ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା: ୧୧୮୪ ପରୀକ୍ଷାର୍ଥୀଙ୍କ ଫଳ ସ୍ଥଗିତ

ତ୍ରୁଟି ଥିଲେ ସଂଶୋଧନ ଅଭିଯୋଗ କରିପାରିବେ, ଅଫ୍‌ଲାଇନ୍‌ ପରୀକ୍ଷା ଲାଗି ଖୁବ୍‌ଶୀଘ୍ର ବିଜ୍ଞପ୍ତି

ଭୁବନେଶ୍ବର : ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ବିଭିନ୍ନ କାରଣ ପାଇଁ ଏଥର ୧୧୮୪ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯାଇଛି। ବିଜ୍ଞାନ ବିଭାଗ ରେଗୁଲାରରେ ୯୦, ‌ଏକ୍ସ-ରେଗୁଲାରରେ ୭୧୦ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଛି। ସେହିପରି ବାଣିଜ୍ୟ ବିଭାଗ ରେଗୁଲାରରେ ୮୯ ଓ ଏକ୍ସ-ରେଗୁଲାରରେ ୨୯୫ ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇ ନାହିଁ। ଏହି ୧୧୮୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୩୯ ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ କୌଣସି ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ନାହିଁ। ଅର୍ଥାତ୍‌ ସେମାନେ ପୂର୍ବରୁ ପରିଷଦର କୌଣସି ବି ବାର୍ଷିକ ପରୀକ୍ଷା ଦେଇନହାନ୍ତି। ଯେଉଁଥିପାଇଁ ସେମାନଙ୍କ ଫଳ ସ୍ଥଗିତ ରହିଛି। ଆଗକୁ ହେବାକୁ ଥିବା ଅଫ୍‌ଲାଇନ୍‌ ପରୀକ୍ଷାରେ ଏହି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ଗୁରୁତ୍ବପୂର୍ଣ୍ଣ କଥା‌ ହେଉଛି ଯେ ପରୀକ୍ଷା ଫଳ ସ୍ଥଗିତ ରହିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ‌କେତେଜଣଙ୍କ ପ୍ରାକ୍ଟିକାଲ ମାର୍କ ଆଜି ପର୍ଯ୍ୟନ୍ତ ପରିଷଦ ନିକଟରେ ଦାଖଲ ହୋଇ ନାହିଁ। କଲେଜଗୁଡ଼ିକ ତଥ୍ୟ ଦେଇ ନ ଥିବାରୁ ଏଭଳି ସମସ୍ୟା ହୋଇଛି। ଯଦି କୌଣସି ପରୀକ୍ଷାର୍ଥୀଙ୍କ ରେଜଲ୍ଟରେ ତ୍ରୁଟି ଥିବ, ତେବେ ସମ୍ପୃକ୍ତ ପରୀକ୍ଷାର୍ଥୀ ଉପଯୁକ୍ତ ପ୍ରମାଣ ସହ ନିଜର ଅଭିଯୋଗ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଦାଖଲ କରିପାରିବେ। ଏନେଇ ଆସନ୍ତା ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ପରୀକ୍ଷା ଫଳ ପୁସ୍ତିକ‌ା ଉନ୍ମୋଚନ କରି ଶ୍ରୀ ଦାଶ କହିଲେ ଯେଉଁ ପରୀକ୍ଷାର୍ଥୀ ଏହି ମାର୍କିଂ ପଦ୍ଧତିରେ ସନ୍ତୁଷ୍ଟ ନୁହନ୍ତି, ସେମାନେ ଚାହିଲେ ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା ଦେଇପାରିବେ। ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା ସମ୍ପର୍କିତ ସୂଚନା ଓ ବିଜ୍ଞପ୍ତି ପରବର୍ତୀ ସମୟରେ ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଥିଲେ। ପରୀକ୍ଷା ଫଳ ଉନ୍ମୋଚନ କାର୍ଯ୍ୟକ୍ରମରେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦ, ପରିଷଦର ଅଧ୍ୟକ୍ଷ ଗଙ୍ଗାଧର ସାହୁ, ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ, ସଚିବ ନିୟତି ପଟ୍ଟନାୟକ, ସହକାରୀ ସଚିବ ଚିନ୍ତନ ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ଣ୍ଣାଙ୍ଗ ରେଜଲ୍ଟ ବାହାରିଲାନି
ପରିଷଦ ପକ୍ଷରୁ ଯୁକ୍ତ୨ ପରୀକ୍ଷା ଫଳ ନିର୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ପ୍ରକାଶ କରାଯାଇଛି। ଯେଉଁଥିପାଇଁ ଏଥର କେତେକ ତ୍ରୁଟି ପରିଲକ୍ଷିତ ହୋଇଛି। କେଉଁ ଜିଲ୍ଲାର ପାସ୍‌ହାର କେତେ ରହିଲା, କେଉଁ ଜିଲ୍ଲା ଶୀର୍ଷରେ ରହିଲା, ଜିଲ୍ଲାରେ ପ୍ରଥମ ଶ୍ରେଣୀରେ କେତେ ପିଲା ପାସ୍‌ କଲେ ଆଦି ସମ୍ପର୍କରେ ତଥ୍ୟ ଦିଆଯାଇ ନାହିଁ। ବିଜ୍ଞାନରେ ୧୦୫୪ ଓ ବାଣିଜ୍ୟରେ ୪୧୦ କଲେଜ ଫଳ ପ୍ରକାଶ ପାଇଥିଲେ ମଧ୍ୟ କେତେ କଲେଜ ଶତପ୍ରତିଶତ ଓ କେତୋଟି କଲେଜ ଶୂନ ରେଜଲ୍ଟ କରିଛି ସେନେଇ ପରିଷଦ କିମ୍ବା ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ଦାଶ ତୁରନ୍ତ ଘଟଣାରେ ହସ୍ତକ୍ଷେପ କରି ପୂର୍ଣ୍ଣାଙ୍ଗ ପରୀକ୍ଷା ଫଳ ପ୍ରକାଶ କରିବାକୁ କଲେଜଗୁଡ଼ିକ ଦାବି କରିଛନ୍ତି।

ଖୁବ୍‌ଶୀଘ୍ର କଳା ଓ ଧନ୍ଦାମୂଳକ ରେଜଲ୍ଟ
ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗ ପାଠ୍ୟକ୍ରମର ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବାକୁ ଅଧିକ ସମୟ ଲାଗୁଛି। ତେଣୁ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇଁ ଅଧିକ ସମୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ପରିଷଦ ପକ୍ଷରୁ ଯାଚିକା ଦାଖଲ ହୋଇଛି। ଉଭୟ ପାଠ୍ୟକ୍ରମର ପରୀକ୍ଷା ଫଳ ଅଗଷ୍ଟ ୧୦ ତାରିଖ ମଧ୍ୟରେ ଫଳ ପ୍ରକାଶ କରିବାକୁ ଉଦ୍ୟମ ହେଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ଘୋଷଣା ପୂର୍ବରୁ ୱେବ୍‌ସାଇଟ୍‌ରେ ଫଳ
ମନ୍ତ୍ରୀ ଶ୍ରୀ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବା ପୂର୍ବରୁ ନିର୍ଧାରିତ ୱେବ୍‌ସାଇଟ୍‌ରେ ଛାତ୍ରଛାତ୍ରୀଙ୍କ ଫଳ ଉପଲବ୍ଧ ହୋଇଥିଲା। ସନ୍ଧ୍ୟା ୬ଟାଠାରୁ ଛାତ୍ରଛାତ୍ରୀ ୱେବସାଇଟ୍‌ରେ ନିଜର ରୋଲ ନମ୍ବର ପଇଠ କରି ମାର୍କ ଦେଖିପାରିଥିଲେ। ତେବେ ୨୦୨୧ର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଉକ୍ତ ମାର୍କସିଟ୍‌ରେ ୨୦୨୦ ବୋଲି ଉଲ୍ଲେଖ କରାଯାଇଥିଲା। ଏନେଇ ପରିଷଦ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ଏଭଳି ତ୍ରୁଟିକୁ ଖଣ୍ଡନ କରିଥିଲେ।

ସମ୍ବନ୍ଧିତ ଖବର