+୩ ମେଧା ତାଲିକା ପ୍ରକାଶ ପାଇଲା: ସର୍ବାଧିକ ଛାତ୍ରଛାତ୍ରୀଙ୍କ ପସନ୍ଦ ବିଜେବି

କଟ୍‌ଅଫ୍‌ ମାର୍କରେ ସର୍ବକାଳୀନ ରେକର୍ଡ
୧୪ ଯାଏ ଫି’ ଦାଖଲ, ୧୩ରୁ ୧୬ ଯାଏ ନାମଲେଖା

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ଯୁକ୍ତ୩(ସ୍ନାତକ) କଲେଜ‌ରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଧାର୍ଯ୍ୟ ସମୟ(ପୂର୍ବାହ୍ନ ୧୧ଟା)ର ୮ ଘଣ୍ଟା ବିଳମ୍ବରେ ସନ୍ଧ୍ୟା ୭ଟା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତାଲିକା ପ୍ରକାଶ କରାଯାଇଛି। ଯେଉଁଥିରେ କଟ୍‌ଅଫ୍‌ ମାର୍କ ସର୍ବକାଳୀନ ରେକର୍ଡ ହୋଇଛି। ପ୍ରଥମ ଥର ପାଇଁ ସବୁ ବିଭାଗ(ସଂସ୍କୃତ ବ୍ୟତୀତ)ରେ କଟ୍‌ଅଫ୍‌ ମାର୍କ ୯୦% ଉପରରେ ରହିଛି। ଏମିତିକି କଳା ବିଭାଗରେ ସର୍ବାଧିକ କଟ୍‌ଅଫ୍‌ ମାର୍କ ୯୫ ଉପରେ ରହିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଭୁବନେଶ୍ବର ସ୍ଥିତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ପଢ଼ିବା ଲାଗି ରାଜ୍ୟର ସର୍ବାଧିକ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିଥିବାରୁ ଏଠାରେ କଟ୍‌ ଅଫ୍‌ ମାର୍କ ସବୁଠାରୁ ଅଧିକ ରହିଛି।

୨୦୨୧-୨୨ ଶିକ୍ଷାବର୍ଷରେ ୨ ଲକ୍ଷ ୪୯ ହଜାର ୫୩୯ ସିଟ୍‌ରେ ନାମଲେଖା ପାଇଁ ୨ଲକ୍ଷ ୪୪ ହଜାର ୨୫୨ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୬୮ ହଜାର ୫୩୭ ଛାତ୍ରଛାତ୍ରୀ ନାମଲେଖା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। କଳାରେ ୧ ଲକ୍ଷ ୨ ହଜାର ୨୯୨, ଫିଜିକାଲ ସାଇନ୍ସରେ ୨୫ ହଜାର ୩୫୦, ବାୟୋଲୋଜିକାଲ ସାଇନ୍ସରେ ୧୮ ହଜାର ୩୩୮, ବାଣିଜ୍ୟରେ ୧୭ ହଜାର ୬୩୪, ସଂସ୍କୃତରେ ୩ ହଜାର ୭୮୮ ଓ ସେଲ୍ଫ ଫାଇନାନ୍ସିଂରେ ୧୧୩୫ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ୭୦୪ ଛାତ୍ର, ୯୨ ହଜାର ୮୦୭ ଛାତ୍ରୀ, ୨୬ ଜଣ କିନ୍ନର ଯୁକ୍ତ୩ରେ ପଢ଼ିବାକୁ ମନୋନୀତ ହୋଇଛନ୍ତି। ଏହି ଛାତ୍ରଛାତ୍ରୀ ଆସନ୍ତା ୧୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିବା ସହ ୧୩ରୁ ୧୬ ମଧ୍ୟରେ ଆଲର୍ଟ ହୋଇଥିବା କଲେଜରେ ରିପୋର୍ଟିଂ କରିବା ସହ ନାମ ଲେଖାଇପାରିବେ।

କଳା, ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍‌ ଅଫ୍‌ ମାର୍କ ସର୍ବାଧିକ ରହିଛି। ବିଜେବି କଲେଜର ଭୂଗୋଳରେ କଟ୍‌ ଅଫ୍‌ ମାର୍କ ୯୫.୨୦% ଥିବା ବେଳେ ଅର୍ଥନୀତି ୯୨.୧୭%, ଇଂରାଜୀରେ ୯୨% ଓ ରାଜନୀତି ବିଜ୍ଞାନରେ ୯୧.୬୦%, ମନୋ ବିଜ୍ଞାନରେ ୮୯.୪୦%, ନୃତତ୍ତ୍ବ ବିଜ୍ଞାନରେ ୮୮.୬୭%, ସାମାଜିକ ବିଜ୍ଞାନରେ ୮୮.୪୦%, ଗଣିତରେ ୮୮.୨୦%, ପରିସଂଖ୍ୟାନରେ ୮୪.୬୦%, ଇତିହାସରେ ୮୩%, ଶିକ୍ଷାରେ ୮୦.୧୭%, ସଙ୍ଗୀତରେ ୭୬.୬୭% ଓ ଦର୍ଶନଶାସ୍ତ୍ରରେ ୭୬.୮୩% ରହିଛି। ଓଡ଼ିଆ ବିଷୟରେ କଟକସ୍ଥିତ ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟ ଓ କଟକ ନରସିଂହପୁର ଡିଗ୍ରି ମହାବିଦ୍ୟାଳୟ କଟ୍‌ଅଫ୍‌ ମାର୍କ ସର୍ବାଧିକ ୭୮% ରହିଛି। ଲାଇବ୍ରେରି ସାଇନ୍ସ, ଗୃହ ବିଜ୍ଞାନ ଭଳି ବିଷୟରେ‌ ଶୈଳବାଳା କଲେଜର କଟ୍‌ଅଫ୍‌ ମାର୍କ ସର୍ବାଧିକ ଥିବା ବେଳେ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ହିନ୍ଦୀ ବିଷୟରେ କଟ୍‌ଅଫ୍‌ ମାର୍କ ୮୦.୬୭% ରହିଛି।

ବିଜ୍ଞାନ ବିଭାଗ(ଫିଜିକାଲ ଓ ବାୟୋଲୋଜିକାଲ ସାଇନ୍ସ)ରେ ମଧ୍ୟ ବିଜେବି ଆଗରେ ରହିଛି। ପଦାର୍ଥ ବିଜ୍ଞାନରେ କଟ୍‌ଅଫ୍‌ ମାର୍କ ୯୬.୪୦% ରହିଥିବା ବେଳେ ଗଣିତରେ ୯୫.୮୦%, ପରିସଂଖ୍ୟାନରେ ୯୫.୪୦%, ରସାୟନ ବିଜ୍ଞାନରେ ୯୫.୧୭%, ପ୍ରାଣୀ ବିଜ୍ଞାନରେ ୯୬.୪୦%, ଉଦ୍ଭିଦ ବିଜ୍ଞାନରେ ୯୪.୬୦% ରହିଛି। ଭୂବିଜ୍ଞାନରେ କଟକସ୍ଥିତ ଷ୍ଟିୱାର୍ଟ ସାଇନ୍ସ କଲେଜର କଟ୍‌ଅଫ୍‌ ମାର୍କ ୯୦.୫୦% ‌ରହିଥିବା ବେଳେ କମ୍ପ୍ୟୁଟର ସାଇନ୍ସରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କଟ୍‌ଅଫ୍‌ ମାର୍କ ୯୦% ରହିଛି। ଇଲେକ୍ଟ୍ରୋନିକ୍ସ ବିଷୟରେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ୭୭%, ବାୟୋ ଟେକ୍ନୋଲୋଜିରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୯୨.୨୦%, ନୃତତ୍ତ୍ବ ବିଜ୍ଞାନରେ ଖଲ୍ଲିକୋଟ କଲେଜରେ ୭୨.୩୩% ହୋଇଛି। ବାଣିଜ୍ୟ ବିଭାଗରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍‌ଅଫ୍‌ ମାର୍କ ସର୍ବାଧିକ ୯୨% ହୋଇଛି। ସଂସ୍କୃତ ବିଭାଗରେ ସର୍ବ ଦର୍ଶନ ବିଷୟରେ ଦେବଗଡ଼ ଜିଲ୍ଲା ରିଆମାଳସ୍ଥିତ ସ୍ବାମୀ ଶିବାନନ୍ଦ ସଂସ୍କୃତ କଲେଜର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୭୬.୭୨% ରହିଛି। ସେଲ୍ଫ ଫାଇନାନ୍ସିଂ ବିଭାଗରେ ବାୟୋ ଟେକ୍ନୋଲୋଜି ବିଷୟରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୯୪.୮୦% ରହିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର