ଯୁକ୍ତ ୨ ଶିକ୍ଷାନୁଷ୍ଠାନଗୁଡ଼ିକର ପୃଥକୀକରଣ କାର୍ଯ୍ୟ ତ୍ବରାନ୍ବିତ କର: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ଯୁକ୍ତ-୨ ଶିକ୍ଷାକୁ ଉଚ୍ଚଶିକ୍ଷା ବିଭାଗରୁ ଅଲଗା କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ମିଶ୍ରଣ କରାଯାଇଛି। ଅଥଚ ଏହି କାର୍ଯ୍ୟ ବିଳମ୍ବ ହେଉଛି। ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏକ ଭର୍ଚୁଆଲ ବୈଠକ କରି ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି, କିଛି ସ୍ଥାନରେ ଯୁକ୍ତ-୨ କଲେଜ ଡିଗ୍ରି କଲେଜଠାରୁ ପୃଥକ ଭାବେ କାର୍ଯ୍ୟ କରୁଛନ୍ତି। ଉଚ୍ଚଶିକ୍ଷା ବିଭାଗର ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ଯେଉଁମାନେ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ପର୍ଯ୍ୟାୟକ୍ରମେ ଉଚ୍ଚଶିକ୍ଷା ବିଭାଗକୁ ଫେରେଇ ଅଣାଯିବ। ଏହାରି ଭିତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦବି ପୂରଣ ପାଇଁ ପଦକ୍ଷେପ ନେବେ। ଖୁବଶୀଘ୍ର ଏ ନେଇ ଅର୍ଥ ବିଭାଗ ସହିତ ମିଳିତ ବୈଠକ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ଯୁକ୍ତ-୨ ଓ ଡିଗ୍ରି କଲେଜ୍‌ର ଜମିଜମା କାଗଜପତ୍ରଗୁଡ଼ିକୁ ବି ଅଲଗା କରାଯିବ।

ଭର୍ଚୁଆଲ୍‌ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର