ସରିଲା ଯୁକ୍ତ୨ କଳା ଓ ବାଣିଜ୍ୟ ଖାତା ଦେଖା, ଜୁନ୍‌ ତୃତୀୟ ସପ୍ତାହରେ ଫଳ

ଭୁବନେଶ୍ବର : ଯୁକ୍ତ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋଇଛି। ସାଧାରଣ ନିର୍ବାଚନ, ଅଧ୍ୟାପକମାନଙ୍କ ଅସହଯୋଗ, ବାତ୍ୟା ‘ଫନି’ ପ୍ରଭାବ ପରେ ବି ତିନୋଟି ଯାକ ବିଭାଗର ମାନୁଆଲ ଖାତା ଦେଖା ସୁରୁଖୁରରେ ସରିଛି। କୌଣସି ସ୍ଥାନରେ କିଛି ବି ଅସୁବିଧା ହୋଇ ନାହିଁ। ଖାତା ଦେଖା ସରିଥିବାରୁ ଏବେ ପରୀକ୍ଷା ଫଳ ପ୍ରକାଶ ଦିଗରେ ଗୁରୁତ୍ବ ଦେଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।

ଗତବର୍ଷ ଜୁନ୍‌ ୯ରେ ଉକ୍ତ ତିନୋଟି ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥର କିନ୍ତୁ ଗୋଟିଏ ସପ୍ତାହ ବିଳମ୍ବ ହେବ। ଜୁନ୍‌ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି ବିଜ୍ଞାନ ବିଭାଗ ଫଳ ପ୍ରକାଶ ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ଦ୍ବିତୀୟ ସପ୍ତାହ ଅର୍ଥାତ୍‌ ଜୁନ୍‌ ୧୪ ଭିତରେ ରେଜଲ୍ଟ ପ୍ରକାଶ ପାଇବ ନାହିଁ। ଆହୁରି ବିଳମ୍ବ ହେବ ବୋଲି ଜଣାପଡ଼ିଛି। ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଥିବାରୁ ସେମାନଙ୍କ ମାର୍କସିଟ୍‌ ଓ ସାର୍ଟିଫିକେଟ୍‌ ପ୍ରଦାନ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରାଥମିକତା ଦେଉଛି। ଆଗକୁ ମେଡିକାଲ, ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ହେବାକୁ ଥିବାରୁ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କର ସାର୍ଟିଫିକେଟ୍‌ ଆବଶ୍ୟକତା ଅଧିକ ରହିଛି। ତେଣୁ ଜୁନ୍‌ ୧୭ ସୁଦ୍ଧା ବିଦ୍ୟାଳୟଗୁଡ଼ିକରେ ସାର୍ଟିଫିକେଟ୍‌ ପହଞ୍ଚାଯିବ। ତେଣୁ ଏହି ସମୟ ମଧ୍ୟରେ ଉକ୍ତ ୩ଟି ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇପାରିବ ନାହିଁ।

ପରିଷଦର ଜଣେ ଅଧିକାରୀ କହିଛନ୍ତି ଯେ ଅଧ୍ୟାପକମାନେ ସହଯୋଗ କରିବାରୁ ଖାତା ମୂଲ୍ୟାୟନ ସୁଚାରୁରୂପେ ହୋଇଥିଲା। ଏବେ ପ୍ରୋସେସିଂ କାର୍ଯ୍ୟ ଜାରି ରହିଛି। କିଛି ପିଲାଙ୍କ ରୋଲ ନମ୍ବର, ‌ପଞ୍ଜୀକରଣ ନମ୍ବର, ଖାତା ସେଟ୍‌ ଆଦି ଲେଖିବାରେ ତ୍ରୁଟି ହୋଇଛି। ସେଗୁଡ଼ିକୁ ପୁଣିଥରେ ଯାଞ୍ଚ ହେଉଛି। ୩ରୁ ୪ଦିନ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ଏହାର ୪ ଦିନ ପରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଅର୍ଥାତ୍‌ ଜୁନ୍‌ ୧୮ରୁ ୨୧ ତାରିଖ ମଧ୍ୟରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷାର୍ଥୀଙ୍କ ଫଳ ପ୍ରକାଶ ପାଇବ ବୋଲି ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର