ଭୁବନେଶ୍ବର : ଦୁଇଟି ପର୍ଯ୍ୟାୟ ଓ ସ୍ପଟ୍‌ ନାମଲେଖା ପରେ ବି ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଆହୁରି ୧ ଲକ୍ଷ ୩୨ ହଜାର ୪୫ ସିଟ୍‌ ଖାଲି ରହିଛି। କଳା ବିଭାଗରେ ୩୦ ହଜାର ୧୯୮ ସିଟ୍‌ ଖାଲି ପଡ଼ିଥିବା ବେଳେ ବିଜ୍ଞାନ ବିଭାଗରେ ୬୭ ହଜାର ୧୯୭, ବାଣିଜ୍ୟ ବିଭାଗରେ ୨୩ ହଜାର ୫୯୭ଟି ସିଟ୍‌ ବଳକା ରହିଛି। ସଂସ୍କୃତରେ ୧୧ ହଜାର ୩୧୨ ସିଟ୍‌ ମଧ୍ୟରୁ ୫ ହଜାର ୫୬୬ଟି ପୂରଣ ହୋଇଛି। ଧନ୍ଦାମୂଳକ ବିଭାଗରେ ୯ ହଜାର ୩୩୬ ସିଟ୍‌ ମଧ୍ୟରୁ ୪ ହଜାର ୩୦ଟି ପୂରଣ ହୋଇଛି। ଖା‌ଲି ଥିବା ସିଟ୍‌ଗୁଡ଼ିକ ପୂରଣ, ନାମଲେଖା ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବା ସହ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୁଣିଥରେ ନାମଲେଖା ପ୍ରକ୍ରିୟା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିଷ୍ପତ୍ତି ନେଇଛି।

Advertisment

ଅଗଷ୍ଟ ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ ଆଗ୍ରହୀ ଛାତ୍ରଛାତ୍ରୀ ‘www.samodisha.gov.in’ ୱେବସାଇଟ୍‌ରେ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌)ରେ ଆବେଦନ କରିପାରିବେ। ୨୬ ତାରିଖ ଅପରାହ୍ନ ୩ଟା ସୁଦ୍ଧା ସାମ୍‌ସ ରିସୋର୍ସ ସେଣ୍ଟର(ଏସ୍‌ଆରସି)ରେ ସିଏଏଫ୍ ସହ ସମସ୍ତ ଡକ୍ୟୁମେଣ୍ଟ ଦାଖଲ କରିପାରିବେ। ୨୯ ତାରିଖରେ ମେଧା ତାଲିକା ପ୍ରକାଶ କରାଯିବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୩୦ ତାରିଖ ପୂର୍ବାହ୍ନ ୧୧ଟାରୁ ୩୧ ତାରିଖ ଅପରାହ୍ନ ୫ଟା ମଧ୍ୟରେ ନାମ ଲେଖାଇ ପାରିବେ। ବିଏସ୍‌ଇ କିମ୍ବା ଅନ୍ୟ କୌଣସି ବୋର୍ଡ ଅଧୀନରେ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ପାସ୍‌ କରିଥିବା ଛାତ୍ରଛାତ୍ରୀ ଓ ୨୦୧୯-୨୦ ଶିକ୍ଷାବର୍ଷରେ ନାମ ଲେଖାଇ ପାରି ନ ଥିବା ଛାତ୍ରଛାତ୍ରୀ ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ।