ଯୁକ୍ତ ୨ ନାମଲେଖା ପାଇଁ କଟ୍‌ଅଫ୍‌ ମାର୍କ ତାଲିକା ପ୍ରକାଶ: ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା କଲେଜ ଶୀର୍ଷରେ

କଳାରେ କୃଷ୍ଣପ୍ରସାଦ କଲେଜ ଶୀର୍ଷରେ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ  ଯୁକ୍ତ ୨ ନାମଲେଖା ପାଇଁ କଟ୍‌ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇଛି। ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଓ କଳାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ  କଣ୍ଡାଖାଇ ହାୟର ସେକେଣ୍ଡାରି ସ୍କୁଲ ଶୀର୍ଷରେ ରହିଛି। ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୪.୩୩% ସହ ରେଭେନ୍ସା ଜୁନିଅର ମହାବିଦ୍ୟାଳୟ ଶୀର୍ଷରେ ରହିଛି। ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଦ୍ୱିତୀୟ ଓ ୯୩% କଟଅଫ୍‌ ସହ ଭୁବନେଶ୍ୱର ବିଜେବି କଲେଜ ତୃତୀୟ ସ୍ଥାନରେ ଥିବା ଜଣାପଡ଼ିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଯୁକ୍ତ୨ ନାମଲେଖାଇବା ପାଇଁ ଆବେଦନ କରିଥିଲେ ୪,୮୦,୭୦୪ ଛାତ୍ରଛାତ୍ରୀ। ୪,୦୪,୪୦୦ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। କଳାରେ ୨,୪୯,୭୧୩ ଜଣ ଇଣ୍ଟିମେସନ ପାଇଥିବାବେଳେ ବିଜ୍ଞାନରେ ୧,୧୭,୬୫୩ ଜଣ ଇଣ୍ଟିମେସନ ପାଇଛନ୍ତି। ସେହିଭଳି ବାଣିଜ୍ୟରେ ୪୫,୩୩୨ ଜଣ ଛାତ୍ରଛାତ୍ରୀ ଇଣ୍ଟିମେସନ ପାଇଛନ୍ତି। ସଂସ୍କୃତ ରେ ୧୩,୨୬୮ ଓ ଧନ୍ଦାମୂଳକରେ ୧୦,୨୩୨ ଜଣଙ୍କୁ ଇଣ୍ଟିମେସନ ମିଳିଛି। ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା। ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନାମଲେଖା ଜାରି ରହିବ। ତେବେ ବନ୍ୟା ସ୍ଥିତିକୁ ଦେଖି ନାମଲେଖା ଅବଧି ବଢ଼ିପାରେ।

ସେହିପରି  ଯୁକ୍ତ ୨ ବାଣିଜ୍ୟରେ ୮୪.୧୭% ମାର୍କ ସହ ରେଭେନ୍ସା ଶୀର୍ଷରେ ରହିଛି। ୮୦.୬୭% ମାର୍କ ସହ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ୨ୟ ସ୍ଥାନରେ ଥିବା ବେଳେ ୭୯.୮୩% କଟଅଫ୍‌ ମାର୍କ ସହ ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛି।

କଳାରେ ସର୍ବାଧିକ ୮୩.୫୦% ସହ ପୁରୀର କଣ୍ଡାଖାଇ ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି। ଦ୍ୱିତୀୟରେ ୮୩.୩୩% ସହ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଥିବା ବେଳେ ତୃତୀୟରେ ୮୩.୧୭% ସହ କଟକ ନରସିଂହପୁର ହାୟର ସେକେଣ୍ଡାରୀ ସ୍କୁଲ ଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର