ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ଯୁକ୍ତ ୩ (ସ୍ନାତକ) କଲେଜରେ ଖାଲି ଥିବା ସିଟ୍ ପୂରଣ ପାଇଁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଆଶାୟୀ ଛାତ୍ରଛାତ୍ରୀ ଆସନ୍ତା ୨୩ ତାରିଖ ପୂର୍ବାହ୍ନ ୧୧ଟାରୁ ୨୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ସାମ୍ସ ୱେବ୍ସାଇଟ୍ରେ ଆବେଦନ କରିପାରିବେ। ଡିସେମ୍ବର ୩ ଅପରାହ୍ଣ ୨ଟାରେ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀ ୩ରୁ ୬ ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ମାଧ୍ୟମରେ ନାମଲେଖା ଦେୟ(ଫି’) ଦାଖଲ କରିପାରିବେ। ଡିସେମ୍ବର ୪ରୁ ୭ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ କଲେଜରେ ରିପୋର୍ଟିଂ ସହ ନାମ ଲେଖାଇପାରିବେ।
ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ୧୦ ତାରିଖରେ ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୦ରୁ ୧୩ ତାରିଖ ମଧ୍ୟରେ ଫି’ ଦାଖଲ କରିପାରିବେ। ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ ସହ ନାମ ଲେଖାଇପାରିବେ। ୧୫ ତାରିଖରେ ଖାଲିଥିବା ସିଟ୍ ତାଲିକା ପ୍ରକାଶ କରାଯିବ। ଏଥିସହ ସେହିଦିନ ଅପରାହ୍ଣ ୫ଟାରେ ୱେଟିଂଲିଷ୍ଟ ପ୍ରକାଶ ପାଇବ। ଏହି ତାଲିକାରେ ଥିବା ଛାତ୍ରଛାତ୍ରୀ ୧୬ତାରିଖରୁ ୧୮ ତାରିଖ ଅପରାହ୍ଣ ୨ଟା ମଧ୍ୟରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ। ସେହିଦିନ ଅପରାହ୍ଣ ୩ଟାରୁ ୫ଟା ମଧ୍ୟରେ ଶିକ୍ଷାନୁଷ୍ଠାନସ୍ତରରେ ମେଧା ତାଲିକା ପ୍ରକାଶ ପାଇବ।
୨୦ରୁ ୨୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ଶିକ୍ଷାନୁଷ୍ଠାନ ପାଇଁ ଚଏସ୍ ଲକ୍ କରିବେ। ୨୧ରୁ ୨୩ ତାରିଖ ମଧ୍ୟରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କର କାଗଜପତ୍ର ଯାଞ୍ଚ କରାଯିବା ସହ ନାମଲେଖା ଅନୁଷ୍ଠିତ ହେବ। ୨୪ ତାରିଖ ଅପରାହ୍ଣ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନାମଲେଖା ସମ୍ବନ୍ଧୀୟ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍ରେ ଦାଖଲ କରିବେ। ଏହି ପର୍ଯ୍ୟାୟ ନାମଲେଖା ଲାଗି ବିଭାଗ ପକ୍ଷରୁ ନିୟମାବଳୀ ଜାରି ହୋଇଛି। ପୂର୍ବରୁ ଯୋଗ୍ୟ ବିବେଚିତ ହୋଇ ନାମ ଲେଖାଇଥିବା ଓ ଯୋଗ୍ୟ ବିବେଚିତ ହୋଇ ନାମ ଲେଖାଇ ନଥିବା ପ୍ରାର୍ଥୀଙ୍କୁ ନାମଲେଖା ସୁଯୋଗ ମିଳିବ। ପ୍ରଥମ ପର୍ଯ୍ୟାୟରେ ଆବେଦନ କରିପାରି ନଥିବା ଛାତ୍ରଛାତ୍ରୀ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ।