ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ଯୁକ୍ତ୩(ସ୍ନାତକ) କଲେଜ‌ରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ତଥା ମେଧା ତାଲିକା ଆଜି ପ୍ରକାଶ ପାଇଛି। ସାମ୍‌ସ ମାଧ୍ୟମରେ ହେଉଥିବା ଏହି ନାମଲେଖା ପ୍ରକ୍ରିୟାରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ବିଭିନ୍ନ ବିଷୟର କଟ୍‌ ଅଫ୍‌ ମାର୍କ ରେକର୍ଡ ସୃଷ୍ଟି କରିଛି। ଅଧିକାଂଶ ବିଷୟରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟକୁ ରେଭେନ୍ସା ପଛରେ ପକାଇ ଦେଇଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ରେଭେନ୍ସା ଶୀର୍ଷରେ ରହିଥିବା ବେଳେ ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ ବିଜେବି, ସଂସ୍କୃତ ବିଭାଗରେ ଶ୍ରୀ ରାଧାମାଧବ ସଂସ୍କୃତ ଡିଗ୍ରି କଲେଜ, ଆଇନ ବିଭାଗରେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର କଟ୍‌ ଅଫ୍‌ ମାର୍କ ଶୀର୍ଷରେ ରହିଛି।

Advertisment

୨୦୨୪-୨୫ ଶିକ୍ଷାବର୍ଷରେ ୨ ଲକ୍ଷ ୭୪ ହଜାର ୩୩୧ ସିଟ୍‌ରେ ନାମଲେଖା ପାଇଁ ୨ଲକ୍ଷ ୩୭ ହଜାର ୭୯୫ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୮ ହଜାର ୯୭୬ ଛାତ୍ରଛାତ୍ରୀ ନାମଲେଖା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। କଳାରେ ୧ ଲକ୍ଷ ୯ ହଜାର ୮୫୪, ବିଜ୍ଞାନରେ ୪୫ ହଜାର ୬୧୪, ବାଣିଜ୍ୟରେ ୧୭ହଜାର ୧୫୬, ସଂସ୍କୃତରେ ୩ ହଜାର ୫୭୪, ସେଲ୍ଫ ଫାଇନାନ୍ସିଂରେ ୨,୬୨୬ ଓ ଆଇନ ବିଭାଗରେ ୧୫୨ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୭୨ ହଜାର ୫୫୬ଜଣ ଛାତ୍ର, ୧ଲକ୍ଷ ୬ ହଜାର ୪୧୪ଜଣ ଛାତ୍ରୀ, ୬ଜଣ କିନ୍ନର ସ୍ନାତକ ପଢ଼ିବାକୁ ମନୋନୀତ ହୋଇଛନ୍ତି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁନ୍‌ ୨୬ ତାରିଖ ସକାଳ ୯ଟାରୁ ୨୯ ତାରିଖ ଅପରାହ୍ଣ ୫ଟା ମଧ୍ୟରେ ନାମ ଲେଖାଇପାରିବେ।

କଳା ବିଭାଗ ସାଧାରଣ ବର୍ଗରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଭୂଗୋଳ ବିଷୟର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୮୯.୬୭% ରହିଛି। ଫିଜିକାଲ ସାଇନ୍ସରେ ରେଭେନ୍ସାର ପଦାର୍ଥ ବିଜ୍ଞାନ ବିଷୟର କଟ୍‌ ଅଫ୍‌ ମାର୍କ ୯୧.୧୭%, ବାୟୋଲୋଜି ସାଇନ୍ସରେ ରେଭେନ୍ସା ପ୍ରାଣୀ ବିଜ୍ଞାନ ବିଷୟର କଟ୍‌ ଅଫ୍‌ ମାର୍କ ୯୩.୨୦%, ବାଣିଜ୍ୟରେ ୮୮.୬୦% ହୋଇଛି। ସଂସ୍କୃତ ବିଭାଗ ଶାସ୍ତ୍ରୀ ବିଷୟରେ ଶ୍ରୀ ରାଧାମାଧବ ସଂସ୍କୃତ ଡିଗ୍ରି କଲେଜର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୬୮.୫୭%, ସେଲ୍ଫ ଫାଇନାନ୍ସିଂ ବିଭାଗରେ ବାୟୋ ଟେକ୍ନୋଲୋଜି ବିଷୟରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୮୭.୪୦% ଓ ଆଇନ ବିଭାଗରେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ୫ ବର୍ଷିଆ ଇଣ୍ଟ୍ରିଗ୍ରେଟେଡ୍‌ ବିଏଏଲ୍‌ଏଲ୍‌ବି ପାଠ୍ୟକ୍ରମର କଟ୍‌ ଅଫ୍‌ ମାର୍କ ୮୧% ରହିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।