ପ୍ରତି ବ୍ଲକରେ ହେବ ଯୁକ୍ତ୩ ବିଜ୍ଞାନ କଲେଜ : ସବୁ ସବ୍‌-ଡିଭିଜନ୍‌ରେ ଖୋଲିବ ମହିଳା ମହାବିଦ୍ୟାଳୟ, ସୁଦୃଢ଼ ହେବ ଭିତ୍ତିଭୂମି, ପୂରଣ ହେବ ଖାଲି ପଦ

ଭୁବନେଶ୍ବର : ବିଜ୍ଞାନ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟର ସବୁ ବ୍ଲକରେ ପ୍ରତିଷ୍ଠା ହେବ ଯୁକ୍ତ୩ ବିଜ୍ଞାନ ମହାବିଦ୍ୟାଳୟ। ବର୍ତମାନ ସମୟରେ ଯେଉଁ ବିଷୟଗୁଡ଼ିକ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ପରିଲକ୍ଷିତ ହେଉଛି ତାହାକୁ ପ୍ରଥମେ ଖୋଲାଯିବ। ପରବର୍ତୀ ସମୟରେ ଅନ୍ୟ ବିଭାଗଗୁଡ଼ିକ ଖୋଲିବ। ପ୍ରତି ବିଭାଗରେ ୨୪ରୁ ୩୬ ସିଟ୍‌ ରହିବ। ଏଥିସହ ଛାତ୍ରୀଙ୍କ ଶିକ୍ଷାକୁ ଗୁରୁତ୍ବ ଦେଇ ପ୍ରତି ସବ୍‌-ଡିଭିଜନ୍‌ରେ ଗୋଟିଏ ଲେଖାଏ ମହିଳା ମହାବିଦ୍ୟାଳୟ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଆଧାରରେ ଏଭଳି ଯୋଜନା ପ୍ରସ୍ତୁତ କରାଯାଇଛି।

ରାଜ୍ୟ ସବୁ ଅଞ୍ଚଳରେ ପର୍ଯ୍ୟାପ୍ତ କଲେଜ ନ ଥିବା, ଛାତ୍ରୀମାନଙ୍କ ଯିବା ଆସିବା ଅସୁରକ୍ଷିତ ହୋଇଥିବାରୁ ଯୁକ୍ତ୨ ଶିକ୍ଷା ପରେ ବହୁ ଛାତ୍ରୀ ପାଠପଢ଼ା ଛାଡ଼ୁଛନ୍ତି। ଅଭିଭାବକମାନେ ସେମାନଙ୍କୁ ପିଲାମାନଙ୍କୁ ଉଚ୍ଚଶିକ୍ଷା ଲାଗି ପଠାଉ ନାହାନ୍ତି। ଯେଉଁଥିପାଇଁ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପରେ ବି ଛାତ୍ରୀମାନେ ଯୁକ୍ତ୩ ପଢ଼ିବାକୁ ଆଗ୍ରହ ଦେଖାଉନାହାନ୍ତି। ଏଭଳି ସମସ୍ୟା ନେଇ ଅଭିଯୋଗ ଆସିବା ପରେ ପ୍ରତି ବ୍ଲକରେ ସରକାରୀ କଲେଜ ଓ ଛାତ୍ରୀଙ୍କ ଲାଗି ସ୍ବତନ୍ତ୍ର ଭାବେ ମହାବିଦ୍ୟାଳୟ ଖୋଲିବା‌କୁ ସ୍ଥିର କରାଯାଇଛି। ଆଗରୁ ଥିବା ମହିଳା ମହାବିଦ୍ୟାଳୟଗୁଡ଼ିକୁ ସୁଦୃଢ଼ କରିବା ଦିଗରେ ବି ପଦକ୍ଷେପ ନିଆଯିବ। ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ସର୍ବନିମ୍ନ ଭିତ୍ତିଭୂମି ସୁବିଧା କରିବା ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେବାକୁ ଯୋଜନା ରହିଛି। ‌କୋଠା ନିର୍ମାଣ ସହ ପର୍ଯ୍ୟାପ୍ତ ଆସବାବପତ୍ର ସୁବିଧା କରିବା, ଖାଲିଥିବା ଅଧ୍ୟାପକ ପଦ ପୂରଣ, ଆବଶ୍ୟକୀୟ ଅନୁଯାୟୀ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କରାଯିବ। ପୂର୍ଣ୍ଣ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଅତିଥି ଅଧ୍ୟାପକ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଅତିଥି ଅଧ୍ୟାପକଙ୍କୁ ଦିଆଯାଉଥିବା ୫୦୦ ଟଙ୍କାକୁ ବୃଦ୍ଧି କରିବା, ସରକାରୀ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ କଲେଜରେ ଏକକ ବଦଳି ନିୟମ ଲାଗୁ କରିବାକୁ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି।

କେତେକ କଲେଜ କର୍ତୃପକ୍ଷ ନିକଟସ୍ଥ ସରକାରୀ ଜାଗାକୁ ଖେଳ ପଡ଼ିଆ ଭାବେ ବ୍ୟବହାର କରୁଛନ୍ତି। ତେବେ ଉକ୍ତ ପଡ଼ିଆ ଏପର୍ଯ୍ୟନ୍ତ କଲେଜକୁ ହସ୍ତାନ୍ତର କରାଯାଇ ନାହିଁ। ‌ତେଣୁ ରାଜସ୍ବ ବିଭାଗ ପକ୍ଷରୁ ଏଦିଗରେ ପଦକ୍ଷେପ ନେଇ ଜମି ହସ୍ତାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରକୁ କଡ଼ାକଡ଼ି ଭାବେ ଲାଗୁ କରିବା, କ୍ରୀଡ଼ା/ସାଂସ୍କୃତିକ ପ୍ରତିଯୋଗିତା, ପରୀକ୍ଷା ପରିଚାଳନାକୁ ନିୟମିତ ଭାବେ କରିବା, ଏକକ ସିଲାବସ୍‌ ପ୍ରସ୍ତୁତ, ବାର୍ଷିକ ଅନ୍ତଃକଲେଜ ପ୍ରତିଯୋଗିତା, ଫୁଟବଲ, ଭଲିବଲ, ହକି, କବାଡ଼ି ପରି ଖେଳକୁ ପୋତ୍ସାହିତ କରିବାକୁ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। ବିଭାଗ ଅଧୀନରେ ଥିବା ବିଭିନ୍ନ ସେକ୍ସନଗୁଡ଼ିକ ଅକ୍ଟୋବର ୪ ସୁଦ୍ଧା ଏନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର