ସଂଶୋଧିତ ହେଲା ଯୁକ୍ତ୨ ସିଲାବସ୍‌ : ଏକାଡେମି କ୍ୟାଲେଣ୍ଡର ଜାରି କଲା ସିଏଚ୍‌ଏସ୍‌ଇ

ଭୁବନେଶ୍ୱର : ସଂଶୋଧିତ ହେଲା ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ପାଠ୍ୟକ୍ରମ। କେତେକ ବିଷୟରେ ତ୍ରୁଟି ରହିଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ସିଲାବସ୍‌ କମିଟି ବୈଠକ ବସି ସେଥିରେ ସଂଶୋଧିତ ଅଣାଯାଇଛି। ଏଥିସହ ୨୦୧୯ ଯୁକ୍ତ୨ ପରୀକ୍ଷାରେ ପ୍ରଶ୍ନପତ୍ରଗୁଡ଼ିକରେ ରହୁଥିବା ମାର୍କରେ ସଂସ୍କାର ଆଣିବାକୁ ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

୨୦୧୬ରୁ ସିବିଏସ୍‌ଇ ଢାଞ୍ଚାରେ ଯୁକ୍ତ୨ ସିଲାବସ୍‌ ପ୍ରସ୍ତୁତ ହୋଇଥିବା ବେଳେ କିଛି ବିଷୟରେ ସାମାନ୍ୟ ତ୍ରୁଟି ରହିଥିବା ନଜରକୁ ଆସିଥିଲା। ଯେଉଁଥିପାଇଁ ଗତ ପରୀକ୍ଷା ସମୟରେ ଦ୍ୱନ୍ଦ୍ୱ ଉପୁଜିଥିଲା। ଶେଷ ମୁହୂର୍ତ୍ତରେ ପରୀକ୍ଷା ସମୟରେ ବି ପରିବର୍ତନ କରିବାକୁ ପଡ଼ିଲା। ତେଣୁ ଏଥର ସେଭଳି ସମସ୍ୟାର ସମାଧାନ ପାଇଁ ସିଲାବସ୍‌ରେ କେତେକ ସଂଶୋଧନ କରାଯାଇଛି। ପ୍ରାୟ ୧୫୦ଟି ବିଷୟର ସିଲାବସ୍‌ କମିଟି ବୈଠକ ବସି ପୁସ୍ତକ ଓ ସିଲାବସ୍‌ରେ ଥିବା ତ୍ରୁଟିଗୁଡ଼ିକ ବିଷୟରେ ବ୍ୟାପକ ଆଲୋଚନା ପରେ ସଂଶୋଧିତ ହୋଇଛି। ଖୁବ୍‌ଶୀଘ୍ର ସଂଶୋଧିତ ପାଠ୍ୟକ୍ରମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ େଓ୍ଵବସାଇଟ୍‌ରେ ଉଲ୍ଲେଖ କରାଯିବ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ୨୦୧୯ ପରୀକ୍ଷା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ପରିଷଦ। ଜାରି କରାଯାଇଛି ଏକାଡେମିକ୍‌ କ୍ୟାଲେଣ୍ଡର। ପ୍ରତିଥର ପରି ଏଥର ମଧ୍ୟ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ଜାନୁଆରି ୧୮ରୁ ୩୦ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଜୁନ୍‌ ୧୦ ସୁଦ୍ଧା କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ। ସେପ୍ଟେମ୍ବର ୨୯ ମଧ୍ୟରେ ଏକ୍ସ-ରେଗୁଲାର ଓ ନଭେମ୍ବର ୧୭ ତାରିଖ ମଧ୍ୟରେ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରାଯିବ। ସେହିପରି ଡିସେମ୍ବର ଶେଷ ସୁଦ୍ଧା କଲେଜଗୁଡ଼ିକରେ ସମସ୍ତ ପ୍ରକାର ପ୍ରତିଯୋଗିତା ଶେଷ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର