ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ସମ୍ପର୍କରେ ଆଜି ବି କୌଣସି ନିଷ୍ପତ୍ତି ନିଆଯାଇ ପାରି ନାହିଁ। ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ସମେତ ପରିଷଦର କର୍ମକର୍ତ୍ତାଙ୍କର ଏକାଧିକଥର ଆଲୋଚନା କରାଯାଇଛି। ତା’ ପରେ ବି କୌଣସି ନିଷ୍କର୍ସ ବାହାରି ନଥିବା ବେଳେ ଶିକ୍ଷାବିତ୍‌ମାନେ ଆଜି ନିଜର ମତାମତ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ପରୀକ୍ଷା ବାତିଲ୍‌ କରାଯିବାର ଆବଶ୍ୟକତା ରହିଥିବା ସେମାନେ କହିଛନ୍ତି। ଶୁକ୍ରବାର ଅଧିକାରୀମାନଙ୍କର ପୁଣିଥରେ ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

Advertisment

ଅନ୍ୟପକ୍ଷରେ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ କରିଥିବାରୁ ଯୁକ୍ତ୨ ପରୀକ୍ଷା ବାତିଲ୍‌ କରିବା ସହ ଶୀଘ୍ର ଫଳ ପ୍ରକାଶ କରିବା ଲାଗି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଚିଠି ଲେଖିଛନ୍ତି। ‌ଶ୍ରୀ ନୱାଜ୍‌ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ଭବିଷ୍ୟତକୁ ନଜରରେ ରଖି ସିବିଏସ୍‌ଇ, ସିଆଇଏସ୍‌ସିଇ ପରୀକ୍ଷା ବାତିଲ୍‌ କରିସାରିଛନ୍ତି। କେତେକ ରାଜ୍ୟ ବୋର୍ଡ ବି ଇତିମଧ୍ୟରେ ସେମାନଙ୍କ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ କରିଛନ୍ତି। ତେଣୁ ସାଢ଼େ ୩ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକ ଏବେ ଚିନ୍ତାରେ ଦିନ କାଟୁଛନ୍ତି। ସେମାନଙ୍କ ସ୍ବାର୍ଥକୁ ଆଖିରେ ରଖି ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତି ଜଣାନ୍ତୁ। ପରୀକ୍ଷା କରି ପିଲାଙ୍କ ଜୀବନକୁ ବିପଦରେ ନ ପକାନ୍ତୁ। ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ ପ୍ରଦାନ ଦିଗରେ ପଦକ୍ଷେପ ନିଆଯାଉ ବୋଲି ସେ ଦାବି କରିଛନ୍ତି।