ଯୁକ୍ତ୨ ସିଟ୍‌ ବୃଦ୍ଧି ପ୍ରସଙ୍ଗ: ଆବେଦନ କରିଛନ୍ତି ୬୫୩ କଲେଜ

ଭୁବନେଶ୍ବର : ଯୁକ୍ତ୨ ସିଟ୍‌ ବୃଦ୍ଧି କରିବାକୁ ୬୫୩ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆବେଦନ କରିଛନ୍ତି। ସରକାରୀ କଲେଜ ମଧ୍ୟ ସିଟ୍‌ ବୃଦ୍ଧି କରିବାକୁ ଆବେଦନ କରିଥିବା ସୂଚନା ମିଳିଛି।

ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ୩୦ଟି ଜିଲ୍ଲାର ୬୫୩ କଲେଜ ବିଭିନ୍ନ ପାଠ୍ୟକ୍ରମର ୫୦ ହଜାର ସିଟ୍‌ ବୃଦ୍ଧି କରିବା ପାଇଁ ଆବେଦନ କରିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଆବେଦନ କରିଥିବା କଲେଜର ତାଲିକା ଯାଞ୍ଚ କରାଯିବା ସହ ଭିତ୍ତିଭୂମି, ଅନୁମୋଦିତ ସିଟ୍‌ ଭଳି ବିଭିନ୍ନ ଦିଗକୁ ଅନୁଧ୍ୟାନ କରାଯାଉଛି। ଏନେଇ ଆସନ୍ତା ସପ୍ତାହରେ ବିଶଦ ଆଲୋଚନା ସହ ଯୁକ୍ତ୨ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଏହି ସିଟ୍‌ ବୃଦ୍ଧି କରାଯିବ। ତେବେ କେଉଁ କଲେଜର କେତେ ସିଟ୍‌ ବୃଦ୍ଧି କରାଯିବ ସେନେଇ ଏଯାବତ୍‌ ନିଷ୍ପତ୍ତି ହୋଇନି। କଲେଜଗୁଡ଼ିକ ଜୁଲାଇ ୧୪ରୁ ୨୦ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାମ୍‌ସ ପୋର୍ଟାଲ www.samsodisha.gov.in ରେ ଆବେଦନ କରିବା ପରେ ସେଗୁଡ଼ିକୁ ଯାଞ୍ଚ କରାଯାଉଛି। ନିର୍ଧାରିତ ସମୟ ପରେ ଆସୁଥିବା ଆବେଦନପତ୍ରଗୁଡ଼ିକୁ ଗ୍ରହଣ କରାଯାଇ ନାହିଁ ବୋଲି ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର