ଯୁକ୍ତ୨ ବିକଳ୍ପ ମୂଲ୍ୟାୟନ: ବାଟ ପାଉନି ବିଶେଷଜ୍ଞ କମିଟି, ଆସନ୍ତା ସପ୍ତାହରେ ତୃତୀୟ ବୈଠକ

ଭୁବନେଶ୍ବର : ଯୁକ୍ତ୨ ମୂଲ୍ୟାୟନ ପାଇଁ ନିର୍ଦ୍ଧାରିତ ମାପଦଣ୍ଡ ପ୍ରସ୍ତୁତ ଲାଗି ଗଠିତ ବିଶେଷଜ୍ଞ କମିଟିର ଦ୍ବିତୀୟ ବୈଠକ ଶୁକ୍ରବାର ଶେଷ ହୋଇଛି। କିନ୍ତୁ ଏଥରକ ବି କୌଣସି ବାଟ ବାହାରି ପାରିନାହିଁ। ଅପରାହ୍‌ଣରେ ପ୍ରାୟ ୩ଘଣ୍ଟା ଧରି କମିଟିର ସଦସ୍ୟମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏକାଠି ହୋଇ ଆଲୋଚନା କରିଥିଲେ। କିନ୍ତୁ କୌଣସି ନିର୍ଯ୍ୟାସ ବାହାରି ପାରି ନଥିଲା। ତେଣୁ ଆସନ୍ତା ସପ୍ତାହରେ ଆଉ ଏକ ବୈଠକ ଡକାଯିବ। ଯେଉଁଥିରେ ମୂଲ୍ୟାୟନ ରୂପରେଖ ଚୂଡ଼ାନ୍ତହେବ। କେଉଁ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ, ସେନେଇ ନିଷ୍ପତ୍ତି ନିଆଯିବା ସହ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି କମିଟିର ଜଣେ ସଦସ୍ୟ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କମିଟିର ଦ୍ବିତୀୟ ବୈଠକରେ ବିଶେଷଜ୍ଞ କମିଟି ସଦସ୍ୟମାନେ ବିଭିନ୍ନ ମହଲରୁ ସଂଗ୍ରହ କରିଥିବା ମତାମତକୁ ପରିଷଦ ସମ୍ମୁଖରେ ରଖିଛନ୍ତି। କେଉଁ ପଦ୍ଧତିରେ ମୂଲ୍ୟାୟନ କରାଗଲେ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ, ସେନେଇ ମତ ଦେଇଛନ୍ତି। ମାଟ୍ରିକ୍‌ ପରୀକ୍ଷା‌ରେ ଛାତ୍ରଛାତ୍ରୀ ରଖିଥିବା ମାର୍କ ଆଧାରରେ ମୂଲ୍ୟାୟନ କରିବାକୁ ଅଧିକାଂଶ ସଦସ୍ୟ ବୈଠକରେ ମତପ୍ରକାଶ କରିଛନ୍ତି। ତେବେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମର ଶତାଧିକ ବିଷୟ ରହିଥିବାରୁ ମାଟ୍ରିକ୍‌ ମାର୍କର ଆଧାର କ’ଣ ହେବ, ସେନେଇ କୌଣସି ବାଟ ବାହାରି ପାରିନାହିଁ। ଦୁଇ କିମ୍ବା ତିନୋଟି ବିଷୟକୁ ମାର୍କକୁ ବିଚାରକୁ ନେବେ ନା ସବୁ ବିଷୟର ମାର୍କକୁ ଆକଳନ କରାଯିବ, ତାହା ଦ୍ବନ୍ଦ୍ବ ସୃଷ୍ଟି କରିଛି। ପ୍ରାକ୍ଟିକାଲ ମାର୍କ କିଭଳି ସ୍ଥିର କରାଯିବ, ତାହା ବି ଏବେ ସମସ୍ୟା ସୃଷ୍ଟି କରିଛି। କାରଣ ଦୁଇ ବର୍ଷ ମଧ୍ୟରେ ସେଭଳି କୌଣସି ପ୍ରାକ୍ଟିକାଲ ପରୀକ୍ଷା ହୋଇନାହିଁ। ପ୍ରଥମ ବର୍ଷରେ ଅଳ୍ପ କିଛି କଲେଜ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା କରାଇଥିବା ବୈଠକରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ସିବିଏସ୍‌ଇ ପକ୍ଷରୁ ଗଠନ କରାଯାଇଥିବା ବିଶେଷଜ୍ଞ କମିଟି ମାନସମନ୍ଥନ ଜାରି ରଖିଛି। ଆସନ୍ତା ୩ରୁ ୪ଦିନ ମଧ୍ୟରେ କମିଟି ତାହାର ରିପୋର୍ଟ ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବ। ତେଣୁ ଓଡ଼ିଶାର ବିଶେଷଜ୍ଞ କମିଟି ସିବିଏସ୍‌ଇ କମିଟିକୁ ଭରସା କରି ରହିଛି। ସେମାନେ ଯେଉଁ ଆଧାର କରିବେ, ଏମାନେ ତାହାର ପାଖାପାଖି କିଛି ବାଟ ବାହାର କରିବାକୁ ଯୋଜନା ରଖିଛନ୍ତି। ଦୁଇଟି ବୈଠକ ପରେ ବି ବିକଳ୍ପ ବାଟ ବାହାରି ପାରି ନଥିବାରୁ ସଦସ୍ୟମାନେଚିନ୍ତ‌ା ପ୍ରକଟକରିଛନ୍ତି। ଆସନ୍ତା ଦୁଇ ଦିନ ଶନିବାର ଓ ରବିବାର ସଟ୍‌ଡାଉନ୍‌ ରହୁଥିବାରୁ ଆସନ୍ତା ସପ୍ତାହରେ ସମସ୍ତ ସଦସ୍ୟ ଏକାଠି ହେବାର କାର୍ଯ୍ୟକ୍ରମ ରହିଛି। ସୋମବାର କିମ୍ବା ମଙ୍ଗଳବାର ପରବର୍ତ୍ତୀ ବୈଠକ ବସିବ।

ସମ୍ବନ୍ଧିତ ଖବର