+୩ ଷଷ୍ଠ ସେମିଷ୍ଟାର ପରୀକ୍ଷା ବିବାଦ, ଜରୁରୀ ବୈଠକ ଡାକିଲା ଉଚ୍ଚଶିକ୍ଷା ବିଭାଗ

ଭୁବ‌ନେଶ୍ବର : ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ଡେଉଁଛି, ଯାହାକୁ ନେଇ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ବସ୍‌, ଟ୍ରେନ୍‌, ଅଟୋ, ବିମାନ ସେବା ସ୍ବାଭାବିକ ହୋଇପାରିନି। ଏଭଳି ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକ ଯୁକ୍ତ୩ ୬ଷ୍ଠ ସେମିଷ୍ଟାର ପରୀକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା କରିବାକୁ ଇତି ମଧ୍ୟରେ ବିଜ୍ଞପ୍ତି ଜାରି କରିସାରିଛନ୍ତି। ଯାହାକୁ ବିରୋଧ କରି ଗତ ସପ୍ତାହେ ହେଲା ଛାତ୍ରଛାତ୍ରୀ ଆନ୍ଦୋଳନ ଜାରି ରଖିଛନ୍ତି। ବିଜେବି ସ୍ବୟଂଶାସିତ ଛାତ୍ରଛାତ୍ରୀ ବି ଇତି ମଧ୍ୟରେ ରାସ୍ତାକୁ ଓହ୍ଲାଇ ସାରିଛନ୍ତି। ପରୀକ୍ଷାର୍ଥୀଙ୍କ ସୁରକ୍ଷା ସମେତ ହଷ୍ଟେଲ ସୁବିଧା, କ୍ୟାମ୍ପସ ସାନିଟାଇଜେସନ, ପରୀକ୍ଷାର୍ଥୀ ଆସି କଲେଜରେ ପହଞ୍ଚିବାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ପରୀକ୍ଷା ବାତିଲ୍‌ କରିବା ଦାବିରେ ଚାଲିଥିବା ଏହି ଛାତ୍ର ଆନ୍ଦୋଳନ ଗୋଟିଏ ପରେ ଗୋଟିଏ କ୍ୟାମ୍ପସକୁ ବ୍ୟାପୁଥିବା ଦେଖି ଉଚ୍ଚଶିକ୍ଷା ବିଭାଗ ନିଦ ଭାଙ୍ଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ବେସରକାରୀ ଅନୁଦାନପ୍ରାପ୍ତ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଜରୁରୀ ବୈଠକ ଡକାଯାଇଛି।

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା ଧରି ଏହି ବୈଠକ ଚାଲିବ। ଏଥିରେ ପରୀକ୍ଷା ବିବାଦ ସହ ଏକାଡେମିକ ସମ୍ପର୍କିତ ବିଷୟ ଉପରେ ମୁଖ୍ୟତଃ ଆଲୋଚନା କରାଯିବ। ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷମାନେ ନିଜ ନିଜ ଜିଲ୍ଲାରେ ଥିବା ଓସ୍ବାନ ଭବନରେ ପହଞ୍ଚି ଭିଡିଓ କନ୍‌ଫରେନ୍ସରେ ଭାଗନେବେ। ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଥିବା ସ୍ବୟଂଶାସିତ କଲେଜର ଅଧ୍ୟକ୍ଷମାନେ ଯଥାକ୍ରମେ ବିର୍ସା ବ୍ଲକ ଓ ଖଡ଼ିଆଳ ବ୍ଲକାରେ ଥିବା ଓସ୍ବାନ ହଲ୍‌ରେ ପହଞ୍ଚି ଭାଗନେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର