ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ: ନାମ ଲେଖାଇଲେନି ୬୫ ହଜାର

ଭୁବନେଶ୍ବର: ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୩ ଲକ୍ଷ ୮୬ହଜାର ୪୬୪ଜଣଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ ହୋଇଥିବା ବେଳେ ୩ ଲକ୍ଷ ୨୧ ହଜାର ୭୨୦ ଜଣ ନାମ ଲେଖାଇଛନ୍ତି। କଳା ବିଭାଗରେ ୨ ଲକ୍ଷ ୪୭ ହଜାର ୯୦୬ ଛାତ୍ରଛାତ୍ରୀଙ୍କୁ ସିଟ୍‌ ଆଲଟ୍‌ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ଲକ୍ଷ ୮ ହଜାର ୩୩୩ ଜଣ ନାମ ଲେଖାଇଛନ୍ତି। ସେହିପରି ବିଜ୍ଞାନରେ ୧ ଲକ୍ଷ ୭୩୭ ମଧ୍ୟରୁ ୮୩ ହଜାର ୧୩, ବାଣିଜ୍ୟରେ ୨୪ ହଜାର ୫୬୦ରୁ ୧୯ ହଜାର ୭୯୧, ସଂସ୍କୃତରେ ୭୫୯୨ରୁ ୬୦୬୮ ଓ ଧନ୍ଦାମୂଳକ ବିଭାଗରେ ୫୬୬୯ରୁ ୪୫୧୫ ଜଣ ନାମ ଲେଖାଇଛନ୍ତି। ଆହୁରି ୬୪ ହଜାର ୭୪୪ଜଣ ନାମ ଲେଖାଇ ନାହାନ୍ତି। ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ଡ୍ରପ୍‌ ଆଉଟ୍‌ ବଢ଼ାଇବାର ଆଶଙ୍କା ସୃଷ୍ଟି କରିଛି।

୨୦୨୧-୨୨ ଶିକ୍ଷାବର୍ଷରେ ଯୁକ୍ତ୨ କଳା, ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ମୋଟ ୫ ଲକ୍ଷ ୬୭୫ ସିଟ୍‌ ପାଇଁ ନାମଲେଖା ହେଉଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଆହୁରି ୧ ଲକ୍ଷ ୭୮ ହଜାର ୯୫୫ ଆସନ ଖାଲି ରହିଛି। ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା କଲେଜଗୁଡ଼ିକ ଯୁକ୍ତ୨ ନାମଲେଖା ସମ୍ବନ୍ଧୀୟ ସବିଶେଷ ତଥ୍ୟ ଦାଖଲ କରିବେ। ଛାତ୍ରଛାତ୍ରୀ ନାମ ଲେଖାଇଥିବା କଲେଜରୁ ଉପର କଲେଜକୁ ଯିବା ପାଇଁ ୨୩ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସ୍ଲାଇଡ୍‌ ଅପ୍‌ ଆବେଦନ କରିପାରିବେ। ସେପ୍ଟେମ୍ବର ୨୭ ଅପରାହ୍‌ଣ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୨୯ରୁ ଆକ୍ଟୋବର ପହିଲା ମଧ୍ୟ‌ରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ହେବ। ଅକ୍ଟୋବର ୪ରେ ସ୍ପଟ୍‌ ନାମଲେଖା ପାଇଁ ଆବେଦନ ହେବ ଓ ୫ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ୭ରେ ସ୍ପଟ୍‌ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ନାମ ଲେଖାଇବେ।

ସମ୍ବନ୍ଧିତ ଖବର