ସାମ୍‌ସରେ ହେବ ଯୁକ୍ତ୨ ଦୂରଶିକ୍ଷା ପାଠ୍ୟକ୍ରମ ନାମଲେଖା

ଭୁବନେଶ୍ୱର : ଦୂରଶିକ୍ଷା ପାଠ୍ୟକ୍ରମ(କରସ୍‌ପଣ୍ଡେଣ୍ଟସ୍‌ କୋର୍ସ)ରେ ଯୁକ୍ତ୨ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ନାମଲେଖା ଓ ଫର୍ମ ପୂରଣ ଲାଗି ଆଉ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଏଣିକି ସାମ୍‌ସ ମାଧ୍ୟରେ ନାମଲେଖା ପ୍ରକ୍ରିୟା କରାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଓ ସିଏଚ୍‌ଏସ୍‌ଇ ମଧ୍ୟରେ ଆଲୋଚନା ସରିଛି। ଚଳିତବର୍ଷଠାରୁ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ସୁନ୍ଦରଲାଲ୍‌ ସିଲ୍‌ କହିଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ୧୨ରୁ ୧୫ ହଜାର ଛାତ୍ରଛାତ୍ରୀ ଦୂରଶିକ୍ଷାରେ ନାମଲେଖାଇଥାନ୍ତି। ନିୟମିତ ଭାବେ କ୍ଲାସ କରିପାରୁ ନ ଥିବାରୁ ସେମାନେ ଘରେ ରହି ଶିକ୍ଷା ଗ୍ରହଣ କରନ୍ତି। ନାମଲେଖା ଫର୍ମ ପୂରଣ ସମୟରେ ସେମାନେ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟକୁ ଆସିଥାନ୍ତି।

ଅନ୍ୟପକ୍ଷରେ ୩୦ ବର୍ଷ ପୁରୁଣା ସିଏଚ୍‌ଏସ୍‌ଇ ଆଇନରେ ସଂଶୋଧନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଗତ ମାସରେ ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ସିଏଚ୍‌ଏସ୍‌ଇ ରହିଥିବାରୁ ଏଥର ସମସ୍ତ ନିୟମ ଓ ଆଇନ ସେହି ଅନୁଯାୟୀ ହୋଇଛି। ତେଣୁ ଏବେ ଏଥିରେ ସଂଶୋଧନ କରିବାକୁ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର୍ର ଚୂଡ଼ାନ୍ତ ରୂପରେଖ ପ୍ର୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର