ଜୁଲାଇ ୨୪ ସୁଦ୍ଧା ସରିବ ଯୁକ୍ତ୩ ଶେଷ ବର୍ଷ ପରୀକ୍ଷା

ଅଗଷ୍ଟ ୨୦ ସୁଦ୍ଧା ସରିବ ପିଜି ପରୀକ୍ଷା
ପରୀକ୍ଷା ସରିବାର ୩୦ ଦିନ ଭିତରେ ରେଜଲ୍ଟ
ଅକ୍ଟୋବର ୨୦ ସୁଦ୍ଧା ସରିବ ଏକକ ପ୍ରବେଶିକା ପରୀକ୍ଷା
ନଭେମ୍ବରରୁ ପ୍ରଥମ ବର୍ଷ ପିଜି ଛାତ୍ରଛାତ୍ରୀଙ୍କ ପାଠପଢ଼ା

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଅଧୀନ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜର ଯୁକ୍ତ୩ ଶେଷ ବର୍ଷ ୬ଷ୍ଠ ସେମିଷ୍ଟର ପରୀକ୍ଷା ଜୁଲାଇ ୨୪ ସୁଦ୍ଧା ସରିବ। ଜୁନ୍‌ ୨୦ ପରେ ଯେ କୌଣସି ସମୟରେ ପରୀକ୍ଷା ହେବ ଓ ଅଗଷ୍ଟ ୩୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ପରୀକ୍ଷାର ସୂଚୀ ସ୍ଥିର କରି ଛାତ୍ରଛାତ୍ରୀଙ୍କୁ ଆଗୁଆ ଜଣାଇବା ଲାଗି କୁହାଯାଇଛି।

ବିଶ୍ବବିଦ୍ୟାଳୟଗୁଡ଼ିକର ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ୨୦୨୦-୨୧ ଶିକ୍ଷାବର୍ଷରୁ ହିଁ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ସେପ୍ଟେମ୍ବର ମାସରୁ ଆ‌ରମ୍ଭ ହୋଇ ଅକ୍ଟୋବର ମାସ ପର୍ଯ୍ୟନ୍ତ ଜାରି ରହିବ। ଅକ୍ଟୋବର ୨୦ ସୁଦ୍ଧା ଏକକ ପ୍ରବେଶିକା ପରୀକ୍ଷାର ଖାତା ମୂଲ୍ୟାୟନ, ରୢାଙ୍କ ପ୍ରକାଶ, କାଉନସେଲିଂ କରାଯାଇ ନାମଲେଖା ଶେଷ ହେବ। ନଭେମ୍ବର ମାସଠାରୁ ନୂତନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୁଳପତିମାନଙ୍କ ଭିଡିଓ କନ୍‌ଫରେନ୍ସିଂରେ ନିଷ୍ପତ୍ତି ନିଆଯାଇଛି।

ସେହିପରି ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକରେ ଥିବା ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମର ଶେଷ ତଥା ୪ର୍ଥ ସେମିଷ୍ଟର ପରୀକ୍ଷା ଅଗଷ୍ଟ ୨୦ ସୁଦ୍ଧା ସରିବ। କୌଣସି ବି ପରିସ୍ଥିତିରେ ଖାତା ମୂଲ୍ୟାୟନ ଓ ଫଳ ପ୍ରକ‌ାଶର ଅବଧି ୩୦ ଦିନରୁ ଅଧିକ ହେବନାହିଁ। ରାଜ୍ୟ ସରକାରଙ୍କ କୋଭିଡ-୧୯ ଗାଇଡଲାଇନ ଅନୁସାରେ ସମସ୍ତ କାର୍ଯ୍ୟ ଓ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଜୁନ୍‌ ୧୭ ସୁଦ୍ଧା ଯଦି କରୋନା ସ୍ଥିତିରେ ସୁଧାର ଆସିଥିବ, ତେବେ ସମସ୍ତ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଓ କଲେଜକୁ ଆସିବେ। ନ ହେଲେ ଛାତ୍ରଛାତ୍ରୀ ପର୍ଯ୍ୟାୟକ୍ରମେ ଶିକ୍ଷାନୁଷ୍ଠାନକୁ ଆସିବେ। ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ପ୍ରଥମେ ଶିକ୍ଷାନୁଷ୍ଠାନକୁ ଆସିବେ। ସେମାନଙ୍କ ପରୀକ୍ଷା ସରିବା ପରେ ଦ୍ବିତୀୟ ଓ ୪ର୍ଥ ସେମିଷ୍ଟର ପିଲାଙ୍କ ପରୀକ୍ଷା କରାଯିବ। ଯେଉଁଦିନ ପରୀକ୍ଷା ଶେଷ ହେବ, ତା’ପରଦିନଠାରୁ ପରବର୍ତୀ ସେମିଷ୍ଟରର ପାଠପଢ଼ା ଆରମ୍ଭ ହେବ। କୌଣସି ବି ଶିକ୍ଷାନୁଷ୍ଠାନ ଏକ୍ଷେତ୍ରରେ ବିଳମ୍ବ ନ କରିବାକୁ କୁହାଯାଇଛି। କରୋନା ସ୍ଥିତି ଉପରେ ଆଲୋଚନା ପାଇଁ ପ୍ରତି ୧୫ ଦିନରେ ଥରେ କୁଳପତିମାନଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଆଲୋଚନା ହେବ। ଅନ୍‌ଲାଇନ୍‌ ପାଠପଢ଼ା ଓ ଇ-ଲର୍ଣ୍ଣିଂ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବା ଲାଗି ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାଶଙ୍କୁ ନେଇ ଏକ କମିଟି ଗଠିତ ହୋଇଛି। ଉକ୍ତ କମିଟି ଏହା ଉପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ, ଯାହାକୁ ଆସନ୍ତା ଶିକ୍ଷାବର୍ଷଠାରୁ ଲାଗୁ କରାଯାଇପାରିବ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ବାକି ରହିଥିବା ପରୀକ୍ଷା କରାଇବାକୁ ଆମେ ପ୍ରାଥମିକତା ଦେଉଛୁ। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ଗାଇଡ୍‌ଲାଇନ୍‌ ଆଧାରରେ ଯେପରି ପରୀକ୍ଷା କରିବା, ଫଳ ପ୍ରକାଶ ଓ ନାମଲେଖା ହେବ ସେନେଇ ୧୧ଟି ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ଆଲୋଚନା କରାଗଲା। ସେମାନଙ୍କ ମତାମତକୁ ଗ୍ରହଣ କରାଯାଇଛି। ପିଲାଙ୍କୁ ଡିଜିଟାଲ ମାଧ୍ୟମରେ କିଭଳି ପଢ଼ାଯାଇ ପାରିବ ସେନେଇ ଗୋଟିଏ କମିଟି ଗଠନ କରାଯାଇଛି। ସେମାନେ ଏହାର ବ୍ଲୁପ୍ରିଣ୍ଟ କରି ଦେବା ପରେ ବିଭାଗ ତାହାକୁ ଲାଗୁ କରିବ। ଲୋକସେବା ଭବନରେ ଅନୁଷ୍ଠିତ ଏହି ଭିଡିଓ କନଫରେନ୍ସିଂରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର, ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାଶ, ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ରଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟ ବିଶ୍ବବିଦ୍ୟାଳୟର କୁଳପତିମାନେ ନିଜ ନିଜ ଜିଲ୍ଲାରୁ ଭିଡିଓ କନଫରେନ୍ସିଂ ମାଧ୍ୟମ‌ରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର