ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ

ଭୁବନେଶ୍ବର: ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନରେ ସାରା ରାଜ୍ୟରେ ସୁରୁଖୁରୁରେ ପରୀକ୍ଷା ସରିଛି। କୌଣସି ସ୍ଥାନରେ କିଛି ବିଭ୍ରାଟ ହୋଇନାହିଁ। ପରୀକ୍ଷାର ପ୍ରଥମ ଦିନ ହୋଇଥିବାରୁ ଅଧିକାଂଶ କଲେଜ କର୍ତ୍ତୃପକ୍ଷ ଆଜି ପରୀକ୍ଷା କରିନାହାନ୍ତି। ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବେ ବୋଲି କହିଛନ୍ତି। ପରିଷଦ ପକ୍ଷରୁ କୁହାଯାଇଛି ଯେ ପରୀକ୍ଷା ଲାଗି କଲେଜ କର୍ତ୍ତୃପକ୍ଷଙ୍କୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ତେଣୁ ଯେକୌଣସି ସମୟରେ ସେମାନ‌େ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା କରିପାରିବେ। ବିଜ୍ଞାନ ବିଭାଗରେ ଅଧିକ ସଂଖ୍ୟକ ପରୀକ୍ଷାର୍ଥୀ ରହିଛନ୍ତି। ତେଣୁ କଲେଜଗୁଡ଼ିକ ପ୍ରତିଦିନ କିଛି କିଛି ପିଲାଙ୍କ ପରୀକ୍ଷା କରିବାକୁ କୁହାଯାଇଛି। ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଇଲେ‌କ୍ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋ-ଟେକ୍ନୋଲୋଜି, କମ୍ପ୍ୟୁଟର୍‌ ଆପ୍ଲିକେସନ୍‌ ଆଦି ବିଷୟର ପରୀକ୍ଷା କରାଯିବ। କଳା ବିଭାଗର ଷ୍ଟାଟିଷ୍ଟିକ୍ସ, ଭୂଗୋଳ, ଭୂତତ୍ତ୍ବ ବିଜ୍ଞାନ, ଶିକ୍ଷା, ଆଇଟି, ମନସ୍ତତ୍ତ୍ବ ବିଜ୍ଞାନ, ନୃତତ୍ତ୍ବ ବିଜ୍ଞାନ, ଭାରତୀୟ ସଙ୍ଗୀତ ଓ ଗୃହ ବିଜ୍ଞାନ ବିଷୟର ପ୍ରାକ୍ଟିକାଲ ପରୀକ୍ଷା ରହିଥିବାରୁ କଲେଜଗୁଡ଼ିକ ସେହି ଅନୁଯାୟୀ କାର୍ଯ୍ୟସୂଚୀ ପ୍ରସ୍ତୁତ ସହ ପରୀକ୍ଷା କରିବାକୁ କୁହାଯାଇଛି। ୩୫୦ରୁ ଅଧିକ ସେଲ୍ଫ ଫାଇନାନ୍ସ କଲେଜ ସମେତ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାକ୍ଟିକାଲ ପରୀକ୍ଷାର ସିସିଟିଭି ଫୁଟେଜ୍‌ ଦାଖଲ କରିବାକୁ ସେଲ୍ଫ ଫାଇନାନ୍ସ କଲେଜକୁ ନିର୍ଦେଶ ଦିଆଯାଇଥିବା ନେଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର