ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷାରେ ବିଭ୍ରାଟ : ଅର୍ଧାଧିକ କଲେଜରେ ପରୀକ୍ଷା ଆରମ୍ଭ ହେଲାନି

ଏକ୍ସଟରନାଲ ତାଲିକା ପହଞ୍ଚିବାରେ ବିଳମ୍ବ

ଭୁବନେଶ୍ବର : ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭରୁ ବିଭ୍ରାଟ। ପ୍ରଥମ ଦିନର ପରୀକ୍ଷା ଆରମ୍ଭ ହୋଇପାରିନି। ମାସେ ଆଗରୁ ଘନ ଘନ ବୈଠକ ପରେ ବି ପରୀକ୍ଷାର ଆରମ୍ଭ ଦିନରୁ ଫେଲ୍‌ ମାରିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପ୍ରଶ୍ନପତ୍ର, ମାର୍କ ଫୁଏଲ୍‌, ଏକ୍ସଟରନାଲମାନଙ୍କ ତାଲିକା ପହଞ୍ଚିପାରିନି। ଯେଉଁଥିପାଇଁ କଲେଜ କର୍ତୃପକ୍ଷ ବାଧ୍ୟ ହୋଇ ପରୀକ୍ଷାକୁ ବାତିଲ୍‌ କରିଛନ୍ତି। ଅର୍ଧାଧିକ କଲେଜ ଜାନୁଆରି ୨୮ ତାରିଖ ପରିବର୍ତ୍ତେ ୩୦ ତାରିଖଠାରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେପଟେ ପରିଷଦ ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି ଯେ ପରୀକ୍ଷା ପାଇଁ ‌ଫେବ୍ରୁଆରି ୮ ତାରିଖ ପର୍ଯ୍ୟନ୍ତ କଲେଜ କର୍ତୃପକ୍ଷଙ୍କୁ ସମୟ ଦିଆଯାଇଛି। ଯେକୌଣସି ସମୟରେ ସେମାନ‌େ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା କରିପାରିବେ।

ଜାନୁଆରି ୨୮ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଥିଲା। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ଚିଠି ଲେଖି ପରୀକ୍ଷା ଲାଗି ପ୍ରସ୍ତୁତ ରହିବାକୁ କଲେଜଗୁଡ଼ିକୁ କହିଥିଲେ। ନିର୍ଦେଶକୁ ପାଳନ କରି କଲେଜର କର୍ମଚାରୀମାନେ ମଧ୍ୟ ଛୁଟି ଦିନରେ ମାର୍କ ଫୁଏଲ୍‌, ପ୍ରଶ୍ନପତ୍ର, ଏକ୍ସଟରନାଲ ତାଲିକା ସଂଗ୍ରହ କରିବାକୁ ହବ୍‌ରେ ରାତିରେ ଜଗି ରହିଥିଲେ। ହେଲେ ପରିଷଦ କର୍ତୃପକ୍ଷଙ୍କ ପରୀକ୍ଷା ପରିଚାଳନାଗତ ତ୍ରୁଟି ପାଇଁ ହବ୍‌ଗୁଡ଼ିକରେ ଠିକ୍‌ ସମୟରେ ଏକ୍ସଟରନାଲଙ୍କ ତାଲିକା, ମାର୍କ ଫୁଏଲ୍‌ ଆଦି ପହଞ୍ଚିପାରିଲା ନାହିଁ। ଯେଉଁଥିପାଇଁ ଅର୍ଧାଧିକ କଲେଜରେ ପ୍ରଥମ ଦିନର ପରୀକ୍ଷା ହୋଇପାରି ନାହିଁ। ଏନେଇ କଲେଜଗୁଡ଼ିକ ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କୁ ଅବଗତ କରିବା ସହ ପରୀକ୍ଷା ସମୟ ସୀମା ବୃଦ୍ଧି କରିବାକୁ ଦାବି କରିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ପରିଷଦର ମୁଖ୍ୟ କାର୍ଯ୍ୟାଳୟଠାରୁ ମାତ୍ର ୫ରୁ ୧୦ କିମି ଦୂରରେ ଥିବା କଲେଜରେ ବି ଆଜି ପରୀକ୍ଷା ଆରମ୍ଭ ହୋଇପାରି ନାହିଁ। ମାର୍କ ଫୁଏଲ୍‌, ଏକ୍ସଟରନାଲଙ୍କ ତାଲିକା ଓ ପ୍ରଶ୍ନପତ୍ର ବିଳମ୍ବରେ ପହଞ୍ଚିବାରୁ ବିଜେବି ସମେତ ରମାଦେବୀ, ରାଜଧାନୀ, ମହର୍ଷି ଆଦି ପ୍ରମୁଖ ଯୁକ୍ତ୨ କଲେଜରେ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ହଟହଟା ‌ହେବାକୁ ପଡ଼ିଛି। ବିଜେବି ଜୁନିଅର କଲେଜର ଅଧ୍ୟକ୍ଷ ବିଷ୍ଣୁଚରଣ ଦାସ କହିଛନ୍ତି ଯେ ୨୬ ତାରିଖ ବିଳମ୍ବିତ ସମୟରେ ପରି‌ଷଦ କର୍ତୃପକ୍ଷ ଏକ୍ସଟରନାଲଙ୍କ ତାଲିକା ପଠାଇଥିଲେ। ୨୭ ତାରିଖ ରବିବାର ଛୁଟି ଥିବାରୁ ଏକ୍ସଟରନାଲମାନଙ୍କ ସହ ଯୋଗାଯୋଗ କରାଯାଇ ପାରିଲା ନାହିଁ। ତେଣୁ ଏକ୍ସଟରନାଲ ଆସି ନ ପାରିବାରୁ ଶେଷରେ ପରୀକ୍ଷାକୁ ବାତିଲ୍‌ କରିବାକୁ ପଡ଼ିଲା। ୩୦ ତାରିଖଠାରୁ ପରୀକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ମହର୍ଷି କଲେଜ ଅଫ୍‌ ନାଚୁରାଲ ଲ’ର ଅଧ୍ୟକ୍ଷ ଡ. ପୁଷ୍ପଲତା ପରିଜା କହିଛନ୍ତି ଏକ୍ସଟନାଲ ତାଲିକା ପାଇବାରେ ବିଳମ୍ବ ହେଲା। ତେଣୁ ପରୀକ୍ଷା ଆରମ୍ଭ ହୋଇପାରିନି। ୩୦ ତାରିଖଠାରୁ ପରୀକ୍ଷା ଆରମ୍ଭ ହେବ।

ଅନ୍ୟପକ୍ଷରେ କେତେକ କଲେଜକୁ ପଠାଯାଇଥିବା ଏକ୍ସଟରନାଲ୍‌ ତାଲିକାରେ ତ୍ରୁଟି ଦେଖିବାକୁ ମିଳିଛି। ‌ଏକ୍ସଟରନାଲମାନଙ୍କ ଯେଉଁ ତାଲିକା ପଠାଯାଇଛି ସେଥିରେ ସମସ୍ତଙ୍କ ଯୋଗାଯୋଗ ମୋବାଇଲ୍‌ ନମ୍ବର ଗୋଟିଏ ରହିଛି। ଯେଉଁଥିପାଇଁ ଏକ୍ସଟରନାଲ୍‌ଙ୍କୁ ‌ଯୋଗାଯୋଗ କରିବାକୁ ହଟହଟା ହୋଇଥିଲେ କର୍ତୃପକ୍ଷ। କେତେକ ସେଲ୍ଫ ଫାଇନାନ୍ସିଂ କଲେଜ ଆଜି ଅପରାହ୍ଣରେ ହବ୍‌ରୁ ମାର୍କ ଫୁଏଲ୍‌, ପ୍ରଶ୍ନପତ୍ର ଓ ଏକ୍ସଟରନାଲମାନଙ୍କ ତାଲିକା ସଂଗ୍ରହ କରିଛନ୍ତି। ସେପଟେ ପ୍ରଥମ ଦିନରେ ପରୀକ୍ଷା ଦେବାକୁ ଆସି ବହୁ ଛାତ୍ରଛାତ୍ରୀ ନିରାଶ ହୋଇ ଫେରିଛନ୍ତି। ଆଗାମୀ ପରୀକ୍ଷାରେ ଏହା ଚାପ ସୃଷ୍ଟି କରିବ ବୋଲି ପରୀକ୍ଷାର୍ଥୀମାନେ କହିଛନ୍ତି।

ପରିଷଦ କର୍ତୃପକ୍ଷ କିନ୍ତୁ ଅଭିଯୋଗକୁ ଖାମଖିଆଲି ଭାବେ ନେଇଛନ୍ତି। ପରିଷଦର ପରୀକ୍ଷା‌ ନିୟନ୍ତ୍ରକ ଶ୍ରୀ ସାହୁ ଏନେଇ ମୁହଁ ଖୋଲୁ ନଥିବା ବେଳେ ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି ଜାନୁଆରି ୨୮ରୁ ଫେବ୍ରୁଆରି ୮ ମଧ୍ୟରେ ପରୀକ୍ଷା କରିବାକୁ ସମୟ ଦିଆଯାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ଏକ୍ସଟରନାଲଙ୍କ ତାଲିକା ପହଞ୍ଚିଛି। ଯେଉଁ କଲେଜ ଆଜି କରିପାରିନାହାନ୍ତି ସେମାନେ ଫେବ୍ରୁଆରି ୮ ତାରିଖ ମଧ୍ୟରେ ପରୀକ୍ଷା କରାଇପାରିବେ।

ସମ୍ବନ୍ଧିତ ଖବର