ଲଗାତାର ଦ୍ବିତୀୟ ବର୍ଷ ଲାଗି ଗଜପତି ଜିଲ୍ଲା ପଛରେ ପଡ଼ିଛି। ଗତବର୍ଷ ଗଜପତି ଜିଲ୍ଲାର ବିଜ୍ଞାନ ବିଭାଗରେ ପାସ୍ହାର ୪୩.୪୩ ରହିଥିଲା। ଏଥର ଆହୁରି କମିଛି। ମାତ୍ର ୩୬.୨୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଜିଲ୍ଲାରୁ ୧୦୧୧ ଜଣ ପରୀକ୍ଷା ଦେଇଥିବା ବେଳେ ମାତ୍ର ୩୬୬ ଜଣ ପାସ୍ କରିଛନ୍ତି। ଏହା ଉପରକୁ ଫୁଲବାଣୀ ଜିଲ୍ଲାର ପାସ୍ହାର ୩୭.୯୧ ଓ ଦେବଗଡ଼ ଜିଲ୍ଲାର ପାସ୍ହାର ୪୦.୧୮% ରହିଛି। ବୌଦ୍ଧରେ ମାତ୍ର ୧୫୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୮୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍ହାର ୫୩.୯୪% ରହିଛି।
୧୭ ସୁଦ୍ଧା ମିଳିବ ସାର୍ଟିଫିକେଟ୍
ଆସନ୍ତା ୧୫ ଦିନ ମଧ୍ୟରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍ ଓ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ସେମାନଙ୍କୁ ଆଉ ପରିଷଦ କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବ ନାହିଁ। ଜୁନ୍ ୧୭ ସୁଦ୍ଧା ସମସ୍ତ କଲେଜରେ ସାର୍ଟିଫିକେଟ୍ ଓ ମାର୍କସିଟ୍ ପହଞ୍ଚିବ।
୬ରୁ ପୁନଃଯାଞ୍ଚ ଆବେଦନ
ଯେଉଁ ପରୀକ୍ଷାର୍ଥୀ ସେମାନଙ୍କ ଉତ୍ତର ଖାତା ପୁନଃଯାଞ୍ଚ କରିବାକୁ ଚାହୁଁଛନ୍ତି ସେମାନେ ଜୁନ୍ ୬ରୁ ୨୧ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ୍ରେ ଫର୍ମ ଉପଲବ୍ଧ ହେବ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରତି ପେପର ପିଛା ୨୦୦ ଟଙ୍କା ଦେବାକୁ ପଡ଼ିବ। ଆବେଦନ ଶେଷ ହେବା ପରେ ଜୁଲାଇ ୧୦ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ମିଳିଯିବ। ସେମାନେ ଦେଇଥିବା ଇ-ମେଲ୍ରେ ପଠାଇଯିବ। ଛାତ୍ରଛାତ୍ରୀ ଖାତା ଯାଞ୍ଚ ପରେ ବି ଯଦି କୌଣସି ପ୍ରଶ୍ନର ମାର୍କିଂରେ ତ୍ରୁଟି ଥିବ ତେବେ ଛାତ୍ରଛାତ୍ରୀ ପୁନଃଯାଞ୍ଚ ଲାଗି ଆବେଦନ କରିପାରିବେ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ଜୁନ୍ ଦ୍ବିତୀୟ ସପ୍ତାହରେ କଳା ଓ ବାଣିଜ୍ୟ ଫଳ
ଜୁନ୍ ଦ୍ବିତୀୟ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବ। ଉକ୍ତ ଦୁଇ ବିଭାଗର ଉତ୍ତର ଖାତା ମୂଲ୍ୟାୟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବାର ୪୫ ଦିନ ମଧ୍ୟରେ ଇନ୍ଷ୍ଟାଣ୍ଟ ପରୀକ୍ଷା କରାଯାଇ ରେଜଲ୍ଟ ପ୍ରକାଶ କରାଯିବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି।