ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। କେବେ ବାହାରିବ ସେ ନେଇ କାହା ପାଖରେ ଖବର ବି ନାହିଁ। ଖୁବ୍‌ଶୀଘ୍ର ବାହାରିବ କହି ଗଣଶିକ୍ଷା‌ ମନ୍ତ୍ରୀ କିମ୍ବା ପରିଷଦ ଅଧିକାରୀ ମଧ୍ୟ ନିରବ। ଏଭଳି ସମୟରେ ଯୁକ୍ତ୩ ନାମଲେଖା ପାଇଁ ଚାଲିଥିବା ଆବେଦନ ପ୍ରକ୍ରିୟା ମଙ୍ଗଳବାର ଶେଷ ହେଉଛି। ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ୧୦୫୩ ଡିଗ୍ରି କଲେଜର ୨ଲକ୍ଷ ୭୩ହଜାର ୭୮୯ ସିଟ୍‌ ପାଇଁ ନାମଲେଖା ହେଉଛି। କଳା‌ରେ ସର୍ବାଧିକ ୧ଲକ୍ଷ ୫୪ହଜାର ୮୬୮ ସିଟ୍‌ ରହିଥିବା ବେଳେ ଫିଜିକାଲ ସାଇନ୍ସରେ ୪୪ହଜାର ୪୯୩, ବାୟୋଲୋଜିକାଲ ସାଇନ୍ସରେ ୨୭ହଜାର ୯୮୪, ବାଣିଜ୍ୟରେ ୩୨ହଜାର ୨୮, ସେଲ୍‌ଫ ଫାଇନାନ୍ସିଂରେ ୫ହଜାର ୨୪ ସିଟ୍‌ ଓ ସଂସ୍କୃତରେ ୯ହଜାର ୨୧୨ ସିଟ୍‌ ରହିଛି। ହେଲେ ଏବେ ସୁଦ୍ଧା ମାତ୍ର ୧ଲକ୍ଷ ୧୭ହଜାର ୫୩୨ଜଣ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧ଲକ୍ଷ ୧୪ହଜାର ୨୫୯ଜଣ ଫି’ ଦାଖଲ କରିଛନ୍ତି। ଅର୍ଥାତ୍‌ ମୋଟ ସିଟ୍‌ର ଅଧା ଯାଏ ବି ଏପର୍ଯ୍ୟନ୍ତ ଆବେଦନ ହୋଇ ନାହିଁ। ଗୋଟିଏ ପଟେ ପରୀକ୍ଷାଫଳ ଅପେକ୍ଷାରେ ରାଜ୍ୟର ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ ରହିଛନ୍ତି। 

Advertisment

ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ମଧ୍ୟରେ ସମନ୍ବୟର ଅଭାବ
ଚିନ୍ତାରେ ରାଜ୍ୟର ୩ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକ
ଅଧା ସିଟ୍‌ ପାଇଁ ମଧ୍ୟ ଆବେଦନ ହୋଇନାହିଁ

ଅନ୍ୟପଟେ ଯୁକ୍ତ୩ ନାମଲେଖା ପରିଚାଳନା କରୁଥିବା ସାମ୍‌ସ ପକ୍ଷରୁ ନାମଲେଖା ଆବେଦନ ପ୍ରକ୍ରିୟା ଶେଷ କରାଯିବା ପରେ ଅଭିଭାବକ ଓ ଛାତ୍ରଛାତ୍ରୀ ଏବେ ଚିନ୍ତାରେ। କାହା ସ୍ବାର୍ଥରେ ଉଚ୍ଚଶିକ୍ଷା ବିଭାଗ ଏଭଳି ପଦକ୍ଷେପ ନେଇଛି ତାହାକୁ ନେଇ କଲେଜ କର୍ତ୍ତୃପକ୍ଷ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଭୁବନେଶ୍ବରର ଏକ ନାମକରା ମହାବିଦ୍ୟାଳୟ ଅଧ୍ୟକ୍ଷ କହିଛନ୍ତି ଯେ ଏବେ ବିଚିତ୍ର ନାମଲେଖା ପ୍ରକ୍ରିୟା ଚାଲିଛି। ଯୁକ୍ତ୨ ପରୀକ୍ଷାଫଳ ପ୍ରକାଶ ପାଇ ନ ଥିବା ବେଳେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ପିଲାମାନେ କେଉଁ ମାର୍କ ଆଧାରରେ ଯୁକ୍ତ୩ ପଢ଼ିବାକୁ ଆବେଦନ କରିବେ? ‌ପ୍ରଥମତଃ ପିଲାଟି ଯୁକ୍ତ୨ ପାସ୍‌ କରିବ କି ନାହିଁ ଜାଣି ନାହିଁ। ସେ ନେଇ ଦ୍ବନ୍ଦ୍ବରେ ରହିଛି। ଦ୍ବିତୀୟତଃ କେଉଁ ବିଷୟରେ ଅଧିକ ମାର୍କ ପାଇବ ଏବଂ କେଉଁଥି‌ରେ କମିବ ତାହା ମଧ୍ୟ ଜାଣିନି। ତେଣୁ ଆବେଦନ କରିବ କିଭଳି? ଯେଉଁମାନେ ବି ଏବେ ସୁଦ୍ଧା ଆବେଦନ କରିଛନ୍ତି ‌ସେଥିରେ ସିବିଏସ୍‌ଇ ବୋର୍ଡର ଛାତ୍ରଛାତ୍ରୀ ଅଧିକ ରହିଛନ୍ତି। ଓଡ଼ିଶା ବୋର୍ଡର ଅଧିକାଂଶ ଛାତ୍ରଛାତ୍ରୀ ଯୁକ୍ତ୩ ପଢ଼ିବାକୁ ଆବେଦନ କରିଥା’ନ୍ତି। ହେଲେ ସେମାନଙ୍କ କଥାକୁ ବିଚାରକୁ ନ ନେଇ ଆବେଦନ ପ୍ରକ୍ରିୟା ଶେଷ କରିବା ଦ୍ବାରା କିଏ ଲାଭ ପାଇବ? ସାମ୍‌ସ ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ମନମାନି ପାଇଁ ଆମେ ଏବେ ହଇରାଣ ହେଉଛୁ। ପିଲାମାନେ ବାରମ୍ବାର ଫୋନ୍‌ କରି ଆମକୁ ନାମଲେଖା ସମ୍ପର୍କରେ ପଚାରୁଛନ୍ତି। କେହି କେହି ଗାଳି ମଧ୍ୟ ଦେଉଥିବା ସେ କହିଛନ୍ତି। ଅଭିଭାବକମାନେ ମଧ୍ୟ ଅନୁରୂପ ଭାବେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଉଚ୍ଚଶିକ୍ଷା ବିଭାଗ ଅଧୀନ ସ୍ବୟଂଶାସିତ ଓ ଡିଗ୍ରି ମହାବିଦ୍ୟାଳୟର ସ୍ନାତକ (ଯୁକ୍ତ୩) ପାଠ୍ୟକ୍ରମରେ ନାମଲେଖା ଲାଗି ଏପ୍ରିଲ ୧୬ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀ ସାମ୍‌ସ ୱେବସାଇଟ୍‌ www.samsodisha.gov.in ମାଧ୍ୟମରେ କମନ୍‌ ଆପ୍ଲିକେସନ୍‌ ଫର୍ମ(ସିଏଏଫ୍‌) ପୂରଣ କରି ମେ’ ୨୦ ସୁଦ୍ଧା ଆବେଦନ କରିବାକୁ ଦିନ ଧାର୍ଯ୍ୟ ହୋଇଛି। ୨୧ ଓ ୨୨ ତାରିଖରେ ଛାତ୍ରଛାତ୍ରୀ ପୂର୍ବରୁ ଦାଖଲ କରିଥିବା ସିଏଏଫ୍‌ଙ୍କୁ ସଂଶୋଧନ କରିପାରିବେ ବୋଲି କୁହାଯାଇଥିଲା। ଯୁକ୍ତ୨ ତଥା‌ ସମତୁଲ ବୋର୍ଡର ମାର୍କ ଦାଖଲ ସହ ବିଭିନ୍ନ ପର୍ଯ୍ୟାୟ ନାମଲେଖା ପାଇଁ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପ୍ରିଲ ୧୫ରେ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା।