ଭୁବନେଶ୍ବର : ୨୦୨୧-୨୨ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା(ମେରିଟ୍ ଲିଷ୍ଟ) ତଥା କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି। ଏ ବର୍ଷ ମାଟ୍ରିକ୍ ତଥା ଦଶମ ଶ୍ରେଣୀରେ ପାସ୍ହାର ବଢ଼ିଥିବାରୁ ସେହୁ ଅନୁସାରେ କଟ୍ ଅଫ୍ ମାର୍କରେ ବି ବହୁ ବୃଦ୍ଧି ଘଟିଛି। ଗତବର୍ଷ ପରି ଏଥର ମଧ୍ୟ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ରେଭେନ୍ସା ଜୁନିଅର କଲେଜର କଟ୍ ଅଫ୍ ମାର୍କ ସର୍ବାଧିକ ରହିଛି। ଅଧିକ ସଂଖ୍ୟକ ମେଧାବୀ ଛାତ୍ରଛାତ୍ରୀ ଏଠାରେ ପାଠ ପଢ଼ିବାକୁ ଆଗ୍ରହ ଦେଖାଇଛନ୍ତି। ବିଜେବି ସମେତ ରାଜ୍ୟର ଅନ୍ୟାନ୍ୟ ନାମୀ କଲେଜଗୁଡ଼ିକ ଏଥର ମଧ୍ୟ ପଛରେ ପଡ଼ିଛନ୍ତି। ହାତଗଣତି ଘରୋଇ କଲେଜ ବ୍ୟତୀତ ବିଜ୍ଞାନ ବିଭାଗରେ ଭଲ ରେଜଲ୍ଟ କରୁଥିବା ଯୁକ୍ତ୨ କଲେଜଗୁଡ଼ିକର କଟ୍ ଅଫ୍ ମାର୍କ ସେଭଳି ଆଖିଦୃଶିଆ ହୋଇପାରି ନାହିଁ। କଳା, ବିଜ୍ଞାନ, ବାଣିଜ୍ୟ ସମେତ ଧନ୍ଦାମୂଳକ ଓ ସଂସ୍କୃତ ବିଭାଗର କଟ୍ ଅଫ୍ ମାର୍କ ତଥା ମେଧା ତାଲିକା ମଧ୍ୟ ଆଜି ପ୍ରକାଶ ପାଇଛି।
ଏ ବର୍ଷ ଯୁକ୍ତ୨ କଲେଜରେ ନାମଲେଖା ପାଇଁ ୪ ଲକ୍ଷ ୩୫ ହଜାର ୯୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୮୬ହଜାର ୪୬୪ ଜଣଙ୍କୁ ସିଟ୍ ଆଲଟ୍ମେଣ୍ଟ କରାଯାଇଛି। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୪୭ ହଜାର ୯୦୬ ଛାତ୍ରଛାତ୍ରୀ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୭୩୭, ବାଣିଜ୍ୟରେ ୨୪ ହଜାର ୫୬୦ ଜଣ, ସଂସ୍କୃତରେ ୭୫୯୨ ଓ ଧନ୍ଦାମୂଳକ ବିଭାଗରେ ୫୬୬୯ ଜଣ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧ ଲକ୍ଷ ୯୨ ହଜାର ୯୫୯ ଛାତ୍ର ଓ ୧ ଲକ୍ଷ ୯୩ ହଜାର ୪୬୯ ଛାତ୍ରୀ ରହିଛନ୍ତି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୧୪ରୁ ୨୧ ମଧ୍ୟରେ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୨୭ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ସହ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୨୯ରୁ ଆକ୍ଟୋବର ୧ ମଧ୍ୟରେ ହେବ। ଅକ୍ଟୋବର ୪ରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ଏବଂ ୭ରେ ନାମଲେଖା କରାଯିବ। ୨୦୨୧-୨୨ ଶିକ୍ଷାବର୍ଷରେ ରାଜ୍ୟର ୨୦୩୫ କଲେଜର ୫ ଲକ୍ଷ ୪୮୩ ସିଟ୍ରେ ନାମଲେଖା ହେବ।