ମାର୍ଚ୍ଚ ୨ରୁ ଯୁକ୍ତ୨ ପରୀକ୍ଷା! ନୂଆ ପରୀକ୍ଷା କେନ୍ଦ୍ର ପାଇଁ ଆବେଦନ କରିଛନ୍ତି ୩୦୦ କଲେଜ

ଭୁବନେଶ୍ବର: ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଯୁକ୍ତ୨ ଥିଓରି ପରୀକ୍ଷା। ଏହାର ଦେଢ଼ ମାସ ପୂର୍ବରୁ ଅର୍ଥାତ୍‌ ଜାନୁଆରି ତୃ୍ତୀୟ ସପ୍ତାହରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ତାହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି। ବିଧିବଦ୍ଧ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ମାର୍ଚ୍ଚ ୨ ତାରିଖଠାରୁ ଥିଓରି ପରୀକ୍ଷା‌ ଆରମ୍ଭ ହୋଇ ୩୦ ସୁଦ୍ଧା ଶେଷ କରିବାକୁ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ପ୍ରତିଥର ପରି ଏଥର ବି ଗୋଟିଏ ସମୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ହେବ। ଧନ୍ଦାମୂଳକ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମାର୍ଚ୍ଚ ୧୫ ପରେ ଆରମ୍ଭ କରିବାକୁ ଯୋଜନା ହୋଇଛି। ତେବେ ଆସନ୍ତା ତିନି ଦିନ ମଧ୍ୟରେ ପରିଷଦର ପରୀକ୍ଷା ପରିଚାଳନା କମିଟି ବୈଠକ ଡକାଯାଇ ଚୂଡ଼ାନ୍ତ ତାରିଖରେ ମୋହର ଲଗାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

www.india.com

ହାତରେ ଆଉ ଅଳ୍ପ ସମୟ ବାକି ଥିବାରୁ ପରୀକ୍ଷା କେନ୍ଦ୍ର ଚୟନ ଉପରେ ପରିଷଦ ଅଧିକ ଗୁରୁତ୍ବ ଦେଇଛନ୍ତି କର୍ତ୍ତୃପକ୍ଷ। ଗତବର୍ଷ କେତେକ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇ ନଥିଲା। ତେଣୁ ଏଥର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଯେତେ ବଡ଼ କଲେଜ ହେଲେ ମଧ୍ୟ ଯଦି ସିସିଟିଭି ଲଗାଇ ନ ଥିବେ ତେବେ ସେଠାରେ ପରୀକ୍ଷା କେନ୍ଦ୍ର ହେବ ନାହିଁ। ପରୀକ୍ଷା କେନ୍ଦ୍ର ଚୟନ‌ରେ ସ୍ବଚ୍ଛତା ଆଣିବା ସହ କପି ରୋକିବା ଦିଗରେ ଏକାଧିକ ପଦକ୍ଷେପ ନିଆଯାଇଛି। ନୂଆ ପରୀକ୍ଷା କେନ୍ଦ୍ର କରିବାକୁ ଚାହୁଁଥିବା କଲେଜ କର୍ତୃପକ୍ଷଙ୍କଠାରୁ ବି ଆବେଦନପତ୍ର ଗ୍ରହଣ କରାଯାଇଛି। ସେଲ୍ଫ ଫାଇନା‌ନ୍ସିଂ କଲେଜକୁ ଛାଡ଼ି ଗତ ୯ ତାରିଖ ସୁଦ୍ଧା ପାଖାପାଖି ୩୦୦ କଲେଜ ନିଜ କ୍ୟାମ୍ପସରେ ଥିଓରି ପରୀକ୍ଷା କେନ୍ଦ୍ର କରିବାକୁ ଆବେଦନ କରିଥିବା ଜଣାପଡ଼ିଛି। ଗତବର୍ଷ ପରୀକ୍ଷା କେନ୍ଦ୍ର ହୋଇଥିବା କେତେକ କଲେଜକୁ ଏଥର ବାଦ୍‌ ଦେବାକୁ ବି ଚିନ୍ତ‌ା କରାଯାଉଛି। ପରୀକ୍ଷା କେନ୍ଦ୍ର ଚୟନକୁ କଡ଼ାକଡ଼ି କରିବା ଲାଗି ଗାଇଡ୍‌ଲାଇନ୍‌ ଜାରି ହୋଇଛି। ୨୦୨୦ ବାର୍ଷିକ ପରୀକ୍ଷା ଦେବା ଲାଗି କଲେଜର କେତେଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି ତାହା ଜଣାଇବାକୁ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଥିଲା। ଏଥିସହ ୨୦୧୬-୧୭ରୁ ୨୦୧୮-୧୯ ପର୍ଯ୍ୟନ୍ତ ପରିଷଦର ସହବନ୍ଧନ ଚିଠି ଦାଖଲ କରିବା, ନିଜସ୍ବ ବିଲଡିଂ, କ୍ଲାସରୁମ୍‌ ଓ ସାମଗ୍ରୀର କଲର ଫଟୋ ଆଦିକୁ ସମ୍ପୂର୍ଣ୍ଣ ତଥ୍ୟ ସହ ଦେବାକୁ କୁହାଯାଇଥିଲା। ଏଥିସହ କଳା ଓ ବିଜ୍ଞାନ ବିଭାଗର ପ୍ରତ୍ୟେକ ଲାବରେଟୋରିର ଭିତର ଓ ବାହାର ଫଟୋ ଦାଖଲ, କ୍ୟାମ୍ପସର ଚାରିପାଖ ପାଚେରି ‌ଫଟୋ, ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ଥିବା ଫଟୋ, କଲେଜରେ ଥିବା ଶିକ୍ଷକ ଓ ଅଣଶିକ୍ଷକଙ୍କ ସମ୍ପୂର୍ଣ୍ଣ ତାଲିକା, ନିକଟରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(୨୦୧୯ରେ ପରୀକ୍ଷା କେନ୍ଦ୍ର ହୋଇଥିବ) ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମଗାଯାଇଥିଲା। ୩୦୦ରୁ ଅଧିକ କଲେଜ ଆବେଦନ କରିଥିବାରୁ ତାହାକୁ ବିଚାରକୁ ନିଆଯାଇ ପରୀକ୍ଷା କେନ୍ଦ୍ର ଚୟନ ‌କରାଯିବ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର