ସବୁ ପିଲା ପାସ୍‌ କରିବେ। କାରଣ ଦଶମରେ ସମସ୍ତେ ପାସ୍‌ କରିବା ପରେ ହିଁ ଯୁକ୍ତ୨ରେ ପଢ଼ିବାକୁ ଆସିଛନ୍ତି। ତେଣୁ ମାଟ୍ରିକ ମୂଲ୍ୟାୟନ କେବଳ ଆଧାର କରାଯାଇ ରେଜଲ୍ଟ ପ୍ରକାଶ କରାଯାଇ ପାରିବ ନାହିଁ। ସେହିପରି ସବୁ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ହୋଇ ନ ଥିବାରୁ ତାହାକୁ ବି ଆଧାର କରାଯିବାରେ ସମସ୍ୟା ରହିଛି। ବିକଳ୍ପ ମୂଲ୍ୟାୟନ ଶେଷ ପର୍ଯ୍ୟାୟ ଆଲୋଚନା ଚାଲିଛି। ସମସ୍ତ ସଦସ୍ୟଙ୍କ ସହମତି ପରେ ହିଁ ରିପୋର୍ଟ ଚୂଡ଼ାନ୍ତ ହେବ।

କମିଟିର ଜଣେ ସଦସ୍ୟ କହିଛନ୍ତି ଯେ ବିକଳ୍ପ ମୂଲ୍ୟାୟନ ଧାର୍ଯ୍ୟ ଲାଗି ବହୁ ଅନୁଧ୍ୟାନ କରିବାକୁ ପଡ଼ୁଛି। ଗତ ୧୦ ଦିନ ମଧ୍ୟରେ ସଟ୍‌ଡାଉନ୍‌ ସାଙ୍ଗକୁ ରଜ ଛୁଟି ପଡ଼ିବାରୁ କମିଟିର ନିୟମିତ ବୈଠକ ହୋଇପାରି ନାହିଁ। ସଦସ୍ୟମାନେ ସମୟ ଦେଇପାରି ନାହାନ୍ତି। ତେଣୁ ବିଳମ୍ବ ହେଉଛି। ଯେଉଁ ନିଷ୍ପତ୍ତିରେ ନିଆଯାଉଛି ତାହାକୁ ବାରମ୍ବାର ପରିବର୍ତନ କରିବାକୁ ପଡ଼ୁଛି। ସମସ୍ତ ବାଟ ଥାଇ ମଧ୍ୟ ସିବିଏସ୍‌ଇ ଦ୍ବାରା ଗଠିତ ବିଶେଷଜ୍ଞ କମିଟି ବି ଆଜି ପର୍ଯ୍ୟନ୍ତ ବିକଳ୍ପ ବାଟ ବାହାର କରିପାରି ନାହିଁ। ତେଣୁ ବ୍ୟସ୍ତ ହେବାର କିଛି କାରଣ ନାହିଁ। ଦିନେ ଦୁଇଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ପରିଷଦ ଉପାଧ୍ୟକ୍ଷ ତୁଷାରକାନ୍ତୀ ତ୍ରିପାଠୀ କହିଛନ୍ତି ଯେ ରିପୋର୍ଟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍‌ଶୀଘ୍ର ଶେଷ ହେବ। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇ ନିଷ୍ପତ୍ତି ନିଆଯାଉଛି। ଜଣେ ବି କେହି ମେଧାବୀ ଯେପରି ନ୍ୟାୟ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ପ୍ରାଥମିକତା ଦିଆଯାଉଛି। ଗୁରୁବାର ବୈଠକରେ ଏ ନେଇ କିଛି ନିର୍ଯାସ ବାହାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର