ଏ ମାସରେ ବାହାରିବନି ଯୁକ୍ତ୨ କଳା ପରୀକ୍ଷା ଫଳ

ଭୁବନେଶ୍ୱର: ଅଗଷ୍ଟ ଶେଷ ସପ୍ତାହରେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ ନାହିଁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ର ଦୁଇ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ପରୀକ୍ଷା ଫଳ ପ୍ରସ୍ତୁତିରେ ସମସ୍ୟା ଉପୁଜିଛି। ଯେଉଁଥିପାଇଁ ପରୀକ୍ଷା ଫଳ ପ୍ରକାଶରେ କିଛି ଦିନ ବିଳମ୍ବ ହେବ। ତେବେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଉକ୍ତ ଦୁଇ ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ ପରିଷଦର ପରୀକ୍ଷା ସେକ୍ସନ୍‌ରୁ ଦୁଇ କର୍ମଚାରୀ କରେନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତକାଲିଠାରୁ ଏହି ସେକ୍ସନ୍‌କୁ ବନ୍ଦ କରାଯାଇଛି। ବିଶୋଧନ ହୋଇଛି। କମ ସଂଖ୍ୟକ କର୍ମଚାରୀ ଆଜି ଅଫିସକୁ ଆସିଥିବାରୁ ପରୀକ୍ଷା ଫଳ ପ୍ରସ୍ତୁତି କାର୍ଯ୍ୟ ପ୍ରଭାବିତ ହୋଇଛି। ସୂଚନାଯୋଗ୍ୟ ଯେ ଚଳିତବର୍ଷ ୨ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ କଳା ଓ ୭ ହଜାର ୭୫୦ ଛାତ୍ରଛାତ୍ରୀ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେଇଛନ୍ତି। ଗତ ୧୨ ତାରିଖରେ ବିଜ୍ଞାନ ଓ ୧୯ ତାରିଖରେ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ମାସ ଶେଷ ସପ୍ତାହରେ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ।

ସମ୍ବନ୍ଧିତ ଖବର