ଭୁବନେଶ୍ବର : ଯୁକ୍ତ୩ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ବିଭିନ୍ନ କାରଣ ପାଇଁ ନାମ ଲେଖାଇପାରି ନାହାନ୍ତି। ଯେଉଁଥିପାଇଁ ସମୟ ଅବଧିକୁ ବୃଦ୍ଧି କରାଯାଇଛି। ଯୋଗ୍ୟ ଛାତ୍ରଛାତ୍ରୀ ୧୭ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ନାମଲେଖା ଫି’ ଅନ୍‌ଲାଇନ୍‌ରେ ଦାଖଲ କରିବା ସହ ୧୮ ତାରିଖ ସୁଦ୍ଧା ସମ୍ପୃକ୍ତ କଲେଜରେ ରିପୋର୍ଟିଂ କରି ନାମ ଲେଖାଇବେ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଉପର କଲେଜକୁ ସ୍ଥାନାନ୍ତର ହେବା ପାଇଁ ସ୍ଲାଇଡ୍‌ ଅପ୍‌ରେ ଆବେଦନ କରିପାରିବେ। ଏଥିପାଇଁ ୧୮ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଅନ୍‌ଲାଇନ୍‌ରେ ସ୍ଲାଇଡ୍‌ ଅପ୍‌ ପାଇଁ ଆବେଦନ କରିହେବ। ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରଥମ ପର୍ଯ୍ୟାୟ ନାମଲେଖା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଆସନ୍ତା ୧୮ ତାରିଖ ସୁଦ୍ଧା ଇ-ସ୍ପେସ୍‌ରେ ଦାଖଲ କରିବେ। ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ୨୧ରେ ପ୍ରକାଶ ପାଇବାକୁ ଥିବାବେଳେ ଏହାକୁ ୨୩ ତାରିଖକୁ ବୃଦ୍ଧି କରାଯାଇଛି। ୨୩ରୁ ୨୭ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଫି’ ଦାଖଲ କରିହେବ। ଏହି ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀ ୨୪ରୁ ୨୮ ତାରିଖ ମଧ୍ୟରେ ନାମ ଲେଖାଇବେ। ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ କଲେଜ କର୍ତ୍ତୃପକ୍ଷ ନାମଲେଖା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଇ-ସ୍ପେସ୍‌ରେ ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Advertisment

୨୦୨୧-୨୨ ଶିକ୍ଷାବର୍ଷରେ ୨ ଲକ୍ଷ ୪୯ ହଜାର ୫୩୯ ସିଟ୍‌ରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୬୮ ହଜାର ୫୩୭ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଥିଲେ। କଳାରେ ୧ ଲକ୍ଷ ୨ ହଜାର ୨୯୨, ଫିଜିକାଲ ସାଇନ୍ସରେ ୨୫ ହଜାର ୩୫୦, ବାୟୋଲୋଜିକାଲ ସାଇନ୍ସରେ ୧୮ ହଜାର ୩୩୮, ବାଣିଜ୍ୟରେ ୧୭ ହଜାର ୬୩୪, ସଂସ୍କୃତରେ ୩ ହଜାର ୭୮୮ ଓ ସେଲ୍ଫ ଫାଇନାନ୍ସିଂରେ ୧୧୩୫ ଜଣ ରହିଛନ୍ତି। ତେବେ ଆଜି ସୁଦ୍ଧା ୧ ଲକ୍ଷ ୨୧ ହଜାର ୮୨୧ ଜଣ ଛାତ୍ରଛାତ୍ରୀ ନାମ‌ ଲେଖାଇଛନ୍ତି। କଳାରେ ୭୫ ହଜାର ୧୦୯, ଫିଜିକାଲ ସାଇନ୍ସରେ ମାତ୍ର ୧୭ ହଜାର ୫୩୭, ବାୟୋଲୋଜିକାଲ ସାଇନ୍ସରେ ୧୨ ହଜାର ୪୧୮, ବାଣିଜ୍ୟରେ ୧୩ ହଜାର ୯୦, ସଂସ୍କୃତରେ ୩୦୩୯ ଓ ସେଲ୍ଫ ଫାଇନାନ୍ସିଂରେ ୬୧୮ ଜଣ ୧୦୨୫ କଲେଜରେ ନାମ ଲେଖାଇଛନ୍ତି। ଆହୁରି ୪୬ ହଜାର ୭୧୬ ଜଣ ଏପର୍ଯ୍ୟନ୍ତ ନାମ ଲେଖାଇ ନାହାନ୍ତି।