ଯୁକ୍ତ୨ ପାସ୍‌ହାର ୯୦% ଟପିବ

ଭୁବନେଶ୍ବର : ମାଟ୍ରିକ୍‌ ପରୀକ୍ଷାରେ ଛାତ୍ରଛାତ୍ରୀ ଯେତିକି ମାର୍କ ରଖିଥା’ନ୍ତି, ଯୁକ୍ତ ୨ରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କର ମାର୍କ କମି ଯାଇଥାଏ। ତେବେ ଏଥର ଯେଉଁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଉଛି, ସେଥିରେ ଛାତ୍ରଛାତ୍ରୀଙ୍କ ମାର୍କ ଦଶମ ଶ୍ରେଣୀ ମାର୍କ ପାଖାପାଖି କିମ୍ବା ତା’ଠାରୁ ଅଧିକ ରହିବ। ଗତ ବର୍ଷଗୁଡ଼ିକରେ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ୍‌ ହାର ୩୦ରୁ ୪୦ ପ୍ରତିଶତ ମଧ୍ୟରେ ହେଉଥିବା ବେଳେ ଏଥର ଆହୁରି ଅଧିକ ରହିବ ବୋଲି ଆଶା କରାଯାଉଛି। ଯୁକ୍ତ୨ରେ ମୋଟ ପାସ୍‌ହାର ୯୦%ରୁ ଅଧିକ ହେବ। ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ପାସ୍‌ହାର ମଧ୍ୟ ଗତବର୍ଷ ତୁଳନାରେ ଅଧିକ ରହିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସାହୁ ଆହୁରି କହିଛନ୍ତି ଯେ ପିଲାଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ବିକଳ୍ପ ମୂଲ୍ୟାୟନ ପଦ୍ଧତି ଆପଣାଯାଇଛି। ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଅଯଥା ଅମୂଳକ ଆଶଙ୍କା ସୃଷ୍ଟି କରାନଯାଉ। ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଥିଓରି ପେପର୍‌ ମୂଲ୍ୟାୟନ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅନୁଯାୟୀ ହେବ। ସେମାନେ ପୂର୍ବ ଯୁକ୍ତ୨ ପରୀକ୍ଷାରେ ପାଇଥିବା ମାର୍କ ଆଧାରରେ ସେମାନଙ୍କ ମୂଲ୍ୟାୟନ କରାଯିବ। ଇଲେକ୍ଟିଭ୍‌ ପେପର୍‌ଗୁଡ଼ିକରେ ସେମାନେ ସର୍ବୋଚ୍ଚ ମାର୍କ ପାଇଥିବା ଦୁଇଟି ବିଷୟର ମାର୍କର ହାରାହାରି ଏବଂ କେତେକ କ୍ଷେତ୍ରରେ ସର୍ବୋଚ୍ଚ ମାର୍କ ଆଧାରରେ ଫେଲ୍‌ ପେପର୍‌ଗୁଡ଼ିକ ପାଇଁ ମାର୍କ ଦେବାର ବ୍ୟବସ୍ଥା ରହିଛି। ତେଣୁ ଏକ୍ସ-ରେଗୁଲାର୍‌ ପରୀକ୍ଷାର୍ଥୀ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଯେଉଁ ପରୀକ୍ଷାର୍ଥୀ ବିକଳ୍ପ ମୂଲ୍ୟାୟନ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ରହିବେ, ସେମାନେ କରୋନା ପରିସ୍ଥିତି ସ୍ବାଭାବିକ ହେବା ପରେ ଅଫ୍‌ଲାଇନ୍‌ ପରୀକ୍ଷାରେ ଭାଗ ନେଇପାରିବେ।

ଅନ୍ୟପକ୍ଷରେ ସିଏଚ୍‌ଏସ୍‌ଇର ନିର୍ଦ୍ଧାରିତ ମାପଦଣ୍ଡକୁ ନେଇ ମାଟ୍ରିକ୍‌ରେ ଖରାପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ଏବେ ଚିନ୍ତାରେ। ଭଲ ମାର୍କ ପାଇବାକୁ ଦିନ ରାତି ପରିଶ୍ରମ ସତ୍ତ୍ବେ ଯୁକ୍ତ୨ରେ ଖରାପ ମାର୍କ ଆସିବ ବୋଲି ସେମାନେ ଆଶଙ୍କା କଲେଣି। ସେହିପରି ଅଧିକାଂଶ ଛାତ୍ରଛାତ୍ରୀ ମାଟ୍ରିକ୍‌ ଅପେକ୍ଷା ଯୁକ୍ତ୨ରେ ଭଲ ରେଜଲ୍ଟ କରିଥା’ନ୍ତି। ମାଟ୍ରିକ୍‌ ମାର୍କକୁ ମୁଖ୍ୟ ଆଧାର କରାଯାଇଥିବାରୁ ସେହି ଅନୁଯାୟୀ ମାର୍କ ମିଳିଲେ କିଛି ଲାଭ ହେବନି, ବରଂ ନିରାଶ ହେବାକୁ ପଡ଼ିବ।‌ ଉଚ୍ଚଶିକ୍ଷା ପାଇଁ ଭଲ କଲେଜରେ ନାମ ଲେଖାଇବାକୁ ସୁଯୋଗ ମିଳିବା ନେଇ ମେଧାବୀ ଛାତ୍ରଛାତ୍ରୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ମାର୍କିଂ ପଲିସିରେ ସ୍ପଷ୍ଟତା ଆଣିପାରିନି ପରିଷଦ। ଗତବର୍ଷ ଯେଉଁ ଛାତ୍ରଛାତ୍ରୀ ଯୁକ୍ତ୨ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ, କିନ୍ତୁ କୌଣସି କାରଣରୁ ଆଦୌ ପରୀକ୍ଷା ‌ଦେଇ ନଥିଲେ, ସେମାନଙ୍କ ପାଇଁ କିଭଳି ମାର୍କିଂ ନିୟମ ରହିବ, ସେନେଇ କିଛି କୁହାଯାଇନି। ସେମାନଙ୍କ ପାଇଁ କି ପ୍ରକାର ବିକଳ୍ପ ଆପଣାଯିବ ନା ବିନା ସୁଯୋଗରେ ସେମାନେ ଫେଲ୍‌ ହେବେ? ତାହାକୁ ନେଇ ପ୍ରଶ୍ନ ଉଠିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ମୂଲ୍ୟାୟନ ପାଇଁ ବିଶେଷଜ୍ଞ କମିଟି କିମ୍ବା ସିଏଚ୍‌ଏସ୍‌ଇ ପାଖରେ ମାଟ୍ରିକ ମାର୍କ ବ୍ୟତୀତ ଆଉ କୌଣସି ଆଧାର ନଥିଲା। ତେବେ ପରିଷଦରେ ଅଭିଜ୍ଞ ସଂପନ୍ନ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି। ସେମାନଙ୍କ କାମ ହେଲା ବର୍ଷକୁ ଥରେ ଶୃଙ୍ଖଳିତ ଭାବେ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଇବା। ହେଲେ ଗତବର୍ଷର କରୋନା ସ୍ଥିତିରୁ ପରିଷଦ କିଛି ବି ଶିଖି ପାରିଲା ନାହିଁ। ଜାନୁଆରିରୁ ଏପ୍ରିଲ ପର୍ଯ୍ୟନ୍ତ କଲେଜ ଖୋଲା ଯାଇ କ୍ଲାସରୁମ୍‌ ପାଠପଢ଼ା ହୋଇଥିଲେ ମଧ୍ୟ ଗୋଟିଏ ଥରେ ବି ପରୀକ୍ଷା କରାଗଲାଣି। ସେତେବେଳେ ଯଦି ମାଟ୍ରିକ୍‌ କିମ୍ବା ସିବିଏସ୍‌ଇ ପରି ପ୍ରି-ବୋର୍ଡ, ଇଣ୍ଟରନାଲ୍‌ ପରୀକ୍ଷା କରିଥାନ୍ତେ, ତାହେଲେ ଠିକ୍‌ ମୂଲ୍ୟାୟନ ହୋଇଥା’ନ୍ତା ବୋଲି ଶିକ୍ଷାବିତ୍‌‌ମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର