ଯୁକ୍ତ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫଳ ଆସନ୍ତାକାଲି (ଜୁନ୍‌ ୨୧)ରେ ପ୍ରକାଶ ପାଇବ। ଭୁବନେଶ୍ବର ଜୟଦେବ ଭବନ ପରିସରରେ ଥିବା ଗୀତଗୋବିନ୍ଦ ସଦନରେ ଅପରାହ୍‌ଣ ୩ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଏହାପରେ ପରୀକ୍ଷାର୍ଥୀମାନେ ‘www.chseodisha.nic.in’ ଓ ‘www.orissaresults.nic.in’ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ। ରେଜଲ୍ଟ ଜାଣିବା ଲାଗି ପରୀକ୍ଷାର୍ଥୀଙ୍କୁ ରୋଲ ନମ୍ବର ଓ ରେଜିଷ୍ଟ୍ରେସନ୍‌ ନମ୍ବରର ଆବଶ୍ୟକତା ରହିଛି। ୱେବସାଇଟ୍‌ରେ ଉଭୟ ନମ୍ବର ଦାଖଲ ନ କଲେ ପରୀକ୍ଷା ଫଳ ବାହାରିବ ନାହିଁ ବୋଲି ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଚଳିତବର୍ଷ କଳାରେ ୨ଲକ୍ଷ ୩୫ ହଜାର ୧୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୨୭ହଜାର ଓ ଧନ୍ଦାମୂଳକ ଶିକ୍ଷାରେ ମାତ୍ର ୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଜୁନ୍‌ ୩ରେ ପ୍ରକାଶ ପାଇଥିବା ବିଜ୍ଞାନ ବିଭାଗ ପାସ୍‌ହାର ହ୍ରାସ ପାଇଥିଲା। ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବା, କପି ଯାଞ୍ଚକୁ କଡ଼ାକଡ଼ି କରିବା ଦ୍ବାରା ପାସ୍‌ହାର କମିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ ଓ ପରିଷଦର ଅଧିକାରୀମାନେ କହିଥିଲେ। ତେଣୁ ବିଜ୍ଞାନ ପରି କଳା ଓ ବାଣିଜ୍ୟ ବିଭାଗରେ ବି ଅନୁରୂପ ଭାବେ ପାସ୍‌ହାର କମିବ ବୋଲି ଏବେ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର