ଯୁକ୍ତ୨ ପରୀକ୍ଷା ବାତିଲ୍‌; ନିର୍ଦ୍ଧାରିତ ମାପଦଣ୍ଡ ଦ୍ବାରା ହେବ ମୂଲ୍ୟାୟନ, ମାର୍କରେ ସନ୍ତୁଷ୍ଟ ନ ହେଲେ ପରୀକ୍ଷା ଦେଇପାରିବେ

ଭୁବନେଶ୍ବର : ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ସିବିଏସ୍‌ଇ ବୋର୍ଡ ପଦାଙ୍କ ଅନୁସରଣ କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାକୁ ରାଜ୍ୟ ସରକାର ଆଜି ବାତିଲ୍‌ କରିଛନ୍ତି। ଏଥିସହ ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ପରିଷଦ ଦ୍ବାରା ନିର୍ଦ୍ଧାରିତ ମାପଦଣ୍ଡ ଦ୍ବାରା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ମୂଲ୍ୟାୟନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ଛାତ୍ରଛାତ୍ରୀ ମୂଲ୍ୟାୟନରେ ସନ୍ତୁଷ୍ଟ ନ ହୁଅନ୍ତି, ସେମାନେ ଚାହିଲେ ପରୀକ୍ଷା ଦେଇପାରିବେ। କରୋନା ପରିସ୍ଥିତିର ସମୀକ୍ଷା କରାଯାଇ ପରୀକ୍ଷା କେବେ କରାଯିବ ତାହା ପରିଷଦ ସ୍ଥିର କରିବ।

ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି ଯେ ଦେଶରେ କୋଭିଡ୍‌ର ଦ୍ବିତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ପିଲାଙ୍କ ପାଠପଢ଼ା ଓ ଲୋକଙ୍କର ଜୀବନଜୀବିକା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବର୍ତ୍ତମାନ ସମୟରେ‌ ଜୀବନ ଆଗ, ଆଉ ସବୁ ପଛ।

ଜୀବନ ସୁରକ୍ଷିତ ରହିଲେ, ଆଗକୁ ଅନନ୍ତ ସମ୍ଭାବନା ରହିବ। ସମାଜ ଓ ସଭ୍ୟତା ଆଗକୁ ବଢ଼ିବ। ତେଣୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତବର୍ଷର ବାର୍ଷିକ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଗଲା। ପିଲାମାନେ ହେଉଛନ୍ତି ଆମ ଦେଶ ଓ ଜାତିର ଭବିଷ୍ୟତ। ସେମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ହେଉଛି ପରୀକ୍ଷାଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ପରୀକ୍ଷା ହୋଇଥିଲେ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଓ ଅଭିଭାବକ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତେ। ତେଣୁ ଛାତ୍ର ସମାଜର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏପରି ସମ୍ବେଦନଶୀଳ ସମୟରେ ପରିସ୍ଥିତିକୁ ସମ୍ଭାଳିବାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରର ସଦସ୍ୟଙ୍କର ଉଦ୍ୟମ, ଦୃଢ଼ ମନୋବଳ ଓ ଧୈର୍ଯ୍ୟର ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର