ଭୁବନେଶ୍ବର : ଜୁଲାଇ ୧୮ରୁ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନ୍ଷ୍ଟାଣ୍ଟ ପରୀକ୍ଷା। ଏଥିପାଇଁ ଆସନ୍ତା ୨୭ରୁ ଜୁଲାଇ ୧ ମଧ୍ୟରେ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଫର୍ମ ପୂରଣ କରିପାରିବେ। ଜୁଲାଇ ୨ ଓ ୩ରେ ପରୀକ୍ଷାର୍ଥୀ ଫି’ ଦାଖଲ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।
ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାର ପ୍ରଥମ ଦିନ ଅର୍ଥାତ୍ ଜୁଲାଇ ୧୮ରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଜୁଲାଇ ୧୯ ଓ ୨୦ରେ କଳା ଓ ବିଜ୍ଞାନ ବିଭାଗ, କଳା ଓ ବାଣିଜ୍ୟ ବିଭାଗର ଡିଷ୍ଟାଣ୍ଟସ୍ ଏଜୁକେସନ୍ ଛାତ୍ରଛାତ୍ରୀଙ୍କ ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ଯେଉଁ ପରୀକ୍ଷାର୍ଥୀ ପ୍ରାକ୍ଟିକାଲ ପରୀକ୍ଷାରେ ପାସ୍ କରିଥିବେ ସେମାନଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ବିନା ପ୍ରାକ୍ଟିକାଲ ବିଷୟରେ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ୫୨୦ ଟଙ୍କା ଫି’ ଦେବାକୁ ପଡ଼ିବ। ଫର୍ମ ପୂରଣ ସମୟରେ ପରୀକ୍ଷାର୍ଥୀଙ୍କୁ ମାର୍କସିଟ୍ର ଜେରକ୍ସ କପି ଓ ଗୋଟିଏ ପାସ୍ପୋର୍ଟ ସାଇଜ୍ ଫଟୋ ଦାଖଲ କରିବାକୁ ପଡ଼ିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଉତ୍ତର ଖାତାଗୁଡ଼ିକର ପୁନର୍ମୂଲ୍ୟାୟନ ଓ ପୁନଃଯାଞ୍ଚ ଲାଗି ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଜୁଲାଇ ୯ ଭିତରେ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଆବେଦନ କରିପାରିବେ। ମାଲ୍ପ୍ରାକ୍ଟିସ୍(ଏମ୍ପି) ଓ ପରୀକ୍ଷା ଫଳ ସ୍ଥଗିତ ଥିବା ଛାତ୍ରଛାତ୍ରୀ ପୁନଃଯାଞ୍ଚ ଓ ପୁନର୍ମୂଲ୍ୟାୟନ ଲାଗି ଆବେଦନ କରିପାରିବେ ନାହିଁ।