ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ଓ ଇଚ୍ଛାଧୀନ ପରୀକ୍ଷା ଫଳ ପ୍ରକାଶ

ଇନ୍‌ଷ୍ଟାଣ୍ଟରେ ପାସ୍‌ହାର ୬୬.୩୦%, ଇଚ୍ଛାଧୀନ ପରୀକ୍ଷାରେ ୭୪.୨୮% ପାସ୍‌

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଇନ୍‍ଷ୍ଟାଣ୍ଟ ଓ ଇଚ୍ଛାଧୀନ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଅପରାହ୍‌ଣ ୫ଟା ୩୦ରେ ଉଭୟ ପରୀକ୍ଷା ଫଳ ପରିଷଦ କାର୍ଯ୍ୟାଳୟରେ ଘୋଷଣା କରାଯିବା ପରେ ସନ୍ଧ୍ୟା ୭ଟାରୁ www.orissaresults.nic.in ରେ ଫଳ ଉପଲବ୍ଧ ହୋଇଥିଲା। ଏଥିସହ ସାମ୍‌ସ ଇ‌-ସ୍ପେସ୍‌ରେ ବି ରେଜଲ୍ଟ ଛଡ଼ାଯାଇଥିଲା। ଇନ୍‌ଷ୍ଟାଣ୍ଟରେ ପରୀକ୍ଷା ଦେଇଥିବା ୧୩୮୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୧୯ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୬୬.୩୦% ହୋଇଛି। ଇଚ୍ଛାଧୀନ ପରୀକ୍ଷାର କଳା, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୧୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୮ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୭୪.୨୮% ହୋଇଛି। ପ୍ରଥମ ଶ୍ରେଣୀରେ ୨୬, ଦ୍ବିତୀୟରେ ୩୧ ଓ ତୃତୀୟ ଶ୍ରେଣୀରେ ୨୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଇନ୍‌ଷ୍ଟାଣ୍ଟ ପରୀକ୍ଷାର କଳା ବିଭାଗରେ ପରୀକ୍ଷା ଦେଇଥିବା ୩୫୫ ଜଣଙ୍କ ମଧ୍ୟରୁ ୨୮୭ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୦.୮୪% ହୋଇଛି। ୨୯ ଜଣ ପ୍ରଥମ, ୬୪ ଜଣ ଦ୍ବିତୀୟ ଓ ୧୯୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନ ବିଭାଗର ୮୪୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୨୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୬୨.୪୭% ହୋଇଛି। ୭୧ ଜଣ ପ୍ରଥମ, ୨୮୭ ଜଣ ଦ୍ବିତୀୟ, ୧୬୫ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୧୩୯ ଜଣଙ୍କ ମଧ୍ୟରୁ ୮୦ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୫୭.୫୫% ହୋଇଛି। ୧୦ ଜଣ ପ୍ରଥମ ଶ୍ରେଣୀ, ୨୫ ଜଣ ଦ୍ବିତୀୟ ଓ ୪୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଧନ୍ଦାମୂଳକ ଶିକ୍ଷା ବିଭାଗରେ ପରୀକ୍ଷା ଦେଇଥିବା ୫୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୫୨% ରହିଛି। ପ୍ରଥମ ଶ୍ରେଣୀରେ ୬, ଦ୍ବିତୀୟରେ ୧୩ ଓ ତୃତୀୟ ଶ୍ରେଣୀରେ ୭ ଜଣ ଉତ୍ତୀର୍ଣ୍ଣ ହୋଇଥିବା ପରିଷଦ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି।

ଇଚ୍ଛାଧୀନ ପରୀକ୍ଷାର କଳା ବିଭାଗରେ ପରୀକ୍ଷା ଦେଇଥିବା ୩୩ ଜଣଙ୍କ ମଧ୍ୟରୁ ୧୮ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୫୪.୧୪% ହୋଇଛି। ପ୍ରଥମ ଶ୍ରେଣୀରେ ୭ ଜଣ ପାସ୍‌ କରିଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୬ ଓ ତୃତୀୟ ଶ୍ରେଣୀରେ ୫ ଜଣ ରହିଛନ୍ତି। ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୬୦ ଜଣଙ୍କ ମଧ୍ୟରୁ ୫୨ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୬.୬୬% ହୋଇଛି। ୧୩ ଜଣ ପ୍ରଥମ, ୨୩ ଜଣ ଦ୍ବିତୀୟ ଓ ୧୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଧନ୍ଦାମୂଳକ ଶିକ୍ଷା ବିଭାଗରେ ପରୀକ୍ଷା ଦେଇଥିବା ୧୨ ଜଣଙ୍କ ମଧ୍ୟରୁ ୮ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୬୬.୬୭% ହୋଇଥିବା ବେଳେ ୬ ଜଣ ପ୍ରଥମ ଓ ୨ ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧିତ ଖବର