ଭୁବନେଶ୍ବର : ଜାନୁଆରି ୨୭ରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ହାତରେ ଆଉ ମାତ୍ର ୧୦ ଦିନ ବାକି ଥିବା ବେଳେ ପରୀକ୍ଷା ପରିଚାଳନାକୁ ନେଇ ମାନସମନ୍ଥନ ଜାରି ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଦୁଇ ଦିନ ହେଲା ପରୀକ୍ଷା ପରିଚାଳନା କମିଟିର ଘନଘନ ବୈଠକ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କେନ୍ଦ୍ର ତାଲିକା ଚୂଡ଼ାନ୍ତ ହୋଇପାରି ନାହିଁ। ଶତାଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ନୂତନ ପରୀକ୍ଷା କେନ୍ଦ୍ର କରିବାକୁ ଆବେଦନ କରିଥିବାରୁ ତାହାର ଭିତ୍ତିଭୂମି ଯାଞ୍ଚ କରିବା ଏବେ ପରିଷଦ ପାଇଁ ବଡ଼ ଆହ୍ବାନ ହୋଇଛି। ତଥାପି ପାଖାପାଖି ୧୧୦୦ ପରୀକ୍ଷା କେନ୍ଦ୍ର କରିବାକୁ ଏକପ୍ରକାର ନିଷ୍ପତ୍ତି ହୋଇଛି। ୨୦୧୯ରେ ୧୦୯୪ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ଏଥର ଆଉ ୪ରୁ ୫ଟି ଅଧିକ ଯୋଡ଼ାଯିବ। ଅଭିଯୋଗ ଆସିଥିବା କିଛି କଲେଜକୁ ଏଥର ପରୀକ୍ଷା କେନ୍ଦ୍ରରୁ ବାଦ୍ ଦିଆଯାଇଛି।
ପରୀକ୍ଷା କେନ୍ଦ୍ରର ଦୂରତା ଅଧିକ ରହୁଥିବାରୁ ଗତ କିଛି ବର୍ଷ ହେଲା ବିଭିନ୍ନ ସମୟରେ ଅଭିଭାବକ ଓ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସେଥିପାଇଁ ପରୀକ୍ଷା କେନ୍ଦ୍ର ମଧ୍ୟରେ ଦୂରତା କମାଇବାକୁ ବାରମ୍ବାର ଦାବି ହେଉଛି। ଏନେଇ ପରୀକ୍ଷା ପରିଚାଳନା କମିଟି ବୈଠକରେ ବି ଆଲୋଚନା ହୋଇଛି। ଅଧିକାଂଶ ପରୀକ୍ଷା କେନ୍ଦ୍ରର ଦୂରତା ୧୦ରୁ ୨୦ କିମି ରଖିବାକୁ ସ୍ଥିର ହୋଇଛି। ପାହାଡ଼ିଆ ତଥା ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ନିକଟରେ ବିଦ୍ୟାଳୟ ନ ଥିବାରୁ ସେଠାରେ ପରୀକ୍ଷା କେନ୍ଦ୍ର ଦୂରତା ୩୦ କିମିରୁ ଅଧିକ ରଖାଯିବ। ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ହେବ। ଯେଉଁଠି ପରୀକ୍ଷା କେନ୍ଦ୍ର ହେବ ତାହା ଚାରିପାଖରେ ପାଚେରି ରହିଥିବ। ସେଠାରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବେ। ଶୌଚାଳୟ ବ୍ୟବସ୍ଥା ଥିବ। ଶ୍ରେଣୀଗୃହଗୁଡ଼ିକ ଉନ୍ନତମାନର ହୋଇଥିବ। ଚେୟାର, ଟେବୁଲ୍ ଆଦି ଠିକ୍ ରହିଥିବ। ବାହାର କଲେଜ ଟ୍ୟାଗ୍ ହୋଇପାରୁଥିବ ଆଦି ବିଷୟଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି। ସେହି ଅନୁଯାୟୀ ୧୦୯୯ଟି ପରୀକ୍ଷା କେନ୍ଦ୍ର ଚିହ୍ନଟ ହୋଇସାରିଛି। ତେବେ ୨ରୁ ୩ଟି ପରୀକ୍ଷା କେନ୍ଦ୍ରରେ ସାମାନ୍ୟ ପରିବର୍ତନ କରାଯିବାର ସମ୍ଭାବନା ରହିଥିବା କମିଟିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ପୂର୍ବବର୍ଷଗୁଡ଼ିକ ପରି ଏଥର ମଧ୍ୟ ଘରୋଇ ଶିକ୍ଷାନୁଷ୍ଠାନ ଭିତ୍ତିଭୂମିରେ ପରୀକ୍ଷା କରାଯିବ। ଭୁବନେଶ୍ବର ସମେତ ବ୍ରହ୍ମପୁର, କଟକ, ବାଲେଶ୍ବର ଓ ରାଉରକେଲାରେ ଅଧିକ ସଂଖ୍ୟକ ସେଲ୍ଫ ଫାଇନାନ୍ସିଂ କଲେଜ ରହିଛି। ତେଣୁ ଉକ୍ତ କଲେଜଗୁଡ଼ିକୁ ନିକଟସ୍ଥ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍ କରାଯିବ। ଯେଉଁ କଲେଜରେ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି ସେଠାରେ ଅଧିକ ସେଲ୍ଫ ଫାଇନାନ୍ସ କଲେଜକୁ ଟ୍ୟାଗ୍ କରାଯିବାକୁ ସ୍ଥିର ହୋଇଛି। ଏଥର ମଧ୍ୟ ୨୦୨ ହବ୍ ରଖିବାକୁ ଆଲୋଚନା ହୋଇଛି। ହବ୍ଗୁଡ଼ିକରେ ଲକର ସିଷ୍ଟମ, ସିସିଟିଭି କ୍ୟାମେରା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିବ। ଆସନ୍ତା ୨୭ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଥିବାରୁ ୨୪ ତାରିଖ ସୁଦ୍ଧା ପିଲାଙ୍କ ନିକଟରେ ଆଡମିଟ୍ କାର୍ଡ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାକ୍ଟିକାଲ ପରୀକ୍ଷା ଲାଗି ସମସ୍ତ କେନ୍ଦ୍ରକୁ ପ୍ରଶ୍ନପତ୍ର, ଉତ୍ତର ଖାତା, ମାର୍କ ଫଏଲ୍, ଏକ୍ସଟରନାଲ୍ଙ୍କ ତାଲିକା ୨୧ ତାରିଖଠାରୁ ପଠାଯିବ। ସେଲ୍ଫ ଫାଇନାନ୍ସି˚ କଲେଜଗୁଡ଼ିକ ସିସିଟିଭି ଲଗାଇବେ। ପରୀକ୍ଷାର ସମସ୍ତ ପ୍ରକ୍ରିୟାର ରେକର୍ଡିଂ କରାଯିବ। କଲେଜ କର୍ତ୍ତୃପକ୍ଷ ଭିଜୁଆଲ୍ଗୁଡ଼ିକୁ ପରିଷଦକୁ ପଠାଇବେ। ଯେଉଁ କଲେଜ ନାଁରେ ପରବର୍ତୀ ସମୟରେ ଅଭିଯୋଗ ଆସିବ ତାହାର ସିସିଟିଭି ଯାଞ୍ଚ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।