ଯୁକ୍ତ୨ ମୂଲ୍ୟାୟନ ପାଇଁ ନିର୍ଦ୍ଧାରିତ ମାପଦଣ୍ଡ ପ୍ରକାଶ, ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଫଳ

ମାଟ୍ରିକ୍‌ ମାର୍କ ଆଧାରରେ ଥିଓରି ମାର୍କ
ପରୀକ୍ଷାର୍ଥୀ ଦେବେ ପ୍ରାକ୍ଟିକାଲ ରିପୋର୍ଟ

ଭୁବନେଶ୍ବର : ଯୁକ୍ତ୨ ମୂଲ୍ୟାୟନ ନେଇ ନିର୍ଦ୍ଧାରିତ ମାପଦଣ୍ଡ ପ୍ରକାଶ ପାଇଛି। କେଉଁ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ, ସେ ସମ୍ପର୍କରେ ଆଜି ରାତିରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିସହ ଅଗଷ୍ଟ ଦ୍ବିତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ମାଟ୍ରିକ୍‌ ମାର୍କ ଆଧାରରେ ହିଁ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଥିଓରି ପେପରରେ ମାର୍କ ଦିଆଯିବ। ମୂଲ୍ୟାୟନ ପାଇଁ ପ୍ରତି ବିଷୟର ମ୍ୟାପିଂ ହେବ। ଦଶମ ଶ୍ରେଣୀର କେଉଁ ସବୁ ବିଷୟ ମାର୍କକୁ ଯୁକ୍ତ୨ର କେଉଁ ବିଷୟ ସହ ମ୍ୟାପିଂ କରାଯାଇ ଚୂଡ଼ାନ୍ତ ମାର୍କ ପ୍ରକାଶ କରାଯିବ, ତାହାର ଏକ ତାଲିକା ପରିଷଦ ପକ୍ଷରୁ ପ୍ରକାଶ ପାଇଛି। ଯେଉଁଥିରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ୧୦୧ଟି ଓ ଧନ୍ଦାମୂଳକ ବିଭାଗର ୫୧ଟି ବିଷୟ ରହିଛି।

ପ୍ରାକ୍ଟିକାଲ ମାର୍କ ପ୍ରସ୍ତୁତ ଲାଗି ସ୍ବତନ୍ତ୍ର ମାପଦଣ୍ଡ ପ୍ରସ୍ତୁତ ହୋଇଛି। ପରୀକ୍ଷାର୍ଥୀ ସେମାନଙ୍କ ପ୍ରାକ୍ଟିକାଲ/ପ୍ରୋଜେକ୍ଟ ରିପୋର୍ଟ ନିଜ କଲେଜର ବିଭାଗୀୟ ମୁଖ୍ୟଙ୍କ ନିକଟରେ ଦାଖଲ କରିବେ। ବିଜ୍ଞପ୍ତି ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଲକ୍‌ଡାଉନ୍‌ ଯୋଗୁଁ ଯଦି କୌଣସି ପରୀକ୍ଷାର୍ଥୀ ଆସି ନ ପାରନ୍ତି, ତେବେ ପଞ୍ଜୀକୃତ ପାର୍ସଲ ମାଧ୍ୟମରେ କଲେଜ ଠିକଣାରେ ବିଭାଗୀୟ ମୁଖ୍ୟଙ୍କ ନିକଟକୁ ପଠାଇ ପାରି‌ବେ। ପରୀକ୍ଷାର୍ଥୀ କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ଆସୁଥିଲେ, ତାଙ୍କୁ ଅଧିକ ସମୟ ଦିଆଯାଇପାରେ। କଲେଜର ଅନ୍ତରୀଣ ପରୀକ୍ଷକ ପ୍ରାକ୍ଟିକାଲ ରେକର୍ଡ, ପରୀକ୍ଷାର୍ଥୀଙ୍କ ଲାବରେଟୋରି କ୍ଲାସ, ଦଶମ ‌ବୋର୍ଡ ପରୀକ୍ଷାର ସଫଳତା ଆଧାରରେ ମାର୍କ ପ୍ରଦାନ କରିବେ। ବିଭାଗୀୟ ମୁଖ୍ୟ ତାହାକୁ ଯାଞ୍ଚ କରିବେ। ଯଦି ବିଭାଗରେ ଜଣେ ଅଧ୍ୟାପକ ଥିବେ, ତେବେ ସେ ହିଁ ନିଜେ ତାହାକୁ ଯାଞ୍ଚ କରି ଦାଖଲ କରିବେ। ମୂଲ୍ୟାୟନରେ ସ୍ବଚ୍ଛତା ଅବଲମ୍ବନ କରାଯାଇଥିବା ନେଇ କଲେଜ ଅଧ୍ୟକ୍ଷ ଓ ବିଭାଗୀୟ ମୁଖ୍ୟ ପରିଷଦକୁ ଲିଖିତ ଆକାରରେ ଜଣାଇବେ। ମାର୍କ ଫଏଲ୍‌ର ଗୋଟିଏ କପି କଲେଜ କର୍ତୃପକ୍ଷ ନିଜ ପାଖରେ ରଖିବେ ଏବଂ ଆଉ ଏକ କପି ସହ ସଫ୍ଟକପି(ଏକ୍ସଲେ ଫର୍ମାଟ)ରେ ନୋଡାଲ କଲେଜରେ ଦାଖଲ କରିବେ। ପରିଷଦ ପକ୍ଷରୁ ନୋଡାଲ କଲେଜ ତାଲିକା ଖୁବ୍‌ଶୀଘ୍ର ପ୍ରକାଶ କରାଯିବ। ନୋଡାଲ କଲେଜଗୁଡ଼ିକ ମାର୍କଗୁଡ଼ିକୁ ଭଲ ଭାବେ ଅନୁଧ୍ୟାନ କରିବା ପରେ ଅପ୍‌ଲୋଡ୍‌ କରିବେ।

ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଥିଓରି ମାର୍କିଂ ପୂର୍ବଥର ପରୀକ୍ଷାରେ ରହିଥିବା ମାର୍କ ଆଧାରରେ ମୂଲ୍ୟାୟନ ହେବ। କେଉଁ ପଦ୍ଧତି ଆପଣାଯିବ ସେନେଇ ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି। ତେବେ ପ୍ରାକ୍ଟିକାଲ ମାର୍କ କ୍ଷେତ୍ରରେ ରେଗୁଲାର ପରୀକ୍ଷାର୍ଥୀଙ୍କ ଲାଗି ଯେଉଁ ନିୟମ ହୋଇଛି, ତାହା ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ବି ଲାଗୁ ହେବ। କମ୍ପାର୍ଟମେଣ୍ଟାଲ ପରୀକ୍ଷାର୍ଥୀଙ୍କ ପାଇଁ ମଧ୍ୟ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ହୋଇଛି। ଯଦି କୌଣସି ପରୀକ୍ଷାର୍ଥୀ ଏହି ପରୀକ୍ଷା ଫଳରେ ଅସନ୍ତୁଷ୍ଟ ହୁଅନ୍ତି, ତେବେ କରୋନା ସ୍ଥିତି ସୁଧୁରିଲେ ପରିଷଦ ପକ୍ଷରୁ ଅଫ୍‌ଲାଇନ୍‌ରେ ହେବାକୁ ଥିବା ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ଉକ୍ତ ପରୀକ୍ଷାରେ ଯେଉଁ ମାର୍କ ରଖିବେ, ତାହାକୁ ଚୂଡ଼ାନ୍ତ ବୋଲି ଧରି ନିଆଯିବ। ମୂଲ୍ୟାୟନ ସମ୍ପର୍କିତ ସମ୍ପୂର୍ଣ୍ଣ ପଦ୍ଧତି ପରିଷଦ ୱେବସାଇଟ୍‌ରେ ଅପଲୋଡ୍‌ ହେବ। ୧୪ଜଣିଆ ବିଶେଷଜ୍ଞ କମିଟି ରିପୋର୍ଟ ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର