ବିଳମ୍ବ ହେବ ଯୁକ୍ତ୨ ଖାତାଦେଖା! : ମୂଲ୍ୟାୟନ କେନ୍ଦ୍ର ପାଇଁ ସ୍ଥାନ ମିଳୁନି, ୫୮ କେନ୍ଦ୍ର ମଧ୍ୟରୁ ୧୫ଟିରେ ସମସ୍ୟା, ଉତ୍ତର ଖାତା ସ୍କାନିଂ ଆରମ୍ଭ

ଭୁବନେଶ୍ବର : ଦୁଇ ଦିନ ପରେ ସରିବ ଯୁକ୍ତ୨ ପରୀକ୍ଷା। ପ୍ରମୁଖ ବିଷୟଗୁଡ଼ିକର ପରୀକ୍ଷା ଶେଷ ହୋଇଛି। ଅଳ୍ପ କିଛି ବିଷୟ ବାକି ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ମୂଲ୍ୟାୟନ କେନ୍ଦ୍ର ସ୍ଥିର ହୋଇପାରୁ ନାହିଁ। ବିଗତ ବର୍ଷ ପରି ଏଥର ୫୮ଟି ମୂଲ୍ୟାୟନ କେନ୍ଦ୍ର କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚିହ୍ନଟ ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ସମସ୍ୟା ସୃଷ୍ଟି ହୋଇଛି। ଏପ୍ରିଲ ପ୍ରଥମ ସପ୍ତାହରୁ ଖାତା ଦେଖା ଆରମ୍ଭ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ବେଳେ ସାଧାରଣ ନିର୍ବାଚନ ପରିଚାଳନା ଏଥି‌ରେ ସମସ୍ୟା ସୃଷ୍ଟି କରିଛି। ଯେଉଁଠି ମୂଲ୍ୟାୟନ କେନ୍ଦ୍ର ସ୍ଥିର ହୋଇଥିଲା, ସେଠାରେ ଇଭିଏମ୍‌ ମେସିନ୍‌ ରଖିବାକୁ ଜିଲ୍ଲାପାଳମାନେ ପଦକ୍ଷେପ ନେଇଛନ୍ତି। ସେଥିପାଇଁ ଯୁକ୍ତ୨ ଖାତାଦେଖା ବିଳମ୍ବ ହେବାର ଆଶଙ୍କା ପ୍ରକାଶ ପାଇଛି।

ମାର୍ଚ୍ଚ ୩୦ରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ପରୀକ୍ଷା ସରିବା ପରେ ଏପ୍ରିଲ ୩ରୁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଉତ୍ତର ଖାତା ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ନେଇଥିଲା ପରିଷଦ। ଏଥିପାଇଁ ୫୮ଟି ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ୩୨ଟି କେନ୍ଦ୍ରରେ ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ ଖାତାଦେଖା ହେବାର ସ୍ଥିର କରାଯାଇଥିଲା। ‌ତାହାକୁ ଦୃଷ୍ଟିରେ ରଖି ଇତି ମଧ୍ୟରେ ଅନ୍‌ଲାଇନ୍‌ ମୂଲ୍ୟାୟନ ହେବାକୁ ଥିବା ବିଜ୍ଞାନ ଓ ବାଣିଜ୍ୟ ବିଭାଗର ବିଭିନ୍ନ ବିଷୟ ଉତ୍ତର ଖାତା ସ୍କାନିଂ ଆରମ୍ଭ ହୋଇଯାଇଛି। କଳା ବିଭାଗର କିଛି ବିଷୟର ଉତ୍ତର ଖାତା ଅନ୍‌ଲାଇନ୍‌ରେ ଦେଖା ହେବାକୁ ଥିବାରୁ ତାହାର ମଧ୍ୟ ସ୍କାନିଂ କରାଯାଉଛି।ସବୁ ପ୍ରକ୍ରିୟା ଠିକ୍‌ଠାକ୍‌ ଚାଲିଥିବା ବେଳେ ସାଧାରଣ ନିର୍ବାଚନ ପରିଚାଳନା ଏଥିରେ ପ୍ରତିବନ୍ଧକ ସାଜିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ଯେଉଁଠି ମୂଲ୍ୟାୟନ କେନ୍ଦ୍ର ହେବାକୁ ଥିଲା, ସେହି ସ୍ଥାନକୁ ଜିଲ୍ଲାପାଳମାନେ ନିଜ କବ୍‌ଜାକୁ ନେଇଯାଇଛନ୍ତି। ସେଠାରେ ଇଭିଏମ୍‌ ମେସିନ୍‌ ରଖାଯାଇଛି। ହଲ୍‌ଗୁଡ଼ିକ ତାଲା ପଡ଼ିଛି। ତେଣୁ ଏବେ ସେଠାରେ ମୂଲ୍ୟାୟନ କରିବା ସମ୍ଭବପର ହେଉନାହିଁ। ଉତ୍ତର ଖାତା, ମୂଲ୍ୟାୟନକାରୀ, କର୍ମଚାରୀମାନେ ପ୍ରସ୍ତୁତ ରହିଥିବା ବେଳେ ମୂଲ୍ୟାୟନ କେନ୍ଦ୍ର ନ ଥିବାରୁ ଉତ୍ତର ଖାତା ଦେଖିବାରେ ସମସ୍ୟା ଉପୁଜିଛି। କେନ୍ଦ୍ରାପଡ଼ା, ନୟାଗଡ଼ ସମେତ ଏବେ ସୁଦ୍ଧା ୧୫ଟି ମୂଲ୍ୟାୟନ କେନ୍ଦ୍ରକୁ ନିର୍ବାଚନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଛି। ସେଥିମଧ୍ୟରୁ ପ୍ରାୟ ୬ଟି ବିକଳ୍ପ ମୂଲ୍ୟାୟନ କେନ୍ଦ୍ର ସ୍ଥିର ହୋଇଛି। ବାକି ୯ଟି ପାଇଁ ଏବେ ସମସ୍ୟା ସୃଷ୍ଟି ହୋଇଛି। ଜିଲ୍ଲାପାଳମାନଙ୍କ ହାତରେ କ୍ଷମତା ରହିଥିବାରୁ ସେମାନେ ନିର୍ବାଚନକୁ ଗୁରୁତ୍ବ ଦେଉଛନ୍ତି। ଖାତା ଦେଖା କଥା ଚିନ୍ତା କରୁନାହାନ୍ତି। ‌ ତେଣୁ ଖାତା ଦେଖା ବିଳମ୍ବ ହୋଇପାରେ।

ପରିଷଦର ଜଣେ ଅଧିକାରୀ କହିଛନ୍ତି ଯେ ଏପ୍ରିଲ ମାସରେ ନିର୍ବାଚନ ହେବାକୁ ଥିବାରୁ ତାହାର ପ୍ରଭାବ ଯୁକ୍ତ୨ ଖାତା ମୂଲ୍ୟାୟନ ଉପରେ ପଡ଼ିବ। ମୂଲ୍ୟାୟନ କେନ୍ଦ୍ର ସମସ୍ୟା ହୋଇଥିବା ବେଳେ ଅଧ୍ୟାପକମାନେ ନିର୍ବାଚନରେ ଭାଗ ନେବାକୁ ଥିବାରୁ ମୂଲ୍ୟାୟନରେ ସାମିଲ ହେବା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ତାହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ଭିନ୍ନଭିନ୍ନ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ତେଣୁ ଯେଉଁ ଅଞ୍ଚଳରେ ଯେତେବେଳେ ଭୋଟ ଗ୍ରହଣ ହେବ, ସେଠାରେ ପ୍ରାୟ ୪ ଦିନ ପାଇଁ ଖାତା ଦେଖା ବନ୍ଦ କରିବାକୁ ପରିଷଦ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି।

ସମ୍ବନ୍ଧିତ ଖବର