ଯୁକ୍ତ ୩ କଲେଜରେ ୫୬ ହଜାର ସିଟ୍‌ ଖାଲି : ଆଜି ସରିବ ଅଫ୍‌ଲାଇନ୍‌ ନାମଲେଖା

ଭୁବନେଶ୍ୱର : ଯୁକ୍ତ ୩ କଲେଜଗୁଡ଼ିକରେ ଦୁଇଟି ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ବି ଆହୁରି ୫୬ ହଜାର ସିଟ୍‌ ଖାଲି ରହିଛି। ବାଣିଜ୍ୟ ବିଭାଗରେ ସବୁଠାରୁ ଅଧିକ ସିଟ୍‌ ଖାଲି ପଡ଼ିଥିବା ବେଳେ ଏହାପଛକୁ କଳା ଓ ବିଜ୍ଞାନ ବିଭାଗ ରହିଛି। ଖାଲି ସିଟ୍‌ ପୂରଣ ପାଇଁ ଅଫ୍‌ଲାଇନ୍‌ରେ ନାମଲେଖା ଚାଲିଛି। ଅଫ୍‌ଲାଇନ୍‌ ମେଧା ତାଲିକାରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖାର ଶେଷ ତାରିଖ ଗତକାଲି ରଖାଯାଇଥିଲା। ହେଲେ ଗତ ଦୁଇ ଦିନ ହେଲା ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାରୁ ମେଧା ତାଲିକାରେ ସ୍ଥାନ ପାଇଥିବା ବହୁ ଛାତ୍ରଛାତ୍ରୀ ନାମ ଲେଖାଇବାରୁ ବଞ୍ଚିତ ହୋଇଛନ୍ତି। ତାହାକୁ ଦୃଷ୍ଟିରେ ରଖି ନାମଲେଖା ସମୟ ସୀମାକୁ ବୃଦ୍ଧି କରାଯାଇଛି। ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୨୩ ପର୍ଯ୍ୟନ୍ତ ନାମ ଲେଖାଇପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମସ୍ତ ଡିଗ୍ରି, ସ୍ୱୟଂଶାସିତ ଓ ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ୨୩ ତାରିଖ ଯାଏ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବେ। ୨୪ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତଥ୍ୟ ଅପଡେଟ୍‌ କରାଯିବ। ସୂଚନାଯୋଗ୍ୟ ଚଳିତବର୍ଷ ୨ ଲକ୍ଷ ୩୫ ହଜାର ୨୬୮ ସିଟ୍‌ରେ ନାମଲେଖା ହେଉଛି। ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୮୪ ହଜାର ୮୪୦ ଜଣଙ୍କୁ ନାମଲେଖା ପାଇଁ ଇଣ୍ଟିମେସନ ପଠାଯାଇଥିବା ବେଳେ ୧ ଲକ୍ଷ ୫୧ ହଜାର ୩୬୮ ଜଣ ନାମ ଲେଖାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୨୪ ହଜାର ୪୮୧ ଜଣଙ୍କୁ ଇଣ୍ଟିମେସନ ଯାଇଥିବା ବେଳେ ୨୧ ହଜାର ୪୯୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏହାପରେ ବି ୫୬ ହଜାରରୁ ଅଧିକ ସିଟ୍‌ ଖାଲିପଡ଼ିଛି।

ସମ୍ବନ୍ଧିତ ଖବର