ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରି ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ କଳା ଓ ବାଣିଜ୍ୟ ବିଭାଗର ଏମ୍ଆଇଏଲ୍(ଓଡ଼ିଆ) ବିଷୟ ପରୀକ୍ଷା ରହିଛି। ମେ’ ୯ରୁ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଆରମ୍ଭ ହେବ। ପ୍ରତିଦିନ ପୂର୍ବାହ୍ନ ୯ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ଚଳିତବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେବେ। ୧୧୩୩ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ପରୀକ୍ଷା ପରିଚାଳନା ହବ୍ ତଥା ନୋଡାଲ୍ ସେଣ୍ଟର ହୋଇଛି। ପରୀକ୍ଷାରେ ସ୍ବଚ୍ଛତା, କପି ରୋକିବା, ନକଲି ପ୍ରଶ୍ନପତ୍ର ଓ ଗୁଜବକାରୀଙ୍କ ଉପରେ କଡ଼ା ନଜର ରଖିବା ଉପରେ ଏଥର ଗୁରୁତ୍ବାରୋପ କରାଯାଇଛି।
ଆଇନ ଶୃଙ୍ଖଳା ନିମନ୍ତେ ପ୍ରତି ସେକ୍ଟର ଅନୁଯାୟୀ ଆବଶ୍ୟକ ପୁଲିସ, ଗାଡ଼ି ଆଦି ମୁତୟନ ହୋଇଛି। ସୋସିଆଲ୍ ମିଡିଆ ମାଧ୍ୟମରେ ନକଲି ପ୍ରଶ୍ନପତ୍ର ଭାଇରାଲ କରୁଥିବା ବ୍ୟକ୍ତି, ପ୍ରଶ୍ନପତ୍ର ଓ ଉତ୍ତର ଖାତା ବିଷୟରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା, ଏଭଳି ବ୍ୟକ୍ତିଙ୍କୁ ଠାବ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। କପି ରୋକିବା ଲାଗି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ସମେତ ଇଲେକ୍ଟ୍ରୋନିକ୍ ସାମଗ୍ରୀ ନେବା ଉପରେ କଟକଣା ଲାଗିଛି। ପରୀକ୍ଷା ପରିଚାଳନା ଦାୟିତ୍ବରେ ରହିଥିବା ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ପରୀକ୍ଷା ଆରମ୍ଭ ପୂର୍ବରୁ କେନ୍ଦ୍ରର ଏକ ସ୍ବତନ୍ତ୍ର ସ୍ଥାନରେ ମୋବାଇଲ୍ ଦାଖଲ କରିବେ। ପରୀକ୍ଷା ଆରମ୍ଭ ହେବାର ଅଧଘଣ୍ଟା ପରେ କୌଣସି ବି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ ଏବଂ ପ୍ରଥମ ଏକ ଘଣ୍ଟା ମଧ୍ୟରେ ପରୀକ୍ଷାର୍ଥୀ ଉତ୍ତର ଖାତା ଦାଖଲ କରିପାରିବେ ନାହିଁ। ହଲ୍, ପ୍ରଶ୍ନପତ୍ର ଖୋଲିବା, ପରୀକ୍ଷା ଚାଲିଥିବା ସମୟ ଓ ଉତ୍ତର ଖାତା ସିଲ୍ ପରି କାର୍ଯ୍ୟକ୍ରମ ସିସିଟିଭି ନଜରରେ ଅନୁଷ୍ଠିତ ହେବ। ପରୀକ୍ଷାର ସୁପରିଚାଳନା ପାଇଁ ପରିଷଦ ପକ୍ଷରୁ ସ୍କ୍ବାଡ୍ ଗଠିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/exams.jpg)