ଭୁବନେଶ୍ବର : ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି ଯୁକ୍ତ୨ ଖାତା ଦେଖା। ତା’ ସାଙ୍ଗକୁ ଅଧ୍ୟାପକଙ୍କ ଅସହଯୋଗ ଏବେ ସମସ୍ୟା ସୃଷ୍ଟି କରିଛି। ବିଭିନ୍ନ ଆଳ ଦେଖାଇ ଅଧ୍ୟାପକମାନେ ମୂଲ୍ୟାୟନ କେନ୍ଦ୍ରକୁ ଆସୁନାହାନ୍ତି। ଛୁଟିରେ ରହୁଛନ୍ତି। ଯେଉଁଥିପାଇଁ ନିର୍ଦ୍ଧାରିତ ସମୟରେ ଉତ୍ତର ଖାତା ମୂଲ୍ୟାୟନ ଓ ପରୀକ୍ଷା ଫଳ ପ୍ରକାଶ ନେଇ ଆଶଙ୍କା ପ୍ରକାଶ ପାଇଛି। ଗତ ଦୁଇ ଦିନ ହେଲା ଗୋଟିଏ ପରେ ଗୋଟିଏ ମୂଲ୍ୟାୟନ କେନ୍ଦ୍ରର ସ୍ଥିତି ପରଖିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦୃଷ୍ଟିକୁ ଏଭଳି ସମସ୍ୟା ଆସିଛି। ଯାହାକୁ ନେଇ ତତ୍ପରତା ପ୍ରକାଶ କରାଯାଇଛି। ତୁରନ୍ତ ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେବାକୁ ଅଧ୍ୟାପକମାନଙ୍କୁ କୁହାଯାଇଛି। ନ ହେଲେ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି।
ପରିଷଦ ପକ୍ଷରୁ କୁହାଯାଇଛି ଯେ ଗତ ଶୁକ୍ରବାର ପରିଷଦର ୬ଜଣ ଅଧିକାରୀ ମୂଲ୍ୟାୟନ କାର୍ଯ୍ୟର ତଦାରଖ ଲାଗି ୨୫ଟି ମୂଲ୍ୟାୟନ କେନ୍ଦ୍ର ପରିଦର୍ଶନ କରିଥିଲେ। ସେମାନେ ଦେଖିବାକୁ ପାଇଥିଲେ ଯେ ଅଧିକାଂଶ ଅଧ୍ୟାପକ ଓ ଅଧ୍ୟାପିକା ମୂଲ୍ୟାୟନରେ ଅନୁପସ୍ଥିତ ରହିଥିଲେ। କେତେଜଣ ଅଧ୍ୟାପକ ବିଭିନ୍ନ ଆଳ ଦେଖାଇ ଦରଖାସ୍ତ ଦେଇ ଅନୁପସ୍ଥିତ ରହିଥିବା ନଜରକୁ ଆସିଥିଲା। ନିର୍ବାଚନ ଓ ବାତ୍ୟା ଫନି ଗୁରୁତର ସମସ୍ୟା ସୃଷ୍ଟି କରିଥିବା ବେଳେ ସଠିକ୍ ସମୟରେ ଖାତାଦେଖା ଓ ଫଳ ପ୍ରକାଶ ଏବେ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା ଲାଗି ଉଦ୍ୟମ ଜାରି ରହିଥିବା ବେଳେ ଅଧ୍ୟାପକ ଓ ଅଧ୍ୟାପକଙ୍କ ଅନୁପସ୍ଥିତି ସମସ୍ୟା ସୃଷ୍ଟି କରିଛି। ପ୍ରାୟ ୪ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦିଅନ୍ତୁ ବୋଲି ଅନୁରୋଧ କରାଯାଇଛି।
ଅନ୍ୟପକ୍ଷରେ ଅସହ୍ୟ ଗରମରେ ଖାତା ଦେଖି ହେଉନଥିବା ଅଧ୍ୟାପକ ଓ ଅଧ୍ୟାପିକାମାନେ ଅଭିଯୋଗ କରିଛନ୍ତି। ବାତ୍ୟା ପ୍ରଭାବରେ ରାଜଧାନୀ ସମେତ ପୁରୀର ସବୁ ଅଞ୍ଚଳରେ ବିଜୁଳି ଆସିପାରିନି। ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ବିଦ୍ୟୁତ ସଂଯୋଗ କରାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲେ ବି ଗତକାଲି ଯାଏଁ ଭୁବନେଶ୍ବରର ବିଜେବି କଲେଜକୁ ସଂଯୋଗ ଦିଆଯାଇନି। ପୁରୀକୁ ବି ସଂଯୋଗ ହୋଇପାରିନି। ରାଜଧାନୀରେ ମାନୁଆଲ କେନ୍ଦ୍ରଗୁଡ଼ିକ ଅପେକ୍ଷା ଇ-ମୂଲ୍ୟାୟନ କେନ୍ଦ୍ରରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ବିଦ୍ୟୁତ୍ ନାହିଁ କି ଇଣ୍ଟରନେଟ୍ ସଂଯୋଗ ନାହିଁ। କେମିତି ଖାତା ଦେଖା ହେବ ବୋଲି ମୂଲ୍ୟାୟନକାରୀମାନେ ପ୍ରଶ୍ନ କରିଛନ୍ତି। କେତେକ ସ୍ଥାନରେ ଆବଶ୍ୟକୀୟ ସୁବିଧା ନଥିବାରୁ ଖାତା ନଦେଖି ଅଧ୍ୟାପକମାନେ ଘରକୁ ଫେରିଯାଉଥିବା ଦେଖିବାକୁ ମିଳିଛି। ତେବେ ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ବାତ୍ୟା ଯୋଗୁଁ ଯେଉଁ ସବୁ ମୂଲ୍ୟାୟନ କେନ୍ଦ୍ର ବନ୍ଦ ରହିଛି, ସେଠାରେ ବିଜୁଳି ଓ ଇଣ୍ଟରନେଟ୍ ସଂଯୋଗ ଉପରେ ପ୍ରାଥମିକତା ଦିଆଯାଉଛି। ତୁରନ୍ତ ଖୋଲିବାକୁ ବ୍ୟବସ୍ଥା ହେଉଛି। କେନ୍ଦ୍ର ଖେଲା ଥାଇ ମଧ୍ୟ ଯେଉଁ ଅଧ୍ୟାପକ ଓ ଅଧ୍ୟାପିକାମାନେ ମୂଲ୍ୟାୟନ କାର୍ଯ୍ୟରେ ଯୋଗ ଦେଉନାହାନ୍ତି, ସେମାନଙ୍କ ନାମ ତାଲିକା ସରକାରଙ୍କ ନିକଟକୁ କାର୍ଯ୍ୟାନୁଷ୍ଠାନ ଲାଗି ପଠାଯିବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।