ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ଥିଓରି ପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୯ ଜାନୁଆରି ୨୮ରୁ ଫେବ୍ରୁଆରି ୮ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ହେବ। ଥିଓରି ପରୀକ୍ଷା ମାର୍ଚ୍ଚ ୭ରୁ ଆରମ୍ଭ ହେବ। ପ୍ରତିଦିନ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ଥିଓରି ପରୀକ୍ଷାର ପ୍ରଥମ ଦିନ ତଥା ୭ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ମାତୃଭାଷା(ଓଡ଼ିଆ) ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ୮ ତାରିଖଠାରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ। କଳା ବିଭାଗର ପ୍ରଥମ ଦିନରେ ମାତୃଭାଷା(ଓଡ଼ିଆ) ବିଷୟର ପରୀକ୍ଷା ରହିଛି। ୯ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଓ ୧୧ ତାରିଖରେ କଳା ବିଭାଗର ଇଂରାଜୀ ବିଷୟ ପରୀକ୍ଷା ଅନୁଷ୍ଠିତ ହେବ।
ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଥିଓରି ପରୀକ୍ଷା ଚାଲିବ। ଇନ୍ଣ୍ଟିଗ୍ରେଟେଡ୍ ଭୋକେସନାଲ ଥିଓରି ପରୀକ୍ଷାଗୁଡ଼ିକ ପାଇଁ ଦୁଇ ଘଣ୍ଟା ସମୟ ରଖାଯାଇଛି। ଉକ୍ତ ବିଷୟଗୁଡ଼ିକର ପ୍ରାକ୍ଟିକାଲ ୩ ଘଣ୍ଟା ଧରି ହେବ। ଗତବର୍ଷ ଜୀବ ବିଜ୍ଞାନ(ପ୍ରାଣୀ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ) ବିଷୟକୁ ନେଇ ବିବାଦ ଦେଖାଦେଇଥିବାରୁ ଏଥର ଆଗୁଆ ପଦକ୍ଷେପ ନିଆଯାଇଛି। ପ୍ରାଣୀ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ବିଷୟ ପରୀକ୍ଷା ଗୋଟିଏ ଦିନରେ ହେବ। ଦୁଇ ବିଷୟ ମଧ୍ୟରେ ୨୦ ମିନିଟ୍ର ବିରତି ରହିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
୨୦୧୪-୧୭ ସିଲାବସ୍ ଅନୁଯାୟୀ ୨୦୧୫ ପର୍ଯ୍ୟନ୍ତ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ହଳଦିଆ ରଙ୍ଗର ପ୍ରଶ୍ନପତ୍ର କରାଯିବ। ୨୦୧୬ରେ ନାମ ପଞ୍ଜୀକରଣ କରିଥିବା ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଧଳା ରଙ୍ଗର ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। ରେଗୁଲାର ଓ ଏକ୍ସ-ରେଗୁଲାର ପିଲାଙ୍କ ପାଇଁ ଇଂରାଜୀ ବିଷୟର ପ୍ରଶ୍ନପତ୍ର ସମାନ ରହିବ। ଯଦି କୌଣସି ସ୍ଥାନରେ ତ୍ରୁଟି ପରିଲକ୍ଷିତ ହୁଏ ତେବେ ତୁରନ୍ତ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି।
ଜାନୁଆରି ୨୮ରୁ ଫେବ୍ରୁଆରି ୮ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ଚାଲିବ। ବିଜ୍ଞାନ ବିଭାଗର ୯ଟି ବିଷୟ, କଳା ବିଭାଗର ୮ଟି ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ବାଣିଜ୍ୟ ବିଭାଗ ପରୀକ୍ଷାର୍ଥୀଙ୍କ ପ୍ରକଳ୍ପ ମୂଲ୍ୟାୟନ ଓ ଭାଇବସ୍ ଶେଷ ହେବାର ୭ ଦିନ ମଧ୍ୟରେ ମାର୍କ ଫୁଏଲ ଓ ପ୍ରୋଜେକ୍ଟ ରିପୋର୍ଟ ପରିଷଦରେ ଦାଖଲ କରିବାକୁ କଲେଜଗୁଡ଼ିକୁ କୁହାଯାଇଛି। ପ୍ରାକ୍ଟିକାଲ ପରୀକ୍ଷା ସରିବା କ୍ଷଣି ସମସ୍ତ ଆବାସିକ କଲେଜଗୁଡ଼ିକ ପରୀକ୍ଷାର ଭିଡିଓ ଫୁଟେଜ୍ ଦାଖଲ କରିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି।