୫୦% ମଲଟିପୁଲ୍ ଚଏସ୍, ୨୦% ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ
ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢ଼ାଇବାକୁ ଯୋଜନା
ଭୁବନେଶ୍ବର : ମାଟ୍ରିକ୍ ପରି ଯୁକ୍ତ୨ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ହୋଇଛି। ସେଭଳି ବଡ଼ଧରଣର ଅଦଳବଦଳ ହୋଇ ନ ଥିଲେ ମଧ୍ୟ ପ୍ରଶ୍ନପତ୍ରରେ ସଂକ୍ଷିପ୍ତମୂଳକ ପ୍ରଶ୍ନକୁ ଅଧିକ ଗୁରୁତ୍ବ ଦିଆଯାଇଛି।
ପୂର୍ବରୁ ପ୍ରଶ୍ନପତ୍ରରେ ୬୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ଆସୁଥିବା ବେଳେ ଏବେ ତାହାକୁ ୮୦%କୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ଆସନ୍ତା ମେ’ ମାସରେ ହେବାକୁ ଥିବା ଯୁକ୍ତ୨ ପରୀକ୍ଷାରେ ଭାଗ ନେବାକୁ ଥିବା ଛାତ୍ରଛାତ୍ରୀ ୮୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନର ସମ୍ମୁଖୀନ ହେବେ। ପ୍ରଶ୍ନପତ୍ରରେ ୫୦% ମାର୍କର ମଲଟିପୁଲ୍ ଚଏସ୍ ରହିବ। ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ଲେଖାଏଁ ରହିବ। ହାରାହାରି ୩୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ। ପିଲାଙ୍କ ପାଇଁ ଅଧିକ ଅପ୍ସନ୍(ବିକଳ୍ପ) ରହିବ। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୨ କିମ୍ବା ୩ ମାର୍କ ରହିବ। ମାତ୍ର ୨୦% ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ। ପ୍ରଶ୍ନଗୁଡ଼ିକର ମୂଲ୍ୟ ୫ ମାର୍କ ଲେଖାଏଁ ରହିବ। ଏଥିରେ ବି ପରୀକ୍ଷାର୍ଥୀଙ୍କୁ ଅଧିକ ଅପ୍ସନ୍ ତଥା ବିକଳ୍ପ ଦେବାକୁ ନିଷ୍ପତ୍ତି ନିଆଯାଇଛି।
ନୂଆ ସିଲାବସ୍ ଅଧୀନରେ ଆସୁଥିବା ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଅର୍ଥାତ୍ ୨୦୧୬ କିମ୍ବା ଏହାପରେ ପଞ୍ଜୀକରଣ ହୋଇଥିବା ପିଲାଙ୍କ ପାଇଁ ସଂକ୍ଷିପ୍ତ ସିଲାବସ୍ରୁ ପ୍ରଶ୍ନ ଆସିବ। ପୁରୁଣା ସିଲାବସ୍ ଅଧୀନରେ ଆସୁଥିବା ପରୀକ୍ଷାର୍ଥୀ ଅର୍ଥାତ୍ ଯେଉଁମାନେ ୨୦୧୫ କିମ୍ବା ପୂର୍ବରୁ ପଞ୍ଜୀକୃତ ହୋଇଛନ୍ତି ସେମାନଙ୍କ ସିଲାବସ୍ ଓ ପ୍ରଶ୍ନପତ୍ର ପୂର୍ବବର୍ଷ ପରି ଅପରିବର୍ତ୍ତିତ ରହିବ। ଯୁକ୍ତ୨ ଛାତ୍ରଛାତ୍ରୀ ଶହେ ମାର୍କର ପରୀକ୍ଷା ଦେବେ। ଏଥିରେ କୌଣସି ହ୍ରାସ କରାଯାଇନାହିଁ। ପରୀକ୍ଷା ଫି’ ଛାଡ଼ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
ଅନ୍ୟପକ୍ଷରେ କରୋନା କାୟା ମେଲାଇ ଥିବାରୁ ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି। ତେବେ କେତେ ସଂଖ୍ୟାରେ ପରୀକ୍ଷା କେନ୍ଦ୍ର ବଢ଼ିବ ଓ କେଉଁ ନୂଆ କେନ୍ଦ୍ରରେ ପରୀକ୍ଷା କରାଯିବ, ସେନେଇ ପରବର୍ତୀ ସମୟରେ ଧାର୍ଯ୍ୟ ହେବ। ପୂର୍ବବର୍ଷଗୁଡ଼ିକ ପରି ଏଥର ବି ଛାତ୍ରଛାତ୍ରୀ ନିଜ କଲେଜରେ ହିଁ ପରୀକ୍ଷା ଦେବେ। ଘରୋଇ ଯୁକ୍ତ୨ କଲେଜକୁ ଛାଡ଼ି ଭିତ୍ତିଭୂମି ଥିବା ବାକି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ପରୀକ୍ଷା କେନ୍ଦ୍ର କରିବାକୁ ଯୋଜନା ରହିଛି। ନୂତନ ପରୀକ୍ଷା ଢାଞ୍ଚା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମେ ଏକ୍ସ-ରେଗୁଲାର ଓ ପରବର୍ତୀ ସମୟରେ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।