ବଦଳିବ ଯୁକ୍ତ୩ ପାଠ୍ୟକ୍ରମ

ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା, ପରୀକ୍ଷା ପରିଚାଳନାରେ ଆସିବ ସଂସ୍କାର

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗରେ ଆସିବ ସ˚ସ୍କାର। ବିଭାଗ ଅଧୀନରେ ଥିବା ୧୧ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ନେଇ ଆଜି ଦିନ ତମାମ ଉଚ୍ଚଶିକ୍ଷା ପରିଷଦରେ ବୈଠକ‌ ହୋଇଥିଲା। ଏଥିରେ ମୁଖ୍ୟତଃ ୪ଟି ବିଷୟରେ ଆଲୋଚନା ହୋଇଛି। ୨୦୧୯-୨୦ ଶିକ୍ଷାବର୍ଷରୁ ସାରା ରାଜ୍ୟରେ ଯୁକ୍ତ୩ରେ ଆଦର୍ଶ ପାଠ୍ୟକ୍ରମ ଲାଗୁ ସହ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା, ପରୀକ୍ଷା ପରିଚାଳନାରେ ସଂସ୍କାର ଓ ଗବେଷଣାର ମାନ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି।

ଉକ୍ତ ବିଷୟଗୁଡ଼ିକୁ ଲାଗୁ କରିବା ପାଇଁ ପୂର୍ବରୁ ଏକାଧିକ ବୈଠକ ହୋଇଥିବା ବେଳେ ଏବେ ତାହାକୁ ଚୂଡ଼ାନ୍ତ ରୂପ ଦେବାକୁ ଉଦ୍ୟମ କରାଯାଇଛି। ଶିକ୍ଷାକୁ ନିଯୁକ୍ତିଭିତ୍ତିକ କରିବା, ଜାତୀୟସ୍ତରର ପ୍ରତିଯୋଗିତାମୂଳକ ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀ ଯେମିତି ଭଲ କରିବେ, ଉଚ୍ଚତର ଗବେଷଣା ଓ ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ କରିବାକୁ ସ୍ଥିର ହୋଇଛି। ପ୍ରଥମତଃ ଷ୍ଟେଟ୍‌ ମଡେଲ୍‌ ଅଣ୍ଡର ଗ୍ରାଜୁଏଟ୍‌ ସିଲାବସ୍‌ ପ୍ରସ୍ତୁତ ଉପରେ ପ୍ରାଧ୍ୟାନ୍ୟ ଦିଆଯାଇଛି। ଗତ ୬ ମାସ ହେଲା ସିଲାବସ୍‌ କମିଟି ଗୁଣାତ୍ମକ ପାଠ୍ୟଖସଡ଼ା ପ୍ରସ୍ତୁତ କରିଥିବା ବେଳେ ତାହାକୁ ରିଭ୍ୟୁ ପାଇଁ ବାହାର ବିଶ୍ବବିଦ୍ୟାଳୟ ପ୍ରଫେସରମାନଙ୍କ ନିକଟକୁ ପଠାଯାଇଥିଲା। ସେମାନେ ରିପୋର୍ଟ ପ୍ରଦାନ କରିଛନ୍ତି। ଏବେ ତାହା ଉପରେ ଆଉ ଥରେ ବିଚାରବିମର୍ଶ କରାଯିବା ପରେ ଲାଗୁ କରିବାକୁ ସ୍ଥିର ହୋଇଛି। ଯୁକ୍ତ୩ କଲେଜରେ କେତେକ ନୂତନ ପାଠ୍ୟକ୍ରମ ଖୋଲିବ। ଏସବୁ ପାଠ୍ୟକ୍ରମରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଟ୍ରେନିଂ ଦିଆଯିବ। ଆସନ୍ତା ମାସ ସୁଦ୍ଧା ଯୁକ୍ତ ୩ ପାଠ୍ୟକ୍ରମର ରୂପରେଖ ଚୂଡ଼ାନ୍ତ ହେବ ବୋଲି ବୈଠକରେ ସ୍ଥିର ହୋଇଛି।

ଦ୍ବିତୀୟତଃ ସମସ୍ତ ବିଶ୍ବବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ଏକକ ପ୍ରବେଶିକା ଲାଗି ଯୁକ୍ତ ୩ରେ ଅତି କମ୍‌ରେ ୪୫ପ୍ରତିଶତ ମାର୍କ ରହିଥିବା ନିତାନ୍ତ ଆବଶ୍ୟକ। ପିଜିର ଏକକ ନାମଲେଖା ନେଇ ଗୋଟିଏ ମେରିଟ୍‌ ଲିଷ୍ଟ ପ୍ରସ୍ତୁତ ହେବ। ତା’ପରେ ବିଶ୍ବବିଦ୍ୟାଳୟଗୁଡ଼ିକ ନିଜ ନିୟମ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା କରାଇବେ। ଉତ୍କଳ ବିଶ୍ବବିଦ୍ୟାଳୟ କଳା ବିଭାଗର ପ୍ରବେଶିକା ପରୀକ୍ଷା ପରିଚାଳନା କରିବାକୁ ଥିବା ବେଳେ ସମ୍ବଲପୁର ବିଶ୍ବବିଦ୍ୟାଳୟ ବିଜ୍ଞାନ ବିଭାଗ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗର ପ୍ରବେଶିକା ପରୀକ୍ଷା ପରିଚାଳନା କରିବେ।

ତୃତୀୟରେ ପରୀକ୍ଷା ପରିଚାଳନାରେ ସଂସ୍କାର ଆଣିବାକୁ ସ୍ଥିର ହୋଇଛି। ସମସ୍ତ ବିଶ୍ବବିଦ୍ୟାଳୟ ନିର୍ଦ୍ଧାରିତ ସମୟରେ ଫର୍ମ ପୂରଣ, ପରୀକ୍ଷା କରିବା, ଫଳ ପ୍ରକାଶ ଦିଗରେ ପଦକ୍ଷେପ ନିଆଯିବ। ଏବେ ଠିକ୍‌ ସମୟରେ ଫଳ ବାହାରୁ ନଥିବାରୁ ଛାତ୍ରଛାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ୁଛି। ତାହାକୁ ଦୃଷ୍ଟିରେ ରଖି ସଂସ୍କାର ଆଣିବାକୁ ସ୍ଥିର ହୋଇଛି। ଚତୁର୍ଥ‌‌ରେ ଗବେଷଣାର ମାନ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଛାତ୍ରଛାତ୍ରୀ ଯେପରି କ୍ୟାମ୍ପସରେ ଗବେଷଣା କରିବାର ସୁଯୋଗ ପାଇବେ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ।

ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ କହିଛନ୍ତି ଯେ ଉଚ୍ଚଶିକ୍ଷା ବିଭାଗରେ ସଂସ୍କାର ପାଇଁ ଗତ ଏକ ବର୍ଷ ‌ହେଲା ପ୍ରକ୍ରିୟା ଚାଲିଛି। ୨୦୧୯-୨୦ ଶିକ୍ଷାବର୍ଷରୁ ତାହାକୁ ଲାଗୁ କରିବା ଲକ୍ଷ୍ୟ ରଖାଯାଇଛି। ଏହାଦ୍ବାରା ଓଡ଼ିଶାର ଛାତ୍ରଛାତ୍ରୀ ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିପାରିବେ।

ସମ୍ବନ୍ଧିତ ଖବର