ଯୁକ୍ତ୩ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ : ୨୨ ହଜାର ଛାତ୍ରଛାତ୍ରୀ ମନୋନୀତ

କଟ୍‌ ଅଫ୍‌ ମାର୍କରେ ବିଜେବି କଲେଜ ଆଗରେ, ନଭେମ୍ବର ୩ ଯାଏ ନାମଲେଖା

ଭୁବନେଶ୍ୱର : ଯୁକ୍ତ୩(ସ୍ନାତକ) କଲେଜରେ ଖାଲିଥିବା ସିଟ୍‌ରେ ନାମଲେଖା ଲାଗି ଆଜି ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା(ମେରିଟ୍‌ ଲିଷ୍ଟ) ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ପରି ଏଥର ମଧ୍ୟ ବିଭିନ୍ନ ବିଷୟରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍‌ ଅଫ୍‌ ମାର୍କ ସର୍ବାଧିକ ରହିଛି। ଏହି ପର୍ଯ୍ୟାୟ ନାମଲେଖା ଲାଗି ୯୬ ହଜାର ୫୧୫ ଜଣ ଛାତ୍ରଛାତ୍ରୀଙ୍କୁ ବିଚାରକୁ ନିଆଯାଇଥିଲା। ତେବେ ୨୨ ହଜାର ୦୧୬ ଜଣ ଦ୍ବିତୀୟ ପର୍ଯ୍ୟାୟରେ ନାମଲେଖା ଲାଗି ମନୋନୀତ ହୋଇଛନ୍ତି। ୩୯ ହଜାର ୮୨୫ ଜଣ ଛାତ୍ରଛାତ୍ରୀ ହାୟର ଅପ୍‌ସନ୍‌କୁ ଯିବା ଲାଗି ସ୍ଲାଇଡ୍‌ ଅପ୍‌ ମାଧ୍ୟମରେ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୯୨୭୬ ଜଣଙ୍କ ଅନୁରୋଧକୁ ଗ୍ରହଣ କରାଯାଇଛି। କଳା ବିଭାଗରେ ସର୍ବାଧିକ ୧୨ ହଜାର ୬୯ ଜଣ ଚୟନ ହୋଇଥିବା ବେଳେ ଫିଜିକାଲ ସାଇନ୍ସରେ ୪୧୧୯, ବାୟୋଲୋଜିକାଲ ସାଇନ୍ସରେ ୩୪୬୫, ବାଣିଜ୍ୟରେ ୧୭୮୧, ସେଲ୍ଫ ଫା‌ଇନାନ୍ସିଂରେ ୩୯୮, ସଂସ୍କୃତରେ ୧୮୪ ଜଣ ନାମଲେଖା ଲାଗି ଏହି ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୦ ହଜାର ୫୩୨ ଜଣ ଛାତ୍ର ଓ ୧୧ ହଜାର ୪୮୪ ଜଣ ଛାତ୍ରୀ ରହିଛନ୍ତି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୨୯ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ। ଅକ୍ଟୋବର ୨୭ରୁ ନଭେମ୍ବର ୩ ମଧ୍ୟରେ ନାମଲେଖା ହେବ।

ଏଥର କଳା ବିଭାଗରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଭୂଗୋଳରେ କଟ୍‌ ଅଫ୍‌ ୮୯% ଥିବା ବେଳେ ଅର୍ଥନୀତିରେ ୮୬, ଇଂରାଜୀରେ ୮୪, ରାଜନୀତି ବିଜ୍ଞାନରେ ୮୩, ସାମାଜିକ ବିଜ୍ଞାନରେ ୮୨, ମନୋବିଜ୍ଞାନରେ ୮୧, ପରିସଂଖ୍ୟାନରେ ୭୮, ହିନ୍ଦୀରେ ୭୭, ଶିକ୍ଷା‌ରେ ୭୭, ଗଣିତରେ ୭୬, ଦର୍ଶନଶାସ୍ତ୍ରରେ ୭୨, ଇତିହାସରେ ୭୨% ରହିଛି। ନୃତତ୍ତ୍ବ ବିଜ୍ଞାନରେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟର ୮୯, ଓଡ଼ିଆରେ ବଲାଙ୍ଗୀରର ରା‌ଜେନ୍ଦ୍ର ସ୍ବୟଂଶାସିତ କଲେଜର ୭୮% ଥିବା ଉଚ୍ଚଶିକ୍ଷା‌ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫିଜିକାଲ ସାଇନ୍ସ ବିଭାଗରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଗଣିତରେ ୯୫% ଥିବା‌ ବେଳେ ପଦାର୍ଥ ବିଜ୍ଞାନ, ପରିସଂଖ୍ୟାନ ଓ ରସାୟନ ବିଜ୍ଞାନରେ ୯୩% ଲେଖାଏ ଓ ଭୂତତ୍ତ୍ବ ବିଜ୍ଞାନରେ କଟ୍‌ ଅଫ୍‌ ମାର୍କ ରାଜଧାନୀ କଲେଜର ୮୭% ରହିଛି। ବାୟୋଲୋଜିକାଲ ସାଇନ୍ସ ବିଭାଗରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଷୟରେ କଟ୍‌ ଅଫ୍‌ ମାର୍କ ୯୪%, ଉଦ୍ଭିଦ ବିଜ୍ଞାନରେ ୯୧% ରହିଥିବା ବେଳେ ବାୟୋ-ଟେକ୍ନୋଲୋଜିରେ ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟର ୬୬% ରହିଛି। ବାଣିଜ୍ୟ ବିଭାଗରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ସର୍ବାଧିକ କଟ୍‌ ଅଫ୍‌ ମାର୍କ ୮୬% ଅଛି। ଶାସ୍ତ୍ରୀ ବିଭାଗରେ ବୋଲଗଡ଼ସ୍ଥିତ ରାଧାମାଧବ ସଂସ୍କୃତ କଲେଜର କଟ୍‌ ଅଫ୍‌ ମାର୍କ ୬୬% ଓ ସେଲ୍ଫ ଫାଇନା‌ନ୍ସ ବିଭାଗରେ ବାୟୋ-ଟେକ୍ନୋଲୋଜିରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୮୮% ରହିଛି।

ସମ୍ବନ୍ଧିତ ଖବର