+୨ ଓ ମାଟ୍ରିକ ପରୀକ୍ଷା ଉତ୍ତରଖାତାକୁ ଉଈ ଭୟ

ଭୁବନେଶ୍ୱର : ଅଧାରୁ ବନ୍ଦ ରହିଛି ଯୁକ୍ତ୨ ପରୀକ୍ଷା। ମାଟ୍ରିକ୍‌ ପରୀକ୍ଷା ସରିଥିଲେ ମଧ୍ୟ ଉତ୍ତରଖାତା ମୂଲ୍ୟାୟନ ଗୋଟିଏ ଦିନ ପରେ ବନ୍ଦ ହୋଇଯାଇଛି। ଉଭୟ ଯୁକ୍ତ ୨ ଓ ମାଟ୍ରିକ୍‌ ପରୀକ୍ଷାର ସରିଥିବା ବିଷୟଗୁଡ଼ିକର ଖାତା ଏବେ ମୂଲ୍ୟାୟନ କେନ୍ଦ୍ରରେ ରହିଛି। ସେଗୁଡ଼ିକ ସୁରକ୍ଷିତ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏବେ ମେ’ ୩ ଯାଏ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ତେଣୁ ପାଖାପାଖି ଦେଢ଼ ମାସ ଧରି ଗୋଟିଏ ଘର ଭିତରେ ଉତ୍ତର ଖାତା ରହିବା ଫଳରେ ସେଥିରେ ଉଈ ଲାଗିବାର ଭୟ ରହିଛି। ତା’ ସାଙ୍ଗକୁ କିଛି ଦିନ ହେଲା ସାରାରାଜ୍ୟରେ ବର୍ଷା, ପବନ ଲାଗି ରହିଥିବାରୁ ଖାତାଗୁଡ଼ିକର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଯୁକ୍ତ୨ର ଅଳ୍ପ କିଛି ବିଷୟକୁ ଛାଡ଼ି ଅଧିକାଂଶ ବିଷୟର ପରୀକ୍ଷା ଶେଷ ହୋଇଛି। ପାଖାପାଖି ୨୦ଲକ୍ଷ ଉତ୍ତର ଖାତା ଏବେ ରାଜ୍ୟର ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ରହିଛି। ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଅଧିକାଂଶ ବିଷୟର ଉତ୍ତରଖାତା ଏବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ୱର କାର୍ଯ୍ୟାଳୟ‌‌‌ରେ ରହିଛି। ସେଗୁଡ଼ିକ ସ୍କାନିଂ ହେବା ପରେ ଅନ୍‌ଲାଇନ୍‌ରେ ମୂଲ୍ୟାୟନ ଆରମ୍ଭ ହେବ। ତେବେ କଳା ବିଭାଗର ଖାତାଗୁଡ଼ିକ ପୂର୍ବପରି ଅଫଲାଇନ୍‌ରେ ମୂଲ୍ୟାୟନ କରାଯିବ। ସ୍ଥିତି ସୁଧୁରିବା କ୍ଷଣି ଏ ଦିଗରେ ପଦକ୍ଷେପ ନିଆଯିବ। ସେହିପରି ଏଥର ମାଟ୍ରିକ୍‌ରେ ୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସେମାନଙ୍କର ୩୩ଲକ୍ଷରୁ ଅଧିକ ଉତ୍ତର ଖାତା ହେବ। ମାତ୍ର ଗୋଟିଏ ଦିନ ଖାତା ମୂଲ୍ୟାୟନ ହୋଇଥିବାରୁ ପ୍ରାୟ ୮ ହଜାର ଖାତା ଦେଖାହୋଇଛି। ଆହୁରି ଅନେକ ଖାତା ମୂଲ୍ୟାୟନ କେନ୍ଦ୍ରରେ ରଖାଯାଇଛି। ସେଗୁଡ଼ିକ ସୁରକ୍ଷିତ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ତେବେ ସ୍କୁଲରେ ଉଈ ଓ ପିମ୍ପୁଡ଼ିଙ୍କ ପ୍ରାଦୁର୍ଭାବ ହେଉଥିବାରୁ ଖାତାର ସୁରକ୍ଷା ନେଇ ଆଶଙ୍କା ଦେଖାଦେଇଛି।

ବଡ଼ କଥା ହେଉଛି ଯେ ସପ୍ତାହେ ହେଲା ରାଜ୍ୟରେ କାଳବୈଶାଖୀ ଲାଗି ରହିଛି। କେଉଁଠି ବର୍ଷା ପବନ ହେଉଛି ତ ଆଉ କେଉଁଠି ବଜ୍ରପାତ। ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହୁଥିବାରୁ ଉତ୍ତର ଖାତାରେ ଉଈ ଲାଗିବାର ସମ୍ଭାବନା ଅଧିକ ରହିଛି। ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ସମସ୍ତ ମୂଲ୍ୟାୟନ କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେ ସବୁ ପଦକ୍ଷେପ ନେଇଛୁ। ମୋଟ ୨୬ଲକ୍ଷ ଉତ୍ତର ଖାତାରୁ ୨୦ଲକ୍ଷ ଖାତା ଏବେ ମୂଲ୍ୟାୟନ ପାଇଁ ରହିଛି। ସେଥିମଧ୍ୟରୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପ୍ରାୟ ୮ଲକ୍ଷ ଉତ୍ତର ଖାତା ଇ-ମୂଲ୍ୟାୟନ ପାଇଁ ପରିଷଦ ନିକଟରେ ରହିଛି। ବର୍ତ୍ତମାନ ସମୟରେ ସେଗୁଡ଼ିକର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତିଦିନ କର୍ମଚାରୀମାନେ ଖାତାଗୁଡ଼ିକୁ ଯାଞ୍ଚ କରୁଛନ୍ତି। ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ଖାତାରେ ଉଈ ଲାଗିବା ନେଇ ଘଟଣା ସାମ୍ନାକୁ ଆସିନି। ଗାମାସ୍କିନ୍‌ ସମେତ ବିଭିନ୍ନ ପ୍ରକାର ଔଷଧ ସିଞ୍ଚନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ କହିବାନୁଯାୟୀ, ଉଭୟ ଶ୍ରେଣୀର ଉତ୍ତର ଖାତାକୁ ସୁରକ୍ଷିତ ଭାବେ ରଖାଯାଇଛି। ଯୁକ୍ତ୨ର ବାକି ଥିବା ପରୀକ୍ଷା ପ୍ରଶ୍ନପତ୍ରଗୁଡ଼ିକ ସୁରକ୍ଷିତ ରହିଛି। କୌଣସି ଅସୁବିଧା ହୋଇନି। ଏଥିପାଇଁ ମୂଲ୍ୟାୟନ କେନ୍ଦ୍ରର ସୁପେରିନ୍‌ଟେଣ୍ଡେଣ୍ଟଙ୍କୁ ସମସ୍ତ କ୍ଷମତା ଏବଂ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର