ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ, ପାସ୍‌ହାର ୭୪.୮୪%

ଭୁବ‌ନେଶ୍ବର : ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗରେ ମୋଟ ୭୯୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫୯୮ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୭୪.୮୪% ରହିଛି। ବାଣିଜ୍ୟ ବିଭାଗର ପାସ୍‌ହାର ସର୍ବାଧିକ ୮୭.୩୭% ଥିବା ବେଳେ କଳାରେ ୮୨.୬%, ବିଜ୍ଞାନରେ ୬୭.୭% ଓ ଧନ୍ଦାମୂଳକ ବିଭାଗରେ ୩୫.୭% ହୋଇଛି।

କଳା ବିଭାଗରେ ପରୀକ୍ଷା ଦେଇଥିବା ୨୭୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୨୧ ଜଣ ପାସ୍‌ କରିଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୫୬ ଓ ତୃତୀୟ ଶ୍ରେଣୀରେ ୧୫୧ ଜଣ ପାସ୍‌ କରିଛନ୍ତି। ବାଣିଜ୍ୟରେ ୧୦୩ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୯୦ ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୮, ଦ୍ବିତୀୟ ଶ୍ରେଣୀରେ ୨୪, ତୃତୀୟ ଶ୍ରେଣୀରେ ୫୮ ଜଣ ପାସ୍‌ କରିଛନ୍ତି। ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୪୦୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭୫ ଜଣ ପାସ୍‌ କରିଛନ୍ତି। ୨୫ ଜଣ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ବେଳେ ଦ୍ବିତୀୟରେ ୧୪୨ ଓ ତୃତୀୟରେ ୧୦୭ ଜଣ ରହିଛନ୍ତି। ଜଣେ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟାଲରେ ଅଛନ୍ତି। ଧନ୍ଦାମୂଳକ ବିଭାଗରେ ପରୀକ୍ଷା ଦେଇଥିବା ୧୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୫ ଜଣ ପାସ୍‌ କରିଛନ୍ତି। ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ଜଣେ ଲେଖାଏ ପାସ୍‌ କରିଥିବା ବେଳେ ତୃତୀୟ ଶ୍ରେଣୀରେ ୩ ଜଣ ପାସ୍‌ କରିଛନ୍ତି। ପରୀକ୍ଷାର୍ଥୀମାନେ ‘www.chseodisha.nic.in’ ରେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ। ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩୩ଟି କେନ୍ଦ୍ରରେ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର