ଯୁକ୍ତ୨ ସ୍ବତନ୍ତ୍ର ପରୀକ୍ଷା ଫଳ ପ୍ରକାଶ: ପାସ୍‌ହାର ୬୮.୬୬%, ଛାତ୍ରୀ ଆଗରେ

ଭୁବନେଶ୍ବର : ଯୁକ୍ତ୨ ଅଫ୍‌ଲାଇନ୍‌ ତଥା ସ୍ବତନ୍ତ୍ର ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ପରୀକ୍ଷା ପାଇଁ ୧୩ ହଜାର ୭୧ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୨ ହଜାର ୩୨୧ଜଣ ପରୀକ୍ଷା ଦେଇଥିବା ବେଳେ ସେ ଭିତରୁ ୮୪୬୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ ହାର ୬୮.୬୬% ରହିଛି। ପରୀକ୍ଷାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପ୍ରଦର୍ଶନ ଭଲ ରହିଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗରେ ଛାତ୍ରୀଙ୍କ ପାସ୍‌ହାର ୬୭.୭୬% ଥିବା ବେଳେ ଛାତ୍ରଙ୍କ ପାସ୍‌ହାର ୬୨.୭୧ ପ୍ରତିଶତ ରହିଛି।

କଳା ବିଭାଗରେ ୮୯୩୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬୩୧୦ ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୭୦.୬୨% ରହିଛି। ସେହିପରି ବିଜ୍ଞାନରେ ପରୀକ୍ଷାରେ ଦେଇଥିବା ୨୩୩୧ଜଣଙ୍କ ମଧ୍ୟରୁ ୧୫୦୧, ବାଣିଜ୍ୟରେ ୬୧୫ରୁ ୪୨୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪୪୦ରୁ ୨୨୭ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୪ଟି ଯାକ ବିଭାଗରେ ୧୨୦୧ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ବେଳେ ୯୬୪ ଜଣ ଦ୍ବିତୀୟ ଓ ୬୨୫୧ଜଣ ତୃତୀୟ‌ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩୪ଜଣ ଛାତ୍ରଛାତ୍ରୀ କମ୍ପାଟମେଣ୍ଟାଲରେ ରହିଛନ୍ତି। କଳା ବିଭାଗରେ ୩୫୮୬ଜଣ ଛାତ୍ର ଓ ୨୭୨୪ଜଣ ଛାତ୍ରୀ ପାସ୍‌ କରିଛନ୍ତି। ବାଣିଜ୍ୟରେ ୨୮୮ ଛାତ୍ର ଓ ୨୦୩ଜଣ ଛାତ୍ରୀ, ବିଜ୍ଞାନରେ ୯୨୮ଛାତ୍ର ଓ ୮୪୬ ଛାତ୍ରୀ, ଧନ୍ଦାମୂଳକ ଶିକ୍ଷାରେ ୧୩୪ଛାତ୍ର ଓ ୯୩ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପୂର୍ବ ମାର୍କ ତୁଳନାରେ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଏହି ପରୀକ୍ଷାରେ ଭଲ ହୋଇଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର