ଭୁବନେଶ୍ୱର : ଯୁକ୍ତ ୩ ଡିଗ୍ରି ଓ ସ୍ୱୟଂଶାସିତ କଲେଜରେ ଖାଲିଥିବା ସିଟ୍ ପୂରଣ ପାଇଁ ସୋମବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀ ଜୁଲାଇ ୩୦ରୁ ଅଗଷ୍ଟ ୩ ମଧ୍ୟରେ ଅଫ୍ଲାଇନ୍ରେ କମନ୍ ଆପ୍ଲିକେସନ ଫର୍ମ (ସିଏଏଫ୍)ରେ ଆବେଦ କରିପାରିବେ। ଅଗଷ୍ଟ ୭ରେ କଲେଜ ନୋଟିସ୍ ବୋର୍ଡରେ ଯୋଗ୍ୟବିବେଚିତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ କରାଯିବ। ୮ ଓ ୯ ତାରିଖରେ ନାମଲେଖା ହେବ। ଅଗଷ୍ଟ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ତଥ୍ୟ କଲେଜଗୁଡ଼ିକ ଇ-ସ୍ପେସ୍ରେ ଅପ୍ଡେଟ୍ କରିବେ। ଯୁକ୍ତ୨ ଇନ୍ଷ୍ଟାଣ୍ଟ ପରୀକ୍ଷା ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସମେତ ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟରେ ଆବେଦନ କରିପାରି ନ ଥିବା, ପ୍ରଥମ ପର୍ଯ୍ୟାୟରେ ଆବେଦନ କରି ସିଟ୍ ପାଇ ନ ଥିବା, ଚୟନ ହୋଇ ନାମଲେଖାଇ ପାରି ନ ଥିବା, ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଓ ଉପର କଲେଜକୁ ଯିବାକୁ ଚାହୁଥିବା ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ଆବେଦନ କରିପାରିବେ। ଛାତ୍ରଛାତ୍ରୀ କେବଳ ଅଫ୍ଲାଇନ୍ରେ କଲେଜସ୍ତରରେ ଆବେଦନ କରିବେ। ଅନର୍ସ ଓ ଜେନେରାଲରେ ଖାଲିଥିବା ସିଟ୍ ଅନୁଯାୟୀ ନାମଲେଖା ହେବ। ଏହି ପର୍ଯ୍ୟାୟରେ କଟ୍ ଅଫ୍ ମାର୍କକୁ ଧରାଯିବ ନାହିଁ। ବିଭିନ୍ନ ବର୍ଗଙ୍କ ପାଇଁ ସିଟ୍ ସଂରକ୍ଷିତ ରହିବ। ଯଦି ସେହି ବର୍ଗର ଛାତ୍ରଛାତ୍ରୀ ନ ମିଳିବେ, ତେବେ ସିଟ୍ ସାଧାରଣ ବର୍ଗକୁ ଯିବ। କଲେଜସ୍ତରରେ ଚୟନ ହେବ। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ବି ୫୨ ହଜାର ସିଟ୍ ଖାଲି ରହିଛି।