ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ୨୪ରେ ବିଜ୍ଞପ୍ତି

ଖାତା ପୁନଃଯାଞ୍ଚ ଲାଗି ୨୪ରୁ ଆବେଦନ, ଜୁଲାଇ ୭ରୁ କଲେଜରେ ମିଳିବ ସାର୍ଟିଫିକେଟ୍‌, ଜୁଲାଇ ୭ରୁ କଲେଜରେ ମିଳିବ ସାର୍ଟିଫିକେଟ୍‌

ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ବିଭାଗରେ କମ୍ପାଟମେଣ୍ଟାଲରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇରେ ପରୀକ୍ଷା କରାଯିବ। ତେବେ ଆସନ୍ତା ୨୪ ତାରିଖରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଛାତ୍ରଛତ୍ରୀ କେବେଠାରୁ ଫର୍ମ ପୂରଣ କରିବେ? କେବେ ପରୀକ୍ଷା ହେବ? କେ‌ତେ ପିଲା ପରୀକ୍ଷା ଦେବେ ସେନେଇ ସୋମବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ୍‌ରେ ଉପଲବ୍ଧ ହେବ।

ଖାତା ପୁନଃଯାଞ୍ଚ ଲାଗି ୨୪ରୁ ଆବେଦନ

ପୁନଃଯାଞ୍ଚ ତଥା ପୁନର୍ମୂଲ୍ୟାୟନ ଲାଗି ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯିବ। ବିଜ୍ଞପ୍ତି ପ୍ରକାଶ ପାଇବାର ୧୫ ଦିନ ମଧ୍ୟରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏହାର ସବିଶେଷ ତଥ୍ୟ ପରିଷଦ ୱେବସାଇଟ୍‌ରେ ଉପଲବ୍ଧ ହେବ ବୋଲି ଘୋଷଣା କରାଯାଇଛି।

ଜୁଲାଇ ୭ରୁ କଲେଜରେ ମିଳିବ ସାର୍ଟିଫିକେଟ୍‌

ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମାର୍କସିଟ୍‌, ସାର୍ଟିଫିକେଟ୍‌ ଜୁଲାଇ ୭ରୁ ସେମାନଙ୍କ କଲେଜରେ ମିଳିବ। ଛାତ୍ରଛାତ୍ରୀ ସେଠାରେ ନିଜର ପ୍ରମାଣପତ୍ର ଦେଖାଇ ସାର୍ଟିଫିକେଟ୍‌ ନେଇପାରିବେ। କଲେଜଗୁଡ଼ିକ ମଧ୍ୟ ସାମ୍‌ସ ଇ-ସ୍ପେସ୍‌ରୁ ପରୀକ୍ଷା ଫଳ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ କହିଛନ୍ତି।

ରାଗିଗଲେ ମନ୍ତ୍ରୀ

ଅପରାହ୍‌ଣ ୩ଟା ୩୦ରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ହେବାର ଥିଲା। ସେଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲା। ମନ୍ତ୍ରୀ ସମୀର ଦାଶ ପହଞ୍ଚିଥିଲେ ମଧ୍ୟ ପରୀକ୍ଷା ଫଳ ପୁସ୍ତିକା ପହଞ୍ଚିପାରି ନଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ପୁସ୍ତିକା ଉନ୍ମୋଚନ କରିବାକୁ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଅନୁରୋଧ କରିଥିଲେ। ତେବେ ପୁସ୍ତିକା ମଞ୍ଚରେ ପହଞ୍ଚି ନଥିଲା। ଯେଉଁଥିପାଇଁ ମନ୍ତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଥିଲା। ଶେଷରେ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଥିବା ଗୋଟିଏ ପୁସ୍ତିକାକୁ କେବଳ ମନ୍ତ୍ରୀ ଉନ୍ମୋଚନ କରିଥିଲେ। ପରବର୍ତୀ ସମୟରେ ପରୀକ୍ଷା ପୁସ୍ତିକା ପହଞ୍ଚିଲା ବେଳକୁ ସବୁ ସରିଯାଇଥିଲା। ଉତ୍ସବରେ ଏଭଳି ଅପ୍ରୀତିକର ପରିସ୍ଥିତିକୁ ନେଇ ମନ୍ତ୍ରୀ ଭୀଷଣ ରାଗିଯାଇଥିଲେ। ଏପରିକି ଉତ୍ସବ ସରିବା ପରେ ଅଧ୍ୟାପକ ସଂଘର ନେତାମାନେ ମନ୍ତ୍ରୀଙ୍କୁ ଭେଟି ପରୀକ୍ଷା ପରିଚାଳନାରେ ବାରମ୍ବାର ସୃଷ୍ଟି ହେଉଥିବା ବିଭ୍ରାଟ ବିଷୟରେ ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର